ଡକାୟତି ଯୋଜନା ପଣ୍ଡ; ୫ ଗିରଫ, ବନ୍ଧୁକ ସହ ବିପୁଳ ମାରଣାସ୍ତ୍ର ଜବତ 

ଖୋର୍ଦ୍ଧା: ଗତକାଲି ରାତିରେ ଖୋର୍ଦ୍ଧା ଟାଉନ୍ ପୁଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି । ଖୋର୍ଦ୍ଧା ଉପକଣ୍ଠରେ ଡକାୟତି ଯୋଜନା ପାଇଁ ଯୋଜନା କରୁଥିବା ଏକ ପେଷାଦାର ଅପରାଧୀ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାରେ ସକ୍ଷମ ହୋଇଛି ।

ସୂଚନାନୁସାରେ, ଗତକାଣି ରାତି ପ୍ରାୟ ଗୋଟାଏ ବେଳେ ଟିଏଲ୍ସି ରାସ୍ତାର ମୋନାଲିସା ଇଂରାଜୀ ମାଧ୍ୟମ ସ୍କୁଲ ପଛପଟେ ଏକ କାର ସହ କେତେକ ଯୁବକ ସଂଦିଗ୍ଧ ଅବସ୍ଥାରେ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଏନେଇ ସୂଚନା ପାଇବା ପରେ ଏସ୍ପି ଅଲେଖ ଚନ୍ଦ୍ର ପହି ଏସ୍ଡିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରିଥିଲେ । ଏହି ଟିମ୍‌ରେ ଅତିରିକ୍ତ ଆଇଆଇସି ପ୍ରଜ୍ଞାନ ଋତମ୍ବରୀ କର, ଏସ୍ଆଇ ପଦ୍ମଲୋଚନ ବେହେରା, ଏସ୍ଆଇ ମନୋଜ କୁମାର ଦାସ, ଏଏସ୍ଆଇ ଅକ୍ଷୟ କୁମାର ସେଠୀ, ଏଏସ୍ଆଇ ପ୍ରଦୀପ କୁମାର ପ୍ରଧାନ, ହାବିଲଦାର ବିକେ ପ୍ରତାପସିଂହ, ଅଭୟ ସାମାନ୍ତରାୟ ଓ ଅନ୍ୟ ପୁଲିସ କର୍ମଚାରୀ ରହିଥିଲେ । ଟିମ୍ ଯୋଜନା ବଦ୍ଧ ଭାବେ ସେମାନଙ୍କୁ ଘେରିବାକୁ ଚେଷ୍ଟା କରିଥିଲା ।  ଦୀର୍ଘ ୩ଘଂଟାର ଅପରେସନ୍‌ରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।

ଏନେଇ ସୂଚନା ଦେଇ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଧରାପଡ଼ିଥିବା ଯୁବକଙ୍କ ନିକଟରୁ ୭.୬୫ ଏମ୍ଏମ୍ର ଦେଶୀ ବନ୍ଧୁକ, ୫ଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା, ଗୋଟିଏ କଟୁରୀ, ଦୁଇଟି ଲୁହାଛଡ, ଲଙ୍କାଗୁଣ୍ଡ ଆଦି ଜବତ କରାଯାଇଛି । ଏହାସହ ସେମାନେ ବ୍ୟବହାର କରୁଥିବା ଏକ କାର ଓଡି ୦୨ ବିଭି ୩୪୦୨କୁ ମଧ୍ୟ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦେଉଳଟାଙ୍ଗୀର ମହମ୍ମଦ ରଜକ ଓରଫ ରାଜା (୩୨), ଖୋର୍ଦ୍ଧା ମୁସଲିମ ସାହିର ରାଜୁ ଖାନ ଓରଫ କଲିମ(୨୬), ଭାଲିଆବାଡ଼ିର ନିଲୁ ବେହେରା ଓରଫ ନିଳେଇ (୨୫) ଓ କାହ୍ନା ବେହେରା (୩୨) ଓ ଗୁରୁଜଙ୍ଗ ମଝିସାହିର କାର୍ତିକ ପ୍ରଧାନ (୨୯) । ଏନେଇ ୧୧୩/୨୦୨୨ରେ ଧାରା ୩୫୩, ୩୯୯, ୪୦୨ ଓ ୨୫/୨୭ ଅସ୍ତ୍ରଶସ୍ତ୍ର ଧାରାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର