କେନ୍ଦୁଝର: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବି.ଟେକ୍ ପାସ୍‌ କରିଥିବା ୫ଜଣ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯିବେ। ସେମାନେ ଅଷ୍ଟ୍ରେଲିଆର ପର୍ଥରେ ଥିବା କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବେ। ଏହି ଛାତ୍ରଛାତ୍ରୀମାନେ ହେଲେ, ମିନର୍ଭା ସାହୁ, ଅଦ୍ୱିକ କୁମାର, ଆକିବ ଅହମ୍ମଦ, ଗୀତୀଶ ଶେଖର ନାୟକ ଓ ସରୋଜ କୁମାର ବିଶ୍ୱକର୍ମା। ସେମାନଙ୍କ ପାଠପଢ଼ା, ରହିବା ଓ ଯାତାୟାତ ଖର୍ଚ୍ଚ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ ବୋଲି ଜଣାପଡ଼ିଛି। ଗତକାଲି ଏହି ୫ଜଣ ଛାତ୍ରଛାତ୍ରୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। କେନ୍ଦୁଝର ଜିଲ୍ଲାର ଏହି ଛାତ୍ରଛାତ୍ରୀ ଅଷ୍ଟ୍ରେଲିଆର କର୍ଟିନ୍ ବିଶ୍ୱବିଦ୍ୟାଳୟ ଅଧୀନ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ, ମିନେରାଲ୍ସ, ଏନର୍ଜି ଆଣ୍ଡ କେମିକାଲ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ଲାଭ କରିବେ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କଠିନ ପରିଶ୍ରମ କରି ନିଜ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment

ସୂଚନ‌ାଯୋଗ୍ୟ, କର୍ଟିନ୍ ବିଶ୍ୱବିଦ୍ୟାଳୟ ବିଭିନ୍ନ ଉଦ୍ୟୋଗମାନଙ୍କ ସହ ସମ୍ପର୍କ, ଉଚ୍ଚପ୍ରଭାବ ଅନୁସନ୍ଧାନ ଓ ନୂତନ ପାଠ୍ୟକ୍ରମର ବିସ୍ତୃତ ଶୃଙ୍ଖଳା ପାଇଁ ସମଗ୍ର ବିଶ୍ୱରେ ପରିଚିତ। କେନ୍ଦୁଝରର ଛାତ୍ରଛାତ୍ରୀ ପ୍ରଫେସନାଲ୍ ମାଇନିଂ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରି ହାସଲ ପାଇଁ ଅଷ୍ଟ୍ରେଲିଆ ଯିବେ। ଏଥିପାଇଁ ୱେଷ୍ଟ୍ ଅଷ୍ଟ୍ରେଲିଆନ୍ ସ୍କୁଲ୍ ଅଫ୍ ମାଇନ୍ସ ସହ କେନ୍ଦୁଝର ଜିଲ୍ଲା ପ୍ରଶାସନର ବୁଝାମଣା ହୋଇଛି। ପର୍ଥ ଓ ପଶ୍ଚିମ ଅଷ୍ଟ୍ରେଲିଆର ଐତିହାସିକ ଖଣି ସହର କଲଗୁର୍ଲିରେ ଏହାର କ୍ୟାମ୍ପସ୍ ରହିଛି। ଯେଉଁଠାରେ ଖଣିଭିତ୍ତିକ ଗବେଷଣାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବାରେ ଏହି ଶିକ୍ଷାନୁଷ୍ଠାନର ଭଲ ରେକର୍ଡ ମଧ୍ୟ ରହିଛି। କେନ୍ଦୁଝର ଏକ ଜନଜାତି ବହୁଳ ଜିଲ୍ଲା। ଏଠାରେ ପ୍ରଚୁର ଖଣିଜ ସମ୍ପଦ ରହିଛି। ଜିଲ୍ଲାର ଶୈକ୍ଷିକ ବାତାବରଣକୁ ଉତ୍କୃଷ୍ଟ କରିବା ଓ ଏଠାକାର ଯୁବପିଢ଼ିଙ୍କୁ ସଶକ୍ତ କରିବାପାଇଁ ଏହା ଏକ ସୁଯୋଗ। ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ ଉପସ୍ଥିତ ଥିଲେ।