ସୁନ୍ଦରଗଡ଼: ସୁନ୍ଦରଗଡ ବାସୀ ହକିକୁ ଭଲପାଆନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ହକିକୁ ବହୁତ ଭଲ ପାଆନ୍ତି। ଏବେ ଏହି ଭଲପାଇବା ଆହୁରି ମଜବୁତ ହୋଇଛି। କାରଣ, କୋଟିଏ କି ଦୁଇକୋଟି ନୁହେଁ, ବିବିଧ ଯୋଜନା ଓ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାକୁ ୫୫୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ପାଇଁ ୩୫୦ କୋଟି ଓ ତଳସରା ବିଧାନସଭା କ୍ଷେତ୍ର ପାଇଁ ୨ଶହ କୋଟି ଟଙ୍କା ଦିଆଯାଇଛି। ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି କିରେଇ ଓ ବାଲିଶଙ୍କରାଠାରେ ଆୟୋଜିତ ସଭାରେ ଏମିତି କହିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

Advertisment

ଶ୍ରୀ ପାଣ୍ଡିଆନ କହିଥିଲେ, ୨୦୧୯ ହକି ବିଶ୍ବକପ ଆୟୋଜନ ପାଇଁ ଯେତେବେଳେ ଓଡିଶାକୁ ଚୟନ କରାଯାଇଥିଲା, ସେ ସମୟରେ ମୁଖ୍ୟମନ୍ତ୍ରୀ ଉଭୟ ଭୁବନେଶ୍ବର ଓ ସୁନ୍ଦରଗଡରେ ବିଶ୍ବକପର ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେ ସମୟରେ ହକି ବିଶ୍ବକପ ଆୟୋଜନ ପାଇଁ ସୁନ୍ଦରଗଡରେ ଆବଶ୍ୟକ ଭିତ୍ତିଭୂମି ନଥିଲା। ବିମାନବନ୍ଦର ନଥିଲା କି ଭଲ ହୋଟେଲ ବି ନଥିଲା। ମାତ୍ର ଚାରି ବର୍ଷ ମଧ୍ୟରେ ଏତେବଡ ଭିତ୍ତିଭୂମି ବିକାଶ କରାଯାଇପାରିବ କି ନାହିଁ ସେ ନେଇ ଏଫଆଇଏଚ୍‌ ସନ୍ଦେହ ପ୍ରକାଶ କରିଥିଲା। କିନ୍ତୁ ସୁନ୍ଦରଗଡ ହକିର ଏନ୍ତୁଡିଶାଳ ହୋଇଥିବାରୁ ସେଠାରେ ବିଶ୍ବକପର ଆୟୋଜନ ସୁନ୍ଦରଗଡ ପାଇଁ ଥିଲା ସମ୍ମାନର କଥା। ତା’ଭିତରେ ପୁଣି କୋଭିଡ ପାଇଁ କାମ ବନ୍ଦ ହେଲା। ମାତ୍ର ୧୫ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅକ୍ଲାନ୍ତ ଉଦ୍ୟମ ଓ ସୁନ୍ଦରଗଡବାସୀଙ୍କ ସହଯୋଗରୁ ତିଆରି ହେଲେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ। ସ୍ବାଧୀନତା ସଂଗ୍ରାମୀ ତଥା ଜନଜାତିଙ୍କ ଜନନାୟକ ବିର୍ଶାମୁଣ୍ଡାଙ୍କ ନାଁରେ ଏହି ଷ୍ଟାଡିଅମର ନାଁ ରଖାଗଲା। ରାଉରକେଲାରେ କାର୍ଯ୍ୟକ୍ଷମ ହେଲା ବିମାନବନ୍ଦର। ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ଷ୍ଡାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି ଏହି ଅବସରରେ ସୂଚନା ଦେଇଥିଲେ ଶ୍ରୀ ପାଣ୍ଡିଆନ।

କିରେଇ, ବାଲିଶଙ୍କରାରେ ବିଶାଳ ସମାବେଶ
ସୁନ୍ଦରଗଡ଼ବାସୀଙ୍କ ସବୁ ଆବେଦନ ସମାଧାନ ହେବ
ଫେବ୍ରୁଆରିରେ ଲକ୍ଷ୍ମୀ ବସ୍‌

ଶ୍ରୀ ପାଣ୍ଡିଆନ କହିଥିଲେ, ‘ଗତବର୍ଷ ମାର୍ଚ୍ଚ ୧୨ରେ ସୁନ୍ଦରଗଡ଼ ଆସିଥିବାବେଳେ ୧୬୦ଟି ସମସ୍ୟା ଓ ଅଭିଯୋଗପତ୍ର ପାଇଥିଲେ। ସେଥିରୁ ୧୪୦ଟିର ସମାଧାନ ହୋଇଯାଇଛି। ହେମଗିରି ହାଇସ୍କୁଲରେ ଚଳିତ ବର୍ଷଠାରୁ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ଖୋଲିବ। ଇବ ନଦୀ ଭଷ୍ମାଠାରେ ୨୬୦ କୋଟିର ବ୍ୟାରେଜ, ଅଘରିଆ ଭବନକୁ ୧ କୋଟି, ସମଲେଶ୍ବରୀ ମନ୍ଦିରର ଉନ୍ନତି ପାଇଁ ୧.୪୦ କୋଟି, କିରେଇ ନଗରବନକୁ ୩‌ କୋଟି, ହେମଗିରି ଭେଷଜ ପଟେଲ ମହାବିଦ୍ୟାଳୟ ରୂପାନ୍ତର ପାଇଁ ମଧ୍ୟ ଅର୍ଥ ମଞ୍ଜୁର କରାଯାଇଛି। ଆଜି ମଧ୍ୟ ବହୁ ସଂଖ୍ୟାରେ ଦରଖାସ୍ତ ଆସିଛି। ବିଶେଷ କରି ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୋଷ୍ଠୀ କେନ୍ଦ୍ର ଉନ୍ନତୀକରଣ ପାଇଁ ଆସିଥିବା ପ୍ରସ୍ତାବର ଭଲ ଖବର ମୁଖ୍ୟମନ୍ତ୍ରୀ ୧୦ ଦିନରେ ଦେବେ ଓ ଅନ୍ୟ ଦରଖାସ୍ତଗୁଡ଼ିକ ସମ୍ପର୍କରେ ମାସେ ମଧ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ନିଶ୍ଚୟ ଉତ୍ତର ମିଳିଯିବ। ୨ ମାସ ମଧ୍ୟରେ ଜିଲ୍ଲାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ବ୍ୟବସ୍ଥା ହେବ।

ଫେବ୍ରୁଆରିରୁ ସୁନ୍ଦରଗଡ଼ରେ ଲକ୍ଷ୍ମୀ ବସ ଗଡ଼ିବ। ଆସନ୍ତାକାଲି ଅର୍ଥାତ୍ ୪ ତାରିଖ ସକାଳେ ଶ୍ରୀ ପାଣ୍ଡିଆନ ସୁନ୍ଦରଗଡ଼ ସମଲେଶ୍ବରୀଙ୍କ ଦର୍ଶନ ସାରି ରାଜଗାଙ୍ଗପୁର, ନୂଆଗାଁ, ବଣାଇ ଯିବାର କାର୍ଯ୍ୟକ୍ରମ ରହିଛି। ସମାବେଶରେ ପୂର୍ବତନ ବିଧାୟକ ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା ଜିଲ୍ଲା ସଂଯୋଜକ ଯୋଗେଶ ସିଂ, ଉପନଗରପାଳ ଲଲାଟେନ୍ଦୁ ପରିଡ଼ା, ଛାତ୍ରନେତା ସହବାଜ ହୁସେନ, ଜୟନାରାୟଣ ତ୍ରିପାଠୀ, ବେଣୁଧର ତାଣ୍ଡିଆ, ସୁନୀଲ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।