ଛୁଟିର ଘଣ୍ଟା ପୂର୍ବରୁ ଘରକୁ ଛୁ’ : ୫ ସ୍କୁଲ୍‌ ଶିକ୍ଷକଙ୍କ ଦରମା ବନ୍ଦ

କେନ୍ଦ୍ରାପଡ଼ା : ଛୁଟି ଘଣ୍ଟା ପୂର୍ବରୁ ଆଗୁଆ ସ୍କୁଲ୍‌ ବନ୍ଦ କରୁଥିବା ଶିକ୍ଷକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ଧରାପଡ଼ିବାପରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଦରମା ବନ୍ଦ କରାଯାଇଥିବା ଜଣାପଡ଼ିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍କୁଲରେ ଶିକ୍ଷକମାନେ ପାଠପଢ଼ା ଅବଧି ଭିତରେ ରହୁନାହାନ୍ତି । ସକାଳୁଆ ପରୀକ୍ଷା ଚାଲୁଥିବାବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧିକାଂଶ ସ୍କୁଲରେ ତାଲା ପଡ଼ିଯାଉଛି। ଛୁଟି ଘଣ୍ଟା ବାଜୁ ନାହିଁ, ଅଥଚ ଶିକ୍ଷକ ଶ୍ରେଣୀ ଛାଡ଼ି ଘରକୁ ଚାଲି ଯାଉଛନ୍ତି। ଏଭଳି କେତେକ ଅଭିଯୋଗ ପାଇ ଗତକାଲି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ କେତେକ ସ୍କୁଲରେ ଚଢାଉ କରିଥିଲେ।

ଜିଲ୍ଲାପାଳ ରଘୁ ଜୀ ପ୍ରଥମେ ପହଞ୍ଚିଥିଲେ ପଟ୍ଟାମୁଣ୍ଡାଇ ମଦନପୁର ୟୁପି ସ୍କୁଲ ପରିସରରେ । ସେଠାରେ ୧୧ ଟା ପୂର୍ବରୁ ସ୍କୁଲରେ ତାଲା ପଡ଼ି ଯାଇଥିଲା। କୌଣସି ଶିକ୍ଷକଙ୍କୁ ଖୋଜି ପାଇ ନ ଥିଲେ। ଏଣେ ଜିଲ୍ଲା ଶିକ୍ଷାଧିକାରୀ ଉଦୟନାଥ ମାଝୀ ମଧ୍ୟ ଗରଦପୁର ବ୍ଲକ୍‌ରେ କେତେକ ସ୍କୁଲରେ ଅଚାନକ ପରିଦର୍ଶନ କରିଥିଲେ। ଉକ୍ତ ସ୍କୁଲଗୁଡ଼ିକରେ ମଧ୍ୟ ଅନୁରୂପ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । କେଉଁଠି ଜଣେ ତ କେଉଁଠି ଦୁଇ ଜଣ ଶିକ୍ଷକ ଥିଲେ । ଗରଦପୁର ବ୍ଲକ୍‌ର ଜୟପୁର ପ୍ରାଇମେରୀ ସ୍କୁଲ ଓ ବଙ୍ଗାଳପୁର ସ୍କୁଲରେ ଦିନ ୧୧ଟା ବେଳକୁ ତାଲା ପଡ଼ିଥିଲା । ସେଠାରେ କୌଣସି ଶିକ୍ଷକ ନ ଥିଲେ । ଏହା ପରେ ସେ ଗଜିପୁର ଓ ଧାନମଣ୍ଡଳ ପ୍ରାଇମେରୀ ସ୍କୁଲକୁ ଯିବା ବେଳେ ସମସ୍ତ ଶିକ୍ଷକ ଘରକୁ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଦୁଇ ଜଣ ଶିକ୍ଷକ ଉପସ୍ଥିତ ଥିଲେ । ସ୍କୁଲର ନିର୍ଦ୍ଧାରିତ ଛୁଟି ସମୟ ପୂର୍ବରୁ ଶିକ୍ଷକମାନେ କାହିଁକି ସ୍କୁଲ ଛୁଟି କରୁଛନ୍ତି ଓ ସ୍କୁଲ ହତା ଛାଡ଼ି ଯାଉଛନ୍ତି ବୋଲି ପ୍ରଶ୍ନ କଲାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ।

ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଶିକ୍ଷକମାନଙ୍କ ଦରମା ବନ୍ଦ କରାଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର