ଭୁବନେଶ୍ବର: ହିତାଧିକାରୀଙ୍କଠାରୁ ଟଙ୍କା ମାଗିବା ସହ ଏକାଧିକ ଅଭିଯୋଗରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) ଅଧୀନରେ ପଞ୍ଜୀକୃତ ହୋଇଥିବା ୫ଟି ଘରୋଇ ହସ୍ପିଟାଲକୁ ବାଦ୍ ଦିଆଯାଇଛି। ଏଥିରେ ଛତିଶଗଡ଼ର ୪ଟି ଓ ଓଡ଼ିଶାର ଗୋଟିଏ ହସ୍ପିଟାଲ ରହିଛି। ଦେୟମୁକ୍ତ ଉଚ୍ଚମାନର ଚିକିତ୍ସା ପ୍ରଦାନର ସମସ୍ତ ଅଭିଯୋଗ ଓ ଅନିୟମିତତା ଉପରେ ତୁରନ୍ତ ଅନୁସନ୍ଧାନ କରି ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଶ୍ରୁତି ସମିତି (ସାସ୍) ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଗରିବ ଲୋକମାନଙ୍କୁ ସରକାରୀ ଖର୍ଚ୍ଚରେ ଦେୟମୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଏହି ହସ୍ପିଟାଲମାନେ ପଞ୍ଜୀକୃତ ହୋଇଥିଲେ। ସାସ୍’ର ଅଭିଯୋଗ-ପ୍ରତିବିଧାନ ଓ ଅନ୍ତଃ-ସତର୍କତା ବ୍ୟବସ୍ଥା ଏହି ହସ୍ପିଟାଲଗୁଡ଼ିକରେ କେତେକ ଅନିୟମିତତା ଲକ୍ଷ୍ୟ କରି ଅନୁସନ୍ଧାନ କରିଥିଲେ।
ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ସରକାରୀ ଡାକ୍ତରଖାନା ନାମରେ ମିଥ୍ୟା ରେଫରାଲ୍ ସ୍ଲିପ୍ ନେଇ ରେଫରାଲ୍ ପ୍ୟାକେଜରେ ରୋଗୀମାନଙ୍କୁ ଆଡମିସନ କରିବା, ଚିକିତ୍ସା ବାବଦ ବିଲ୍ରେ ଜାଲ୍ କାଗଜପତ୍ର ଦେବା, ଗରିବ ଓ ନିରୀହ ଲୋକଙ୍କଠାରୁ ଟଙ୍କା ନେବା, ହିତାଧିକାରୀମାନଙ୍କୁ ପ୍ରରୋଚିତ କରି ନିଜ ହସ୍ପିଟାଲରେ ଆଡମିସନ କରାଇବା ଆଦି ଅନିୟମିତତାରେ ସଂପୃକ୍ତ ହସ୍ପିଟାଲମାନେ ସାମିଲ ଥିବା ଜଣାପଡ଼ିଥିଲା। ବାଦ୍ ପଡ଼ିଥିଲା ହସ୍ପିଟାଲଗୁଡ଼ିକ ହେଉଛି ଛତିଶଗଡ଼ ରାୟପୁରସ୍ଥିତ ମିତ୍ତଲ ହସ୍ପିଟାଲ, ବନ୍ଥିଆ ହସ୍ପିଟାଲ, ସୋନି ହସ୍ପିଟାଲ ଓ ବାବୁଜୀ ହସ୍ପିଟାଲ। ସେହିପରି ଓଡ଼ିଶାର ଦେବଗଡ଼ ଜିଲ୍ଲାସ୍ଥିତ ସମଲେଶ୍ୱରୀ ନର୍ସିଂହୋମକୁ ମଧ୍ୟ ବାଦ୍ ତାଲିକାରୁ ବାଦ୍ ଦିଆଯାଇଛି। ତାଲିକାଭୁକ୍ତ ହସ୍ପିଟାଲମାନେ ଏଭଳି ଅନିୟମିତତାରେ ଲିପ୍ତ ରହିଲେ ଆଗାମୀ ଦିନରେ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ କରାଯାଇଛି।