ଗାଡ଼ି ଜବତ ହେଲା, ଲାଠିମାଡ଼ ବି ଖାଇଲେ
ଜବତ ଗାଡ଼ିରେ ଥାନା ଭର୍ତ୍ତି
କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସର ସଜବାଜ
୨୪ ଘଣ୍ଟାରେ ୨୪୯ ଲକଡାଉନ୍ ମାମଲା
ଭୁବନେଶ୍ବର : କରୋନାକୁ ହରାଇବାକୁ ହେଲେ ସାମାଜିକ ଦୂରତ୍ବ ଏକମାତ୍ର ବାଟ ବୋଲି ବାରମ୍ବାର ରାଜ୍ୟବାସୀଙ୍କୁ ଅନୁରୋଧ କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପାଖ ମାର୍କେଟକୁ ଚାଲି ଚାଲି ଯିବାକୁ ପୁଲିସ ଓ ପ୍ରଶାସନ ବାରମ୍ବାର ଅନୁରୋଧ କରୁଛନ୍ତି। କିନ୍ତୁ ଜନତା ମାନିବାକୁ ନାରାଜ। ପୁଣି ଅମାନିଆ ହୋଇଛନ୍ତି ଗାଡ଼ି ଚାଳକ। ଭୁବନେଶ୍ବର ଓ କଟକ ଦ୍ବୈତନଗରୀରେ ଗତକାଲି ରାତିରେ ୪୮ଘଣ୍ଟିଆ ସଟଡାଉନ୍ ଅବଧି ଶେଷ ହେବା ପରେ ଆଜି ସକାଳୁ ସକାଳୁ ରାଜରାସ୍ତାକୁ ଗାଡ଼ି ଧରି ଛୁଟିଥିଲେ ଲୋକେ। କିଏ ପରିବା କିଣିବା ପାଇଁ ଧାଇଁଥିଲା ତ ଆଉ କିଏ ସଉଦା ଓ ମେଡିସିନ୍। ପାଖ ମାର୍କେଟ୍ରେ ମିଳୁଥିଲେ ବି ୧ ନମ୍ବର ହାଟ ସମେତ ହୋଲସେଲ୍ରେ ସାମଗ୍ରୀ ବିକ୍ରି ହେଉଥିବା ସ୍ଥାନକୁ ଲୋକଙ୍କ ସୁଅ ଛୁଟିଥିଲା। ଖାଲି ଭୁବନେଶ୍ବର କି କଟକ ନୁହେଁ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ବ୍ରହ୍ମପୁର, ଗଞ୍ଜାମ, ବଲାଙ୍ଗୀର, ସମ୍ବଲପୁର, ପୁରୀ ସବୁଠି ଲୋକ ଗାଡ଼ି ଧରି ରାଜରାସ୍ତାରେ ବୁଲିବା ମହଙ୍ଗା ପଡ଼ିଛି। ଗୋଟିଏ ଦିନରେ ୫ ହଜାରରୁ ଅଧିକ ଗାଡ଼ି ଜବତ କରିଛି ପୁଲିସ। କେବଳ କଟକ ଓ ଭୁବନେଶ୍ବରରେ ୨୩୦୦ରୁ ଅଧିକ ଗାଡ଼ି ପୁଲିସ ଜବତ କରି ଥାନାରେ ରଖିଛି। ଜବତ ଗାଡ଼ି ରଖିବା ଲାଗି ଥାନା ଭର୍ତ୍ତି ହୋଇଯାଇଛି। ବାଇକ୍ ଧରି ବୁଲୁଥିବା କେତେକ ଯୁବକଙ୍କୁ ଘଟଣାସ୍ଥଳରେ ହିଁ ଦଣ୍ଡ ମିଳିଛି। ଲାଠିମାଡ଼ ସହ କାନ ଧରି ବସଉଠ କରାଇଛି ପୁଲିସ। ଯେଉଁମାନେ ଆଇନ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଡାଉନ୍ ଆଇନ ଉଲ୍ଲଂଘଂନକାରୀଙ୍କ ବିରୋଧରେ ଆଗକୁ ପୁଲିସ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଲାଣି। କେବଳ ରାଜଧାନୀରେ ଏହି ସଂଖ୍ୟା ୩୨ ଛୁଇଁଛି। ସାମାଜିକ ଦୂରତ୍ବ ରକ୍ଷା କରିବା ଲାଗି ଗାଡ଼ି ଧରି ଅତ୍ୟାବଶ୍ୟକ ସାମଗ୍ରୀ ନ କିଣିବା ପାଇଁ ପୁଲିସ, ପ୍ରଶାସନ ବାରମ୍ବାର ଲୋକଙ୍କୁ ଅନୁରୋଧ କରି ଆସୁଛନ୍ତି। କିନ୍ତୁ ଲୋକ ନିଜେ ସଚେତନ ହେଉନାହାନ୍ତି କିମ୍ବା ଆଇନକୁ ମାନୁ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଡ଼ା ନିର୍ଦ୍ଦେଶ ପରେ ଆଜି ରାଜ୍ୟବ୍ୟାପୀ ସବୁ ଥାନା ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ପ୍ରାୟ ୫ ହଜାରରୁ ଅଧିକ ଗାଡ଼ି ପୁଲିସ ଜବତ କରିଥିବା ସୂଚନା ମିଳିଛି। ଭୁବନେଶ୍ବରରେ ୧୦୩୯ ଗାଡ଼ି ଜବତ ହୋଇଥିବା ବେ​ଳେ କଟକରେ ୧୨୭୬, କେନ୍ଦୁଝରରେ ୮୦୬, ବ୍ରହ୍ମପୁରରେ ୬୪୭, ବଲାଙ୍ଗୀରରେ ୨୧୭ ଗାଡ଼ି ଜବତ ହୋଇଥିବା ସୂଚନା ମିଳିଛି। ଶତାଧିକ ଗାଡ଼ିକୁ ଘଟଣାସ୍ଥଳରେ ଜରିମାନା କରି ଛାଡ଼ିଛି ପୁଲିସ। ଏହା ବାଦ୍ ରାଜ୍ୟର ସବୁ ଜିଲ୍ଲାରେ ବିନା କାରଣରେ ଗାଡ଼ି ଧରି ବୁଲୁଥିବା ଚାଳକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
କମିସନରେଟ୍ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜବତ ଗାଡ଼ି ସଂକ୍ରାନ୍ତରେ କିଭଳି ପଦକ୍ଷେପ ନିଆଯିବ, ସେ ନେଇ ଆଇନଗତ ବିଚାରବିମର୍ଶ ଚାଲିଛି। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ଜରିମାନା କରାଯିବ ନା ଲକ୍ଡାଉନ୍ ଆଇନ ଉଲ୍ଲଂଘନ ନେଇ ଆଇପିସି ଧାରା-୧୮୮ରେ ମାମଲା ରୁଜୁ କରାଯାଇ ଚାଳକଙ୍କୁ ଗିରଫ କରାଯିବ, ସେ ନେଇ ଆଲୋଚନା କରାଯାଉଛି। ସେହିପରି ଜବତ ଗାଡ଼ିରୁ ଯେଉଁ ଜରିମାନା ଆଦାୟ ହେବ ତାହାକୁ କରୋନା ମୁକାବିଲାରେ ଖର୍ଚ୍ଚ କରିବା ଲାଗି ଟ୍ବିଟ୍ କରି ସୂଚନା ଦେଇଛି ଭଦ୍ରକ ପୁଲିସ।
୫ ତାରିଖ ସକାଳୁ ୬ ତାରିଖ ସକାଳ ଭିତରେ ରାଜ୍ୟରେ ୨୪୯ଟି ମାମଲା ରୁଜୁ ହୋଇଛି। ଲକଡାଉନ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ୨୩୩ଟି ମାମଲା ରୁଜୁ ହୋଇଥିବା ବେଳେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ୫ଟି ମାମଲା ରୁଜୁ ହୋଇଛି। ଗୁଜବକାରୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି।
ଗାଡ଼ି ଜରିମାନା ଟଙ୍କା କରୋନା ମୁକାବିଲାରେ ଖର୍ଚ୍ଚ ହେବ
ଭଦ୍ରକ ପୁଲିସ ପକ୍ଷରୁ ଜବତ କରାଯାଇଥିବା ଗାଡ଼ିରୁ ଆଦାୟ ଜରିମାନା କରୋନା ମୁକାବିଲାରେ ଖର୍ଚ୍ଚ ହେବ। ଭଦ୍ରକ ପୁଲିସ ପକ୍ଷରୁ ଟ୍ବିଟ୍ ଯୋଗେ ଏହି ସୂଚନା ଦିଆଯାଇଛି। ଚାରିଚକିଆ ଗାଡ଼ି ପାଇଁ ୫ ହଜାର ଓ ଦୁଇ ଚକିଆ ଗାଡ଼ି ପାଇଁ ୨ ହଜାର ଟଙ୍କା ଜରିମାନ ଧାର୍ଯ୍ୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/gadi-seized.jpeg.jpg)