ସୋର : ମାଲକାନଗିରି ପରେ ଏବେ ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ପୁରୁବାଈ କନ୍ୟାଶ୍ରମର ଅସୁସ୍ଥ ଛାତ୍ରୀଙ୍କ ମଧ୍ୟରୁ ୫ଜଣ ମାରାତ୍ମକ ଜାପାନିଜ୍ ଏନ୍ସେଫାଲାଇଟିସ୍ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କଟକ ଏସ୍ସିବିରେ ଅସୁସ୍ଥ ଛାତ୍ରୀମାନଙ୍କ ରକ୍ତନମୁନା ପରୀକ୍ଷାରୁ ଏହା ଜଣାପଡ଼ିଛି। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ଶିନ୍ଧେ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀ କନ୍ୟାଶ୍ରମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ, ମଶା ଦ୍ବାରା ଜାପାନିଜ୍ ଏନ୍ସେଫାଲାଇଟିସ୍ ଜ୍ବର ବ୍ୟାପୁଥିବା ଯୋଗୁ ଅପରିଷ୍କାର ଅବସ୍ଥାରେ ଥିବା କନ୍ୟାଶ୍ରମ ପରିସରକୁ ଆଜି ପୌରପାଳିକା ପକ୍ଷରୁ ସଫେଇ କରାଯାଇଛି।
ବାଲେଶ୍ବର, ସୋରରେ ୩୦ ଛାତ୍ରୀ ଚିକିତ୍ସାଧୀନ
ଆଉ ୫ ଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି
ସୂଚନା ଅନୁସାରେ, ଗତ ଗୁରୁବାର ରାତିରେ ଆଶ୍ରମର ୩ ଜଣ ଅନ୍ତେବାସୀଙ୍କୁ ଜ୍ବର ସହିତ ଘନଘନ ବାନ୍ତି ହୋଇଥିଲା। ଅସୁସ୍ଥ ଛାତ୍ରୀମାନଙ୍କୁ ସୋର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ ବାଲେଶ୍ବର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଥିଲା। ଅସୁସ୍ଥ ଥିବା ଅନ୍ୟ ୨୭ ଜଣ ଅନ୍ତେବାସୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ୨୯ ଜଣଙ୍କର ରକ୍ତନମୁନା ରିପୋର୍ଟ ଆସିଥିଲା। ରିପୋର୍ଟରେ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୫ ଜଣ ଅନ୍ତେବାସୀ ଜାପାନିଜ୍ ଏନ୍ସେଫାଲାଇଟିସ୍ (ଜେଇ)ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଫଳରେ ୫ ଜଣ ଆକ୍ରାନ୍ତଙ୍କ ସହ ଅନ୍ୟ ଜଣେ ଗୁରୁତର ଅନ୍ତେବାସୀଙ୍କୁ ବାଲେଶ୍ବର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଆଜି ସଂଧ୍ୟାରେ ଆଉ ଜଣେ ଅସୁସ୍ଥ ଅନ୍ତେବାସୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି, ବିଳମ୍ବିତ ରାତିରେ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୪ଜଣଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ସୋର ଡାକ୍ତରଖାନାରେ ୨୦ ଜଣ ଓ ବାଲେଶ୍ବର ଡାକ୍ତରଖାନାରେ ୧୦ ଜଣ ଅନ୍ତେବାସୀ ଚିକିତ୍ସାଧୀନ ଅଛନ୍ତି।