ପୁରୀ: ଅନିଶ୍ଚିତତାରେ ଶତାୟୁ ରଘୁନନ୍ଦନ ପାଠାଗାରର ଭବିଷ୍ୟତ। ନା ପୁସ୍ତକର ସଂରକ୍ଷଣ କଥା ଚିନ୍ତା କରାଯାଉଛି, ନା ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରାଯାଉଛି। ଜୁରୁରୀକାଳୀନ ଭିତ୍ତିରେ ଜିଲ୍ଲା ଭୂ-ଅର୍ଜନ ସମ୍ମିଳନୀ କକ୍ଷକୁ ପୁସ୍ତକଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସଂରକ୍ଷଣ ଅଭାବରୁ ପାଠାଗାରରେ ଥିବା ଦୁର୍ଲ୍ଲଭ ପାଣ୍ଡୁଲିପି, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ‘ଦ ଡିସ୍କଭରି ଅଫ୍ ଇଣ୍ଡିଆ’ ଭଳି ପୁସ୍ତକ, ରାମାୟଣ, ଶ୍ରୀମଦ୍ ଭଗବତ୍ ଗୀତା, ହରିବଂଶ ଆଦି ପୋଥି ଆଦି ନଷ୍ଟ ହେବାକୁ ବସିଛି। ରାଜ୍ୟ ସରକାର ରଘୁନନ୍ଦନ ପାଠାଗାର ପାଇଁ ୨୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ ସତ। କିନ୍ତୁ ସେଥିରେ କିଛି କାର୍ଯ୍ୟ ହୋଇ ନାହିଁ।
ଏମାର ମଠ ତରଫରୁ ୧୯୨୧ ଅଗଷ୍ଟ ୧୪ରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଆରମ୍ଭ ହୋଇଥିଲା ରଘୁନନ୍ଦନ ପାଠାଗାର। ତତ୍କାଳୀନ ମଠ ମହନ୍ତ ଗଦାଧର ରାମାନୁଜ ଦାସ ନିଜ ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ନାମରେ ଏହି ପାଠାଗାରକୁ ନାମିତ କରିଥିଲେ। ଏହି ପାଠାଗାରରେ ପ୍ରାୟ ୫ଶହ ପାଣ୍ଡୁଲିପି, ତାଳପତ୍ର ପୋଥି ସହ ଏକାଧିକ ଭାଷାର ପ୍ରାୟ ୫ହଜାର ମୂଲ୍ୟବାନ ପୁସ୍ତକ ରହିଥିଲା। ଆରମ୍ଭ ହେବା ଦିନଠାରୁ ଦେଶ ବିଦେଶର ବହୁ ବଡ଼ ବଡ଼ ଲୋକ ଏହି ପାଠାଗାରରେ ପାଦ ଦେଇଛନ୍ତି। ୧୯୩୬ରୁ ୧୯୪୪ ପର୍ଯ୍ୟନ୍ତ ଭାରତର ଗଭର୍ଣ୍ଣର ଜେନେରାଲ ଓ ଭାରସରୟ ଥିବା ଲର୍ଡ ଲିନ୍ଲିଥ୍ଗୋ ୧୯୩୯ ମସିହାରେ ଏହି ପାଠାଗାର ପରିଦର୍ଶନରେ ବିଶ୍ବ ଦରବାରରେ ଏହାର ପ୍ରଚାରପ୍ରସାର ଦିଗରେ ପ୍ରାଥମିକ ଉଦ୍ୟମ ଆରମ୍ଭ କରିଥିଲେ। ଯେଉଁଥିପାଇଁ ଭାରତ ସ୍ବାଧୀନ ହେବା ପରେ ବି ଆମେରିକା, ଜାପାନ, ୟୁରୋପ, ସ୍ବିଜରଲାଣ୍ଡ, ଇଂଲଣ୍ଡ ଆଦି ଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ଉଚ୍ଛେଦକ୍ରମରେ ୨୦୧୯ ଅଗଷ୍ଟ ମାସରେ ମଠ କୋଠା ସହ ଏହି ପାଠାଗାରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା। ସେ ସମୟରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ସମାଲୋଚନା ପରେ ରାଜ୍ୟ ସରକାର ତତ୍କାଳ ଏହାର ବିକାଶ ପାଇଁ ୨୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ।
ଏଥିରେ ରଘୁନନ୍ଦନ ପାଠଗାର ପାଇଁ ତିନି ମହଲା କୋଠା ନିର୍ମାଣ ହେବ ବୋଲି କହିଥିଲେ। ତତ୍କାଳ ପଦକ୍ଷେପ ସ୍ବରୂପ ଭୂ-ଅର୍ଜନ ସମ୍ମିଳନୀ କକ୍ଷକୁ ରଘୁନନ୍ଦନ ପାଠାଗାରର ସମସ୍ତ ପୁସ୍ତକ, ପାଣ୍ଡୁଲିପି ଆଦି ସ୍ଥାନାନ୍ତର କରାଗଲା। ଏହାପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପୁସ୍ତକର ସଂରକ୍ଷଣ ପାଇଁ ରାଜ୍ୟ ସଂଗ୍ରହାଳୟରୁ ବିଶେଷଜ୍ଞ ଦଳ ବି ଆସିଲେ। ପୁରୁଣା ପୁସ୍ତକଗୁଡ଼ିକର ଡିଜିଡାଇଜେସନ୍ କରାଯିବ ବୋଲି ଘୋଷଣା କରାଗଲା। ନୂଆ ଆଲମିରା ତିଆରି ହେଲା। ବିଡ଼ମ୍ବନାର ବିଷୟ, କିଛି ମାସର ଲୋକ ଦେଖାଣିଆ କସରତ ପରେ ଏହି ପାଠାଗାରକୁ ସମସ୍ତେ ଭୁଲି ଗଲେ। ଯେଉଁ ବିଶେଷଜ୍ଞ ଦଳ ଆସିଥିଲେ, ସେମାନଙ୍କର ଆଉ ଦେଖାଦର୍ଶନ ମିଳିଲାନି। ଏ ସମ୍ପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା କହିଛନ୍ତି, ସମସ୍ତ ବହିକୁ ବାଇଣ୍ଡିଂ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବାଇଣ୍ଡିଂ ପରେ ଡିଜିଟାଇଜେସନ୍ କାମ ଆରମ୍ଭ ହେବ। ନୂଆ ବର୍ଷ ପୂର୍ବରୁ ଏହି କାମ ଆରମ୍ଭ ହୋଇଯିବ ବୋଲି ଶ୍ରୀ ବେହେରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/sfhsfhfhsfhs-1.jpg)