ଅନୁଗୁଳ: ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ତାଳଚେର ଠାରେ ନିର୍ମାଣାଧୀନ କୋଭିଡ ହସ୍ପିଟାଲର ଅଗ୍ରଗତି କେମିତି ଚାଲିଛି, ସେନେଇ ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ୨ ଜଣ ବରିଷ୍ଠ ଅଧିକାରୀ ଆଜି ଅପରାହ୍ନରେ ତାଳଚେର ଠାରେ ପହଞ୍ଚି ଥିଲେ । ସେଠାରେ ପହଞ୍ଚିବା ପରେ ନିର୍ମାଣ କାର୍ଯ୍ୟ ସଂପର୍କିତ ସମୀକ୍ଷା କରିଥିଲେ । ଶ୍ରୀ ପାଣ୍ଡିଆନ ଓ ଶ୍ରୀ ମହାପାତ୍ରଙ୍କ ସହିତ ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି, ଏସ୍ପି ଜଗମୋନହ ମୀନା ଓ ସିଡିଏମ୍ଓ ଡ. ପ୍ରତାପ ବେହେରା ଉପସ୍ଥିତ ଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲାର ତାଲଚେର ଠାରେ ମହାନଦୀ କୋଲଫିଲ୍ଡ ଲିମିଟେଡର ସହାୟତାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ ଚାଲିଛି । ଏଥିରେ ୬ ଆଇସିୟୁ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୦ ତାରିଖରେ ଏହି ହସ୍ପିଟାଲର ଉଦଘାଟନ ହେବ । ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲ ତାଳଚେର କୋଭିଡ ହସ୍ପିଟାଲକୁ ସେବା ଯୋଗାଇବ । ଏଥିପାଇଁ କିଛି ଡାକ୍ତର ଓ ନର୍ସ ଯୋଗାଇବ । ଏମସିଏଲ ଆର୍ଥିକ ସହଯୋଗ କରିବ । ରାଜ୍ୟ ସରକାର ଅବଶିଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇବେ । ଏନେଇ ଖୁବ ଶୀଘ୍ର ରାଜ୍ୟ ସରକାର, ଏମସିଏଲ ଓ ସମ ହସ୍ପିଟାଲ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ହେବ ।
ତାଳଚେର ଠାରେ ପହଞ୍ଚିବା ପୂର୍ବରୁ ଶ୍ରୀ ପାଣ୍ଡିଆନ ଓ ଶ୍ରୀ ମହାପାତ୍ର ଢେଙ୍କାନାଳସ୍ଥିତ କୋଭିଡ ହସ୍ପିଟାଲରେ ପହଞ୍ଚିଥିଲେ । ସ୍ଥାନୀୟ ମିନି ଷ୍ଟାଡିୟମରେ ହେଲିକପ୍ଟରରୁ ଅବତରଣ କରିବା ପରେ ବାଜିଚୌକଠାରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମିତ କୋଭିଡ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଆନୁସଙ୍ଗିକ ବ୍ୟବସ୍ଥା ଓ ସ୍ଥିତି ନେଇ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଓ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସହ ଆଲୋଚନା କରିଥିଲେ ।