ଛୁଟି ବାତିଲ୍‌ ସତ୍ତ୍ବେ ଯୋଗ ଦେଲେନି, ୫ଜଣ ନିଲମ୍ବିତ ୮ଙ୍କୁ କାରଣ ଦର୍ଶାଅ

ପାରଳାଖେମୁଣ୍ଡି: ବାତ୍ୟା ପେଥାଇ ପ୍ରଭାବରେ ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବାତ୍ୟାର ପ୍ରକୋପ ନଥିଲେ ମଧ୍ୟ ଏହା ପ୍ରଭାବରେ ଦୁଇ ଦିନ ହେଲା ଲଗାଣ ବର୍ଷା ଓ ପବନ ସାଧାରଣ ଜୀବନଯାତ୍ରା ବ୍ୟାହତ କରିଛି। ଏଣେ ପେଥାଇ ଜନିତ ବିପର୍ଯ୍ୟୟ ମୁକାବିଲ ଲାଗି ଜିଲ୍ଲା ପ୍ରଶାସନ ସବୁ ସରକାରୀ ଅଫିସ କର୍ମଚାରୀ ଓ ବିଦ୍ୟାଳୟ ଶିକ୍ଷକଙ୍କ ଛୁଟି ବାତିଲ କରିଥିବାବେଳେ କାର୍ଯ୍ୟରେ ଅବହେଳା ଲାଗି ୫ ଜଣଙ୍କୁ ଜିଲ୍ଲାପାଳ ନିଲମ୍ବିତ କରାଯାଇଛି। ସେହିଭଳି, ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ୧୩,୪୬୭ ଲୋକଙ୍କୁ ସ୍ଥାନାନ୍ତର କରି ୧୭୪ଟି ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି। ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିପାଇଁ ସମସ୍ତ ସରକାରୀ କର୍ମଚାରୀ, ଶିକ୍ଷକଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତ ବିଦ୍ୟାଳୟ ଖୋଲା ରଖିବା ଏବଂ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ସେଠାରେ ରନ୍ଧା ଖାଦ୍ୟ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ହେ‌ଲେ, ଗତ ରବିବାର ରାୟଗଡ଼ ବ୍ଳକ କଇଁପୁର ବିଦ୍ୟାଳୟ ବନ୍ଦ ରହିଥିଲା। ଜିଲ୍ଲାପାଳ ଅନୁପମ ଶାହା ପରିଦର୍ଶନ କଲା ବେଳେ ବିଦ୍ୟାଳୟ ବନ୍ଦ ରହିଥିବା ଦେଖି ଶିକ୍ଷକ ଜିତେନ ପାଣି, ନମିତା ଦାସ, ମଞ୍ଜରୀ ଶବର, ସୁଭଦ୍ରା ଶବରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପେଣ୍ଟୟା କାର୍ଜୀଙ୍କୁ ନିଲମ୍ବିତ କରିଛନ୍ତି। ସେହିଭଳି, ନୂଆଗଡ଼ ବ୍ଳକ ଅତିରିକ୍ତ ଶିକ୍ଷାଧିକାରୀ ଏନ.ବିମଳ, ଶିକ୍ଷା ଅଧିକାରୀ ବ୍ରଜ ନାୟକ ଏବଂ ରା.ଉଦୟଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ବନାଥ ଭୂୟାଁଙ୍କୁ ମଧ୍ୟ ସେ କାରଣ ଦର୍ଶଅ ନୋଟିସ ଜାରି କରିଛନ୍ତି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସୂଚନା ଦେଇଛନ୍ତି। ଆଜି ଦାୟିତ୍ବରେ ଅବହେଳା ଲାଗି ଗୋଷାଣୀ ବ୍ଲକ ଜଙ୍ଗଲପାଡୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଳ କୁମାର ପଣ୍ଡା, ସହକାରୀ ଶିକ୍ଷକ ସୁଶାନ୍ତ ଜେନା, ଦେଉଳା ବିଦ୍ୟାଳୟର ସହକାରୀ ଶିକ୍ଷକ ପଦ୍ମନାଭ ଗୌଡ଼, ଏନ. ନାନା ରାଓଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର