‘ଆୟୁଷ୍ମାନ’କୁ ୫ ରାଜ୍ୟର ପ୍ରତ୍ୟାଖ୍ୟାନ

କେନ୍ଦ୍ରୀୟ ସ୍କିମ୍‌କୁ ଓଡ଼ିଶା, ପଞ୍ଜାବ, ଦିଲ୍ଲୀ, କେରଳ, ତେଲେଙ୍ଗାନାର ନା

ଭୁବନେଶ୍ୱର: ବିଶ୍ୱର ସର୍ବଶ୍ରେଷ୍ଠ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନ ତଳେ ଆରମ୍ଭ କରିଥିବା କରିଥିବା ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ବା ‘ଆୟୁଷ୍ମାନ ଭାରତ’କୁ ଓଡ଼ିଶା ସମେତ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ଶାସିତ ଦିଲ୍ଲୀ, କଂଗ୍ରେସ ଶାସିତ ପଞ୍ଜାବ, ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆର୍‌ଏସ୍‌) ଶାସିତ ତେଲେଙ୍ଗାନା ଓ ବାମ ସାମୁଖ୍ୟ (ଏଲ୍‌ଡ଼ିଏଫ୍‌) ନେତୃତ୍ୱାଧୀନ କେରଳ ଆଦି ୫ଟି ରାଜ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏସବୁ ରାଜ୍ୟରେ ଅଣ-ବିଜେପି ଦଳ କ୍ଷମତାସୀନ ଥିବାରୁ ସେମାନଙ୍କ ବିରୋଧକୁ ରାଜନୈତିକ ରଂଗ ଦିଆଯାଉଛି। ମାତ୍ର ଆୟୁଷ୍ମାନ ଭାରତକୁ ବିରୋଧ କରି ସମ୍ପୃକ୍ତ ରାଜ୍ୟ ସରକାରମାନେ ଯେଉଁ ଯୁକ୍ତିର ଅବତାରଣା କରିଛନ୍ତି, ତାହାକୁ ଗୌଣ କରାଯାଇ ନପାରେ। ମୋଟାମୋଟି ଭାବେ ଆୟୁଷ୍ମାନ ଭାରତକୁ ବିରୋଧ କରିବା ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକାକୀ ହୋଇ ରହିନାହାନ୍ତି, ବରଂ ତାଙ୍କୁ ଚାରି ସାଥି ମିଳିଯାଇଛନ୍ତି। ବିଜୁ ଜନତା ଦଳ ଶାସନାଧୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୁଇଟି ବଳିଷ୍ଠ ଯୁକ୍ତି ହେଲା- ଆୟୁଷ୍ମାନ ଭାରତରେ ତାଙ୍କ ରାଜ୍ୟର ୬୦ ଲକ୍ଷ ପରିବାର ସାମିଲ୍‌ ହୋଇଥାନ୍ତେ। ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ସେ ଆଗୁଆ ପ୍ରଣୟନ କରିଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଉପକୃତ ହେବେ ୭୦ ଲକ୍ଷ ପରିବାର। ତାଙ୍କ ଦ୍ୱିତୀୟ ଯୁକ୍ତି ହେଲା-ଆୟୁଷ୍ମାନ ଭାରତରେ ହିତାଧିକାରୀ ପରିବାର ପିଛା ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସୁବିଧା ଧାର୍ଯ୍ୟ ହୋଇଛି। ମାତ୍ର ବିଜୁ ସ୍ୱାସ୍ଥ୍ୟ କଲାଣ ଯୋଜନାରେ ପରିବାରର ମହିଳା ରୋଗୀ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପାଇବେ। ସୁତରାଂ ନବୀନଙ୍କ ଯୋଜନା ଯେ ମୋଦୀଙ୍କ ଆୟୁଷ୍ମାନ ଭାରତ ଠାରୁ ଅଧିକ ଆଦୃତ-ସେଥିରେ ସନ୍ଦେହ ନାହିଁ। ଅପର ପକ୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗୋଟିଏ ବ୍ୟତିକ୍ରମ ହେଲା-ପ୍ରବାସୀ ଓଡ଼ିଆଙ୍କ ସମସ୍ୟା। କାରଣ କେନ୍ଦ୍ର ସରକାରଙ୍କ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ରେ ପ୍ରବାସୀ ଓଡ଼ିଆ ରୋଗୀ ସରକାରୀ ଚିକିତ୍ସା ସହାୟତା ପାଇବେ ନାହିଁ।

ମୋଦୀଙ୍କ ଆୟୁଷ୍ମାନ ଭାରତକୁ ପ୍ରତ୍ୟାଖ୍ୟାନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ଵାଲ୍‌ କହିଛନ୍ତି, ତାଙ୍କ ସରକାରଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଏହାଠାରୁ ଖୁବ୍‌ ଭଲ। ଆୟୁଷ୍ମାନ ଭାରତରେ ଦିଲ୍ଲୀର ୫୦ ଲକ୍ଷ ପରିବାରରୁ ମାତ୍ର ୬ ଲକ୍ଷ ପରିବାରକୁ ସହାୟତା ମିଳିବା ଲକ୍ଷ୍ୟ ଥିଲା। ତାଙ୍କ ସରକାରଙ୍କ ଯୋଜନାରେ ପ୍ରତ୍ୟେକ ଗରିବ ପରିବାରଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ନିଶ୍ଚିତ କରାଯାଇଛି। ଦେଶର ବହୁ ଅଗମ୍ୟ ଇଲାକାରେ ସର୍ବ ନିମ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି ନଥିବା ବେଳେ ରୋଗୀ କେନ୍ଦ୍ରୀୟ ସହାୟତାରେ ଚିକିତ୍ସା ସୁଯୋଗ ପାଇବେ କେମିତି? ଏହା କେବଳ ପ୍ରଚାରମୁଖୀ, ମୋଦୀଙ୍କର ଆଉ ଏକ ଜୁମ୍‌ଲା (ଭାଷଣବାଜି)। ବରଂ ଆୟୁଷ୍ମାନ ଭାରତ ଧଳା ହାତୀ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ତେଲେଙ୍ଗାନା ସରକାରଙ୍କ ଯୁକ୍ତି ହେଲା-ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ‘ଆରୋଗ୍ୟଶ୍ରୀ’ରେ ରାଜ୍ୟର ୮୦ ଲକ୍ଷ ପରିବାରଙ୍କ ପାଇଁ ଚିକିତ୍ସା ସହାୟତା ନିଶ୍ଚିତ କରାଯାଇଛି। ତେଣୁ ଆୟୁଷ୍ମାନ ଭାରତ ଏବେ ଗ୍ରହଣଯୋଗ୍ୟ ନୁହେଁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ବ୍ରହ୍ମ ମହିନ୍ଦ୍ରା କହିଛନ୍ତି, ରାଜ୍ୟ ସରକାର ବହୁ ପୂର୍ବରୁ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଣୟନ କରିଛନ୍ତି। ଆୟୁଷ୍ମାନ ଭାରତର ବୀମା ପ୍ରିମିୟମ୍‌ ବାବଦରେ କେନ୍ଦ୍ର ୬୦% ଓ ଅବଶିଷ୍ଟ ୪୦% ରାଜ୍ୟ ବହନ କରିବାକୁ ଯେଉଁ ସର୍ତ୍ତ ଅଛି, ସେଥିରେ ତାଙ୍କ ସରକାର ରାଜି ନୁହନ୍ତି।

ଆୟୁଷ୍ମାନ ଭାରତର କାର୍ଯ୍ୟକାରୀତାରେ ସନ୍ଦେହ ପ୍ରକଟ କରି ଏହାକୁ ଆରମ୍ଭରୁ ସାମାଲୋଚନା କରି ଆସିଛନ୍ତି କେରଳ ସରକାର। ଅର୍ଥ ମନ୍ତ୍ରୀ ଥୋମାସ୍‌ ଇସାକ୍‌ ଗାଣିତିକ ଯୁକ୍ତି ଦର୍ଶାଇ କହିଛନ୍ତି, କେନ୍ଦ୍ର ସରକାରଙ୍କ ‘ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା’ରେ ରୋଗୀ ପରିବାର ପିଛା ୩୦ ହଜାର ଟଙ୍କା ଲେଖାଏଁ ବୀମା ସହାୟତା ଧାର୍ଯ୍ୟ ହୋଇଥିଲା। ଏଥି ପାଇଁ ବୀମା ପ୍ରିମିୟମ୍‌ ବାବଦରେ ସରକାରଙ୍କୁ ଦେବାକୁ ପଡୁଥିଲା ୧୨୫୦ ଟଙ୍କା। କିନ୍ତୁ ଆୟୁଷ୍ମାନ ଭାରତ ବା ତଥାକଥିତ ‘ମୋଦୀ କେୟାର୍‌’ରେ ରୋଗୀ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସହାୟତା ଥିବା ବେଳେ ପ୍ରିମିୟମ୍‌ ଦେୟ ମାତ୍ର ୧୧୧୦ ଟଙ୍କା। କମ୍‌ ପ୍ରିମିୟମ୍‌ରେ ୧୬ ଗୁଣରୁ ଅଧିକ ବୀମା ମିଳିବ କେମିତି? ଜନସାଧାରଣଙ୍କ ଠାରୁ ଏହି ଜଟିଳ ପ୍ରଶ୍ୱର ଉତ୍ତର ପାଇବାକୁ ସେ କଟାକ୍ଷ କରି ପୁରସ୍କାର ଘୋଷଣା କରିଛନ୍ତି। ସବୁଠାରୁ ରୋଚକ ହେଲା-ଗତ ୨୩ ତାରିଖରେ ଆୟୁଷ୍ମାନ ଭାରତ ଆରମ୍ଭର ପରବର୍ତ୍ତୀ ଦୃଶ୍ୟ। ଯୋଜନା ଆରମ୍ଭ ହେବା ମାତ୍ରେ ବିଜେପି ଶାସିତ ଛତିଶଗଡ଼ରେ ଦୁରାରୋଗରେ ପୀଡ଼ିତ ରୋଗୀମାନେ ଦୁର୍ଦ୍ଦଶା ଭୋଗିଥିଲେ। ଗତ ୨୪ ତାରିଖରେ ରୋଗୀମାନେ ବୀମା ସୁବିଧା ଥିବା ହସ୍ପିଟାଲଗୁଡ଼ିକରେ ସ୍ମାର୍ଟ କାର୍ଡ଼ ଧରି ପହଞ୍ଚିବା ମାତ୍ରେ ସେମାନଙ୍କୁ ଶୁଣାଇ ଦିଆଯାଇଥିଲା ଯେ ଟଙ୍କା ଜମା କରିବ ତ ଚିକିତ୍ସା ପାଇଁ ଭିତରକୁ ଆସ, ନଚେତ ଫେରିଯାଅ। ନାସ୍ତିବାଣୀ ଶୁଣି ସେମାନେ ହସ୍ପିଟାଲ ଫାଟକରୁ ଫେରିବାକୁ ବାଧ୍ୟ ହୋଇଥିଲେ। ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ଅସହଯୋଗ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆର୍‌ ପ୍ରସନ୍ନା କହିଥିଲେ, ଏହା ଏକ କେନ୍ଦ୍ରୀୟ ଯୋଜନା। ଯୋଜନା ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ରାଜ୍ୟ ସରକାର ଯାହା କରିବା କଥା, ତାହା କରୁଛନ୍ତି। ତେବେ ଏଥିରେ ଥିବା ଦୋଷ-ତ୍ରୁଟି ସମ୍ପର୍କରେ ଭାରତୀୟ ମେଡ଼ିକାଲ ସଂଘ (ଆଇଏମ୍‌ଏ) କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ। ସେପଟେ ଛତିଶଗଡ଼ ଆଇଏମ୍‌ଏ ଶାଖାର ସଭାପତି ଅଶୋକ ତ୍ରିପାଠୀ କହିଛନ୍ତି, ଆୟୁଷ୍ମାନ ଭାରତରେ ପାଖାପାଖି ୮ଟି ବ୍ୟତିକ୍ରମ ଥିବାରୁ ହସ୍ପିଟାଲ୍‌ ବୋର୍ଡ଼ ଅସହଯୋଗ କରିବାକୁ ବାଧ୍ୟ ହୋଇଛି। ସୁଧାର ନଆସିବା ଯାଏ ଆୟୁଷ୍ମାନ ଭାରତ ସ୍ମାର୍ଟ କାର୍ଡ଼ରେ ଚିକିତ୍ସା ସେବା ଯୋଗାଇ ହେବ ନାହିଁ। ମୁଖ୍ୟତଃ ଜଟିଳ ରୋଗଗୁଡ଼ିକର ଚିକିତ୍ସା ବ୍ୟୟ ନିମନ୍ତେ କେନ୍ଦ୍ର ସରକାର ଯେଉଁ ପ୍ୟାକେଜ୍‌ ଧାର୍ଯ୍ୟ କରିଛନ୍ତି, ତାହା ଅବାସ୍ତବ। ସ୍ୱଳ୍ପ ପ୍ୟାକେଜ୍‌ରେ ଜଟିଳ ରୋଗଗୁଡ଼ିକର ଚିକିତ୍ସା ଅସମ୍ଭବ। ତେଣୁ ଏହାର ସଂଶୋଧନ ଜରୁରୀ। ପୁଣି ଯୋଜନା ପରିଚାଳନା ଲାଗି ସରକାରଙ୍କ ଦ୍ୱାରା ପ୍ରଦତ୍ତ ସଫ୍ଟେଓ୍ଵର୍‌ରେ ବ୍ୟାପକ ତ୍ରୁଟି ରହିଛି। ଏହାର ଉପଯୋଗ ସମୟସାପେକ୍ଷ। ଚିକିତ୍ସା ଆରମ୍ଭରୁ ରୋଗୀଙ୍କୁ ବିଦା କରିବା ଯାଏ ଅନେକ ସମୟ ବରବାଦ ହେଉଛି। ବେଳେ ବେଳେ ବିଲ୍‌ ପ୍ରଦାନକୁ ସଫ୍ଟାେଓ୍ଵର୍‌ ଗ୍ରହଣ କରୁନାହିଁ। ପୁଣି ଏଥିରେ ସହାୟତା କରିବାକୁ ‘ଆୟୁଷ୍ମାନ ମିତ୍ର’ ନିୟୋଜିତ ହୋଇନାହାନ୍ତି। ଏଭଳି ପରିସ୍ଥିତିରେ ଆୟୁଷ୍ମାନ ଭାରତ ସ୍ମାର୍ଟ କାର୍ଡ଼ କେବଳ ସରକାରୀ ହସ୍ପିଟାଲ୍‌ରେ ଚାଲିପାରେ, ମାତ୍ର ଘରୋଇ ହସ୍ପିଟାଲରେ ହିତାଧିକାରୀଙ୍କ ଚିକିତ୍ସା ଏବେ ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର