ବାଲେଶ୍ୱର: ବିଶ୍ବ କ୍ରିକେଟ୍‌ର ସବୁଠୁ ବଡ଼ ଚେହେରା ସଚିନ୍‌ ତେନ୍ଦୁଲକର ହୁଅନ୍ତୁ କି ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌; ସଫଳତାର ଏକମାତ୍ର ରହସ୍ୟ ହେଉଛି କଠିନ ପରିଶ୍ରମ। ମୁଁ ବି ସରକାରୀ ସ୍କୁଲରେ ପାଠ ପଢ଼ି ଆଇଏଏସ୍‌ ହୋଇଛି। ତେଣୁ ସଫଳତା ପାଇବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଛନ୍ତି ‘୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ। ଶନିବାର ବାଲେଶ୍ବର ରିଜର୍ଭ ପୁଲିସ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗ ଦେଇ ୫-ଟି ଅଧ୍ୟକ୍ଷ କହିଥିଲେ, କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ପାଠପଢା ସହିତ ଛାତ୍ରଛାତ୍ରୀମାନେ କ୍ରୀଡ଼ା, ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା ସବୁ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ନିଜର ଦକ୍ଷତା ପ୍ରମାଣିତ କରନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ରୂପାନ୍ତରରେ ଜିଲ୍ଲାର ୧୩୬ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ସାମିଲ କରିଛନ୍ତି। ଏଥିପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଆଗାମୀ ଫେବ୍ରୁଆରି ମାସ ସୁଦ୍ଧା କାମ ସରିବ। ବାଲେଶ୍ବରର ଗରିବ ଓ ଗ୍ରାମାଞ୍ଚଳର ପିଲାମାନେ ସବୁ କ୍ଷେତ୍ରରେ ସମୃଦ୍ଧ ହେବେ। କାହାଠୁ ପଛରେ ରହିବେ ନାହିଁ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୨ଟି ଯାକ ବ୍ଲକ୍‌ରୁ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋ ଇଥିଲେ। ପ୍ରାରମ୍ଭରେ ‘ସମ୍ପଦ’ ଯୋଜନା ଅନ୍ତର୍ଗତ ୮୪ ଜଣ ଦିବ୍ୟାଙ୍ଗଙ୍କୁ ତିନିଚକିଆ ବ୍ୟାଟେରିଚାଳିତ ଗାଡ଼ି ହସ୍ତାନ୍ତର କରି ସେମାନଙ୍କର ଶୁଭ ମନାସି ଥିଲେ ଶ୍ରୀ ପାଣ୍ଡିଆନ। ଅନ୍ୟମାନଙ୍କ ମଧ୍ୟରେ ପୁଲିସ୍‌ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଏସ୍‌ପି ସାଗରିକା ନାଥ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment

ମୁଁ ବି ସରକାରୀ ସ୍କୁଲରେ ପାଠ ପଢିଛି, କଠିନ ପରିଶ୍ରମ କର
ଫେବ୍ରୁଆରି ମାସ ସୁଦ୍ଧା ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍‌
ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ପାଇଁ ଖୁସି ଖବର ଶୁଣାଇବେ ମୁଖ୍ୟମନ୍ତ୍ରୀ

ପରେ ଶ୍ରୀ ପାଣ୍ଡିଆନ ମିସନ୍‌ ପଡ଼ିଆରେ ଆୟୋଜିତ ବିଜେଡିର ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାକୁ ୧ ନମ୍ବର କରିବାକୁ ଆହ୍ବାନ ଦେଇଥିଲେ। ଉଦ୍‌ବୋଧନ ପ୍ରସଙ୍ଗରେ ସେ କହିଥିଲେ, ବାଲେଶ୍ୱର ଜିଲ୍ଲାକୁ ଗତ ୬ ମାସ ମଧ୍ୟରେ ବିଭିନ୍ନ ଯୋଜନାରେ ୧୦୩୮କୋଟି ଟଙ୍କା ଅନୁଦାନ ଦିଆଯାଇଛି। ବାଲେଶ୍ୱର ସହରର ପ୍ରତି ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ, ସଲ୍‌ଟ ରୋଡ୍‌ର ପ୍ରଶସ୍ତୀକରଣ, ଦରଘା ମଇଦାନର ଉନ୍ନତୀକରଣ, ବୁଢ଼ାବଳଙ୍ଗ ନଦୀର ବଳରାମଗଡ଼ିରେ ହାଇଲେବୁଲ୍‌ ବ୍ରିଜ୍‌, ଅତ୍ୟାଧୁନିକ ମାଛ ବଜାର, ପଞ୍ଚଲିଙ୍ଗେଶ୍ବର ଶୈବପୀଠର ସୌନ୍ଦର୍ଯ୍ୟୀକରଣ, କାଂଶବାଂଶ ନଦୀ ଉପରେ ପୋଲ ନିର୍ମାଣ ଆଦି ବାବଦରେ ଏ ସବୁ ଅନୁଦାନ ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ବାଲେଶ୍ୱରକୁ ବହୁତ ଭଲ ପାଆନ୍ତି। ତାଙ୍କୁ ଷଷ୍ଠଥର ପାଇଁ ସହଯୋଗ କରିବାକୁ ଶ୍ରୀ ପାଣ୍ଡିଆନ ନିବେଦନ କରିବା ସହ ଆଗାମୀ ନିର୍ବାଚନରେ ବିଜେଡିର ଜିତାପଟ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ବୁଥ୍‌ସ୍ତରରେ ଭୋଟ୍‌ ସମୀକ୍ଷା କରି ପୂର୍ବ ତୁଳନାରେ ଅଧିକ ୫ ପ୍ରତିଶତ ଭୋଟ୍‌ ଯେପରି ମିଳିପାରିବ, ସେ ଦିଗରେ ଧ୍ୟାନ ଦେବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ୍‌ ପଡ଼ିଥିବା ବ୍ୟକ୍ତିଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ‘ବିଏସ୍‌କେୱାଇ ନବୀନ କାର୍ଡ’ କରିଛନ୍ତି। କର୍ମୀମାନେ ଆଜିଠୁ ଘରକୁ ଘର ଯାଇ ୧୦ ଦିନ ମଧ୍ୟରେ ନାମ ପଞ୍ଜୀକରଣ କରିବାକୁ ସେ ପରାମର୍ଶ ଦେଇଥିଲେ।

ଆସନ୍ତା ଫେବ୍ରୁଆରି ମାସ ସୁଦ୍ଧା ଜିଲ୍ଲାରେ ‘ଲକ୍ଷ୍ମୀ’ ବସ ଗଡ଼ିବ। ମାତ୍ର ୫ ଟଙ୍କାରେ ମହିଳା ଓ ଛାତ୍ରଛାତ୍ରୀ ଗାଁରୁ ଆସିପାରିବେ। ଦିନକୁ ୩ ଥର ପଞ୍ଚାୟତକୁ ବସ ଚାଲିବାର ଯୋଜନା ରହିଛି। ଏଥିସହ ଭତ୍ତା ବୃଦ୍ଧି, ଏମ୍‌ବିକେ, ସିଆର୍‌ପି, କୃଷକ ସାଥୀ, ସ୍ୱଚ୍ଛସାଥୀ, ବ୍ୟାଙ୍କମିତ୍ର, ଅଙ୍ଗନବାଡ଼ି, ଆଶାକର୍ମୀମାନେ ଅଳ୍ପଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଖୁସି ଖବର ପାଇବେ ବୋଲି ଶ୍ରୀ ପାଣ୍ଡିଆନ ଘୋଷଣା କରିଥିଲେ। ଏହି ଅବସରରେ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶ୍ବିନୀ ପାତ୍ର, ମନ୍ତ୍ରୀ ପ୍ରତାପ ଦେବ, ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର ଜେନା, ମହିଳା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପରେ ୫-ଟି ଅଧ୍ୟକ୍ଷ ନୀଳଗିରି, ବାହାନଗା ଓ ସୋରଠାରେ ଆୟୋଜିତ ଦଳୀୟ ସମାବେଶରେ ଯୋଗ ଦେଇ ଆଗାମୀ ନିର୍ବାଚନ ନିମନ୍ତେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହାଛଡ଼ା ସଭାରେ ଉପସ୍ଥିତ ଜନସାଧାରଣଙ୍କଠାରୁ ଅଞ୍ଚଳର ସମସ୍ୟା ବାବଦରେ ଅଭିଯୋଗପତ୍ର
ଗ୍ରହଣ କରିଥିଲେ।