ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣରେ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ବିଦ୍ୟାଳୟରେ ବ୍ୟବହାର ହେଉଥିବା ସାମଗ୍ରୀର ଗୁଣବତ୍ତା ଉପରେ ଧ୍ୟାନ ଦିଆଯାଉ ନାହିଁ। ଶସ୍ତା ନକଲି ବ୍ରାଣ୍ଡର ସାମଗ୍ରୀ ଲଗା ଯାଉଥିବାରୁ ଅନେକ ବିଦ୍ୟାଳୟରେ କାମ ସରୁସରୁ ସେସବୁ ଭାଙ୍ଗିରୁଜି ଯାଉଥିବା ଦେଖାଯାଇଛି। ଏବେ ତାର ସ୍ଥାୟିତ୍ବ ଉପରେ ପ୍ରଶ୍ନ ଉଠିଲାଣି। ବିଭାଗ ତରଫରୁ ରୂପାନ୍ତରୀକରଣ କାମରେ ଲାଗିଥିବା ସାମଗ୍ରୀ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଲଗାଇବାକୁ ନିର୍ଦେଶ ନଥିଲା। ଏହି ସୁଯୋଗରେ ନକଲି ସାମଗ୍ରୀ ଲଗାଇ ଲକ୍ଷଲକ୍ଷ ଟଙ୍କା ଯନ୍ତ୍ରୀ, ଠିକାଦାର, ଦୋକାନୀ ମିଳିମିଶି ଚଳୁ କରି ନେଇଥିବା ଅଭିଯୋଗ ହେଉଛି।
ନୂଆଗାଁ ବ୍ଲକ୍ ସୋରଡ଼ା ଉଚ୍ଚବିଦ୍ୟାଳୟରେ ୨୦୨୧ ଏପ୍ରିଲରୁ ୧.୩୦ କୋଟିରେ ୫-ଟି ରୂପାନ୍ତରୀକରଣ କାମ ଚାଲିଛି। କିନ୍ତୁ ୨ ବର୍ଷ ମଧ୍ୟରେ ମାତ୍ର ୫୦ ଭାଗ କାମ ସରିଛି। ଏଯାଏ କବାଟ, ଝର୍କା ଲାଗି ନାହିଁ। ୨ ମହଲା କୋଠାର ଭିତ୍ତିମୂଳ (ପ୍ଲିନ୍ଥ) ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ନାହିଁ। ଏହା କଡ଼େକଡ଼େ ମାଟି ଧସୁଥିବା ବେଳେ କୌଣସି ମୁହୂର୍ତ୍ତରେ କାନ୍ଥ ଭୁଶୁଡ଼ିବାର ଆଶଙ୍କା ଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଏହା ମଧ୍ୟରେ ସ୍ଥାନେ ସ୍ଥାନେ ଟାଇଲସ୍ ଭାଙ୍ଗି ଗଲାଣି। ତେବେ ବଡ଼କଥା ହେଲା କୋଠା କାମ ସରି ନଥିଲେ ମଧ୍ୟ ବର୍ଷେ ହେଲା ୯୨ ସେଟ୍ ବେଞ୍ଚଡେସ୍କ ଆଣି ଖୋଲା ବାରଣ୍ଡାରେ ପକାଇ ଦିଆଯାଇଛି। ସେଥିମଧ୍ୟରୁ କିଛି ବେଞ୍ଚଡେସ୍କକୁ
ପିଲା ଅଧାପନ୍ତରିଆ ଶ୍ରେଣୀକକ୍ଷରେ ପକାଇ ପଢ଼ୁଛନ୍ତି। କିନ୍ତୁ ଅଧାରୁ ଅଧିକ ବେଞ୍ଚଡେସ୍କ ଖରାବର୍ଷା ଖାଇ ନଷ୍ଟ ହେବାକୁ ବସିଲାଣି। ସୋରଡ଼ା ପରି ଲହୁଣିପଡ଼ା ବ୍ଲକ କୁଡ଼େଇକଳା ପଞ୍ଚାୟତ ଗଣିଘସା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ଟାଇଲସ ଓ ଅନ୍ୟ ଉପକରଣ ଲଗା ଯାଇଥିବା ଅଭିଯୋଗ ହୋଇଛି।
ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ତରଫରୁ ଗତ ୪.୬.୨୦୨୨ ରୂପାନ୍ତରୀକରଣରେ ବ୍ୟବହାର କରିବାକୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲା। କବାଟ ପ୍ଲାଏ ପେନାଲିଂ ବର୍ଗଫୁଟ ୫୦୭.୭୦ ଟଙ୍କା ରଖା ଯାଇଥିବାବେଳେ ଝରକା ପ୍ଲାଏ ପେନାଲିଂ ବର୍ଗଫୁଟ ୪୦୨.୭୫, କମ୍ପ୍ୟୁଟର ଫିକ୍ସିଂ ଟେବୁଲର ବର୍ଗଫୁଟ ମୂଲ୍ୟ ୧୫୧୯.୬୦, ବିଡବ୍ଲ୍ୟପି ପ୍ଲାଏଉଡ୍ ଲାଇବ୍ରେରି ବୁକ୍ସେଲ୍ଫର ବର୍ଗଫୁଟ ମୂଲ୍ୟ ୧୪୮୨, ଲାଇବ୍ରେରି କକ୍ଷରେ ଫିକ୍ସିଂ ସାଦା ଟେବୁଲର ବର୍ଗଫୁଟ ମୂଲ୍ୟ ୨୫୭୯.୫୦, ବକ୍ସ ଟେବୁଲର ବର୍ଗଫୁଟ ମୂଲ୍ୟ ୩୮୨୬.୮୫, ଆଇସିଟି ଲାବ୍ ଚେୟାର ୭୧୦୦, ଲାଇବ୍ରେରି ଚେୟାର ୪୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବ୍ରାଣ୍ଡ ଉଲ୍ଲେଖ ନଥିଲା। ଯାହା ଫଳରେ ଠିକାଦାର ନାମୀ କମ୍ପାନି କି ଅସଲି ସାମଗ୍ରୀ ପରିବର୍ତ୍ତେ ବଜାରର ଅତି ଶସ୍ତା ସାମଗ୍ରୀ ଲଗାଇ ସେହି ମୂଲ୍ୟରେ ବିଲ କରି ନେଉଥିବା ଅଭିଯୋଗ ହୋଇଛି।
ବିଭିନ୍ନ ନାମୀ କମ୍ପାନି ବା ବ୍ରାଣ୍ଡ ନାଁରେ ଶସ୍ତା ଓ ନକଲି ବ୍ରାଣ୍ଡର ପ୍ଲାଏରେ କାମ କରାଯାଉଛି। ଗ୍ରିନ ପ୍ଲାଏ କମ୍ପାନି ନାମରେ ୪୫ରୁ ୫୦ ଟଙ୍କିଆ ଏକ ଗ୍ରିନ ସୁପର ପ୍ଲାଏକୁ ଷ୍ଟେନସିଲ ମାରି ବ୍ୟବହାର କରାଯାଉଛି। ବଜାରରେ ୧୦ରୁ ୨୦ ବର୍ଷ ଗ୍ୟାରେଣ୍ଟି ଥିବା ଆଇଏସ୍ଓ ପ୍ରମାଣିତ କମ୍ପାନି ଥିଲେ ମଧ୍ୟ ବେନମୀ ପ୍ଲାଏକୁ ନାମୀ ଦର୍ଶାଇ ବ୍ୟବହାର କରାଯାଉଛି। କେବଳ ପ୍ଲାଏ ନୁହେଁ, ଲୁହା ସାମଗ୍ରୀରେ ମଧ୍ୟ ଗୁଣବତ୍ତାକୁ ଆଖି ବୁଜି ଦିଆଯାଇଛି। ଯାହା ଫଳରେ ଅନେକ ବିଦ୍ୟାଳୟର ଚକଚକିଆ କବାଟ, ଝରକା ପ୍ଲାଏ ଓ ଅଣଧାତବ ଲୁହା ସାମଗ୍ରୀ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ତେଣୁ ଜିଲ୍ଲାପାଳ ଏକ ବୈଷୟିକ କମିଟି ଗଠନ କରି ବ୍ଲକ୍, ପୂର୍ତ୍ତ ବିଭାଗ ଓ ସମଗ୍ର ଶିକ୍ଷା ଜରିଆରେ କରାଯାଉଥିବା କାମର ତଦନ୍ତ କରିବା ସହ ଗୁଣବତ୍ତା ଓ ଗ୍ୟାରେଣ୍ଟିଯୁକ୍ତ ସାମଗ୍ରୀ ବା ଉପକରଣ ବ୍ୟବହାର ପାଇଁ ନିର୍ଦେଶ ଦେବାକୁ ଦାବି ହେଉଛି।