ପୁରୀ: ଆଜି ସକାଳେ ୫-ଟି ସଚିବ ଭି କେ ପାଣ୍ଡିଆନ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ନିର୍ମାଣ ଚାଲିଥିବା ପରିକ୍ରମା ପ୍ରକଳ୍ପ ସହ ପ୍ରାୟ ୪ଶହ କୋଟି ଟଙ୍କା ବ୍ୟୟରେ ବାସେଳିସାହି ଥାନା ପଛପାର୍ଶ୍ବରେ ନିର୍ମାଣ ହେଉଥିବା ଧର୍ମଶାଳା, ସମଙ୍ଗ ବହୁତଳ ପାର୍କିଂ, ଜଗନ୍ନାଥବଲ୍ଲଭ ପାର୍କିଂ, ଶ୍ରୀସେତୁ ପ୍ରକଳ୍ପ ଆଦି ବୁଲି ଦେଖିଛନ୍ତି। ରଥଯାତ୍ରା ପୂର୍ବରୁ ଶ୍ରୀସେତୁର ଗୋଟିଏ ପାର୍ଶ୍ବ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳକୁ ସଂଯୋଗ କରିବା କାମ ଶେଷ କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବାସେଳିସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱରସାହି-୨ରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ରହିବା ପାଇଁ ୧୦ ଏକର ଜାଗାରେ ଧର୍ମଶାଳା ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୩୫ କୋଟି ଟଙ୍କା ବ୍ୟୟ କରାଯିବ। ୫ଟି ବ୍ଲକ୍‌ ବିଶିଷ୍ଟ ଏହି ଧର୍ମଶାଳାରେ ୩୭୦୦ ଯାତ୍ରୀ ରହିବାର ବ୍ୟବସ୍ଥା କରାଯିବ। ଶ୍ରୀ ପାଣ୍ଡିଆନ୍‌ ଆଜି ସକାଳେ ଧର୍ମଶାଳା ନିର୍ମାଣ ସ୍ଥଳ ବୁଲି ଦେଖିବା ସହ ଅଧିକାରୀଙ୍କଠାରୁ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି। ସମଙ୍ଗ ମୌଜାର ୪୩ ଏକର ପରିମିତ ଅଞ୍ଚଳରେ ୬୭ କୋଟି ଟଙ୍କା ବ୍ୟୟରେ ପାର୍କିଂ ସ୍ଥଳର ବ୍ୟବସ୍ଥା କରାଯାଉଛି। ଏଠାରେ ୪୨୦ଟି ବସ୍‌, ୨୫୮ ଅଟୋ, ୫୪୯ଟି ଚାରିଚକିଆ ଗାଡ଼ୀ ଓ ୧୦୫୪ଟି ଦୁଇ ଚକିଆ ଯାନର ପାର୍କିଂ ବ୍ୟବସ୍ଥା କରାଯାଉଛି। ଶ୍ରୀ ପାଣ୍ଡିଆନ୍‌ ଏହି ଅଞ୍ଚଳ ବି ବୁଲି ଦେଖିଛନ୍ତି। ପ୍ରାୟ ୧୬୧ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଶ୍ରୀସେତୁର ଗୋଟିଏ ପାର୍ଶ୍ୱ ଜଗନ୍ନାଥବଲ୍ଲଭ ପାର୍କିଂ ସ୍ଥଳକୁ ରଥଯାତ୍ରା ପୂର୍ବରୁ ସଂଯୋଗ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସିର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀଙ୍କ ସମେତ ଅନ୍ୟ ଅଧିକାରୀ, ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।