୫–ଟି ସଚିବଙ୍କ କେନ୍ଦ୍ରାପଡ଼ା ଗସ୍ତ: ନୂଆ ହସ୍ପିଟାଲ ନିର୍ମାଣ ବିଳମ୍ବ ନେଇ ଅସନ୍ତୋଷ

କେନ୍ଦ୍ରାପଡା: ସରକାରୀ ଯୋଜନାର ରୂପାୟନ ଏବଂ ଚାଲିଥିବା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଆଜି ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ତଥା ଉନ୍ନୟନ କମିସନର୍ ସୁରେଶ ମହାପାତ୍ର, ‘୫-ଟି’ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଏବଂ ଜାତୀୟ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ମିସନ୍ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ତିତ୍ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ନୂଆ ହସ୍ପିଟାଲ ନିର୍ମାଣ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ୨୦୨୦ ମସିହା ସୁଦ୍ଧା ଉଦ୍‌ଘାଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

‘ମୋ ସରକାର’ ଯୋଜନାରେ ଚାଲିଥିବା ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଆଜି ଦିନ ପ୍ରାୟ ୧୦ଟା ୪୦ରେ ଏହି ଟିମ୍ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମେଡିସିନ୍, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ଚକ୍ଷୁରୋଗ ବିଭାଗ ବୁଲିବା ସହ ରୋଗୀମାନଙ୍କୁ ଭେଟି ସେମାନଙ୍କର ମତାମତ ନେଇଥିଲେ। ଚିକିତ୍ସା ସୁବିଧା ଠିକ୍ ଭାବେ ମିଳୁଛି କି ନାହିଁ , ବାହାରୁ ଔଷଧ କିଣୁଛନ୍ତି କି, ଡାକ୍ତରମାନେ ଚିକିତ୍ସା ପାଇଁ ଟଙ୍କା ମାଗୁଛନ୍ତି କି, ଘରୋଇ ଡାକ୍ତରଖାନା ନେବାକୁ କେହି ପ୍ରଭାବିତ କରୁଛନ୍ତି କି… ଏଭଳି ପ୍ରଶ୍ନ ପଚାରିଥିଲେ। ପ୍ରାୟ ଏକ ଘଣ୍ଟା କାଳ ୱାର୍ଡ ବୁଲି ରୋଗୀଙ୍କ ଠାରୁ ତଥ୍ୟ ସଂଗ୍ରହ କଲାବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ଏକ ନବଜାତକର ମୃତ୍ୟୁ ଘଟଣାରେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ କାହିଁକି ବୋଲି ଜଣେ ବ୍ୟକ୍ତି ଶ୍ରୀ ପାଣ୍ଡିଆନଙ୍କୁ ପଚାରିଥିଲେ। ଅଭିଯୋଗର ପ୍ରମାଣ ଥିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ତାଙ୍କୁ ଆଶ୍ବାସନା ଦେଇଥିଲେ।

ପରେ ଏହି ଟିମ୍ ଇଚ୍ଛାପୁର ଯାଇ ସିଦ୍ଧ ବଳଦେବଜିଉଙ୍କ ଦର୍ଶନ କରିଥିଲେ। ପରେପରେ ଶ୍ୟାମଗୁଡ଼ିଆ ନିକଟରେ ନିର୍ମାଣାଧୀନ ନୂଆ ଡାକ୍ତରଖାନା କୋଠାର ଯାଞ୍ଚ କରିବାକୁ ଯାଇ କାର୍ଯ୍ୟ ବିଳମ୍ବକୁ ନେଇ ବିରକ୍ତି ପ୍ରକାଶ କରିଥିଲେ। କାମ ବିଳମ୍ବ ପଛରେ ଠିକାସଂସ୍ଥାର ମନମାନି ଓ ପ୍ରାପ୍ୟ ପ୍ରଦାନରେ ବିଳମ୍ବ କାରଣ ବୋଲି କେତେକ କର୍ମଚାରୀ ସୂଚନା ଦେଇଥିଲେ। ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଚିବ ଜିଲ୍ଲାପାଳଙ୍କୁ ନିେର୍ଦ୍ଦଶ ଦେବା ସହ ୨୦୨୦ ମାର୍ଚ ସୁଦ୍ଧା ନୂଆ ହସ୍ପିଟାଲର ଉଦ୍‌ଘାଟନ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ଏହି ଟିମ୍ ଜଂଟିଲୋ ଡାକବଙ୍ଗଳାରେ ପହଁଚି ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଫେରି ଯାଇଥିଲେ। ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଊର୍ମିଳା ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର କିଶୋର ଆଚାର୍ଯ୍ୟଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର