ବିଶୃଙ୍ଖଳିତ ଆଚରଣ ପାଇଁ ଜେଏମ୍ଏ‌ମ୍‌ରୁ ୫ ନିଲମ୍ବିତ

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ପିସିଏମ୍ କଲ୍ୟାଣ ମଣ୍ଡପ ପରିସରରେ ‌ଗତକାଲି ପଶ୍ଚିମ ମୟୂରଭଞ୍ଜ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍) ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନ ବାବଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜେଏମ୍‌ଏମ୍‌ ରାଜ୍ୟ ସଭାପତି ଅଂଜନୀ ସୋରେନ, ସଚିବ ଇଂ. ରାମଚନ୍ଦ୍ର ହାଁସଦା, ସାଂଗଠନିକ ସଂପାଦକ ଦୁବରାଜ ନାଗ, ଉପସଭାପତି ପ୍ରହଲ୍ଲାଦ ପୂର୍ତି, ଶ୍ୟାମଚରଣ କିସ୍କୁ, ସାଲୁ କିସ୍କୁଙ୍କ ସହ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ଚାଲିଥିବା ବେଳେ ବିଶୋଇ ଜେଏମ୍‌ଏମ୍‌ର ସୁନାରାମ ହେମ୍ବ୍ରମ ଓ ମଙ୍ଗଲ ମୁର୍ମୁ ଏବଂ ସାରସକଣା ମେଏମ୍‌ଏମ୍‌ର ଗୋପାଲ ମୁର୍ମୁ, ସୂର୍ଯ୍ୟ ମୁର୍ମୁ ଓ ବନ୍ଧନ ସିଂ ଗଣ୍ଡଗୋଳ କରିବା ସହ ଦଳର ନେତୃବୃନ୍ଦଙ୍କୁ ଅସମ୍ମାନ କରିଥିଲେ। ଫଳରେ ଦଳର ରାଜ୍ୟ ସଭାପତିଙ୍କ ସହ ଅନ୍ୟ ନେତାମାନେ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ।

ତେବେ ଏହି ବିଶୃଙ୍ଖଳାକୁ ନେଇ ଆଜି ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନଙ୍କ କୁସୁମୀ ବ୍ଲକ୍‌ ଅନ୍ତର୍ଗତ ଘୋଡ଼ା‌ଡ଼େଗା ଗ୍ରାମସ୍ଥ ନିଜ ବାସଭବନରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ରାଜ୍ୟ ସଭାପତି ଦଳଠାରୁ କେହି ଊର୍ଦ୍ଧ୍ବରେ ନୁହଁନ୍ତି। ଦଳରେ ବିଶୃଙ୍ଖଳାକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ। ଗତକାଲିର ଘଟଣାକୁ ନେଇ ବିଶୃଙ୍ଖଳାକାରୀଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରାଯିବା ସହ ମୟୂରଭଂଜ ଜିଲ୍ଲାର ସମସ୍ତ ଦଳୀୟ ଛାମୁଆ ସଂଗଠନକୁ ଭଙ୍ଗ କରାଗଲା ଏବଂ ଆସନ୍ତା ୧୫ ଦିନ ମଧ୍ୟରେ ନୂତନ କମିଟି ଗଠନ ହେବ ବୋଲି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତି, ଶ୍ୟାମଚରଣ କିସ୍କୁ, ଅମିତ ଶର୍ମା, ସାଂଗଠନିକ ସଂପାଦକ ଦୁବରାଜ ନାଗ, ସାଲୁ କିସ୍କୁ, କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର ତଥା ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର