ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଦେଓଭରାଣ୍ଡି ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ସମେତ ୫ ଗୋଟି ବଳଦର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ବଳଦ ଗୁରୁତର ଥିବା ଜଣା ପଡିଛି। ବୃଦ୍ଧ ଜଣକ ଉକ୍ତ ଗ୍ରାମର ସମାରୁ ଗଣ୍ଡ (୬୫) ହୋଇଥିବା ବେଳେ ୬ଟି ଯାକ ବଳଦ ତାଙ୍କର ବୋଲି ଜଣାପଡିଛି। ନିଜ ବଳଦ ଗୁଡ଼ିକ ସହିତ ସମାରୁ ରାସ୍ତା କଡରେ ଠିଆ ରହିଥିବା ବେଳେ ଏକ ହାଇୱା ଭାରସାମ୍ୟ ହରାଇ ତାଂକ ଉପରେ ମାଡ଼ି ଯାଇଥିଲା।
ସୂଚନା ଅନୁଯାୟୀ ରାଇଘର-କୁନ୍ଦେଇ ମୁଖ୍ୟ ରାସ୍ତାରେ ଥିବା ଦେଓଭରାଣ୍ଡି ଠାରେ ଆଜି ଦିନ ଦ୍ବିପହାରରେ ସମାରୁ ଗଣ୍ଡ ନିଜ ଘର ସମ୍ମୁଖରେ ବନ୍ଧା ହୋଇଥିବା ବଳଦ ଗୁଡ଼ିକକୁ ଚରାଇବାକୁ ନେବା ନିମନ୍ତେ ଖୋଲିବା ସମୟରେ ଏକ ହାଇୱା ଗାଡ଼ି (ନମ୍ବର ସିଜି ୦୭ ବିଡି ୪୮୩୪ ) କୁନ୍ଦେଇ ଆଡ଼କୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୫ଟି ବଳଦ ସମେତ ସମାରୁ ଗଣ୍ଡଙ୍କ ମୃତ୍ୟୁ ଘଟିଥିଲା। ଗୋଟିଏ ବଳଦ ଗୁରୁତର ହୋଇ ମୁମୁର୍ଷୁ ଅବସ୍ଥାରେ ଥିବା ଜଣାପଡିଛି।
ଏହି ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରେ ବଡ଼ ବଡ଼ କାଠ ଗଣ୍ଡି ପକାଇ ଅବରୋଧ କରିଥିଲେ। ଆଉ କିଛି ଲୋକ ଉତ୍ୟକ୍ତ ହୋଇ ଦୁର୍ଘଟଣା ଘଟିବା ଖସି ଯାଉଥିବା ହାଇୱାର ପିଛା କରିଥିଲେ। ଖବର ପାଇ ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା କ୍ଷତିପୂରଣ ଦାବିରେ ଗ୍ରାମବାସୀ ଦୀର୍ଘ ଘଣ୍ଟା ଧରି ଶବକୁ ସେଠାରୁ ଉଠିବାକୁ ଦେଇ ନଥିଲେ।
ଅନ୍ୟପଟେ ହାଇୱା ଚାଳକ ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇ ଚାଲି ଯାଉଥିବା ବେଳେ କିଛି ଲୋକ ପିଛା କରି କାବୁ କରିଥିଲେ। ଠିକ୍ ଏହି ସମୟରେ କୁନ୍ଦେଇ ପୁଲିସ ପହଞ୍ଚି ଗାଡ଼ି ସହିତ ଡ୍ରାଇଭର ସୁରଜ ପଟ୍ ଚହ୍ୱାନ୍କୁ କୁନ୍ଦେଇ ଥାନାକୁ ନେଇ ଯାଇଥିଲା। ଏଥିସହିତ ଘଟଣାସ୍ଥଳରେ ରାଇଘର ଥାନା ଅଧିକାରୀ ଗୋବିଂଦ ଚନ୍ଦ୍ର ବୁରୁଦା, କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ଘଟଣାର ଅନୁଧ୍ୟାନ କରିଥିଲେ। ଗ୍ରାମବାସୀ ଉତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ଦୀର୍ଘ ଘଣ୍ଟା କାଳ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ଉମରକୋଟ ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଅମର କନ୍ଷ୍ଟକସନ୍ ପକ୍ଷରୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା। ସନ୍ଧ୍ୟା ହୋଇ ଯିବା ଫଳରେ ଆଜି ଶବ ବ୍ୟବଚ୍ଛେଦ ହୋଇ ପାରି ନଥିବା ପୁଲିସ ପ୍ରକାଶ କରିଛି।
ପ୍ରକାଶ ଥାଉକି ଭାରତମାଳା ଯୋଜନାରେ କାମ ଚାଲିଥିବା ୬ ଲାଇନ୍ ରାସ୍ତା ନିମନ୍ତେ ଏନକେସି ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ପାଖାପାଖି ୨୫ ଗୋଟି ହାଇୱା ଲାଗିଛି। ଆଜିର ଏହି ଦୁର୍ଘଟଣା ଘଟାଇଥିବା ହାଇୱା ସେଥିମଧ୍ୟରୁ ଅନ୍ୟତମ। ଉକ୍ତ ହାଇୱାଟି ସମ୍ବଲପୁରସ୍ଥିତ କାଣ୍ଡିତରା ଜଂଗଲରେ ଥିବା କ୍ରସରରୁ ମେଟାଲ୍ ନେଇ ଖାଲି କରି ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।