କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରି ୫ ଥର ବିଧାୟକ

ପଦ୍ମପୁର: ପଦ୍ମପୁର ବିଧାୟକ ତଥା ପୂର୍ବତନ ଆଦିବାସୀ ହରିଜନ ଉନ୍ନୟନ ମନ୍ତ୍ରୀ ବିଜୟରଞ୍ଜନ ସିଂ ବରିହାଙ୍କ ଅବର୍ତ୍ତମାନରେ ଅଂଚଳର ଆଦିବାସୀ ଖଟିଖିଆ ଜନଗଣ ଗଭୀର ଦୁଃଖ ପ୍ରକାଶ କରୁଛନ୍ତି।ଛାତ୍ରାବସ୍ଥାରୁ ସେ ସାହସୀ ସଙ୍ଗଠକ ଥିଲେ। ଅଂଚଳ ମହାବିଦ୍ୟାଳୟ ପଦ୍ମପୁରର ଛାତ୍ର ସଂସଦର ସଭାପତି ରହି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ପ୍ରିୟ ହୋଇଥିଲେ।ପରେ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନ କରି ଅଂଚଳରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ଶିକ୍ଷାଦାନ ପରେ ଗରିବ,ଦଳିତ, ଆର୍ଥିକ ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନ ପୂର୍ବକ କେନ୍ଦୁପତ୍ର ତୋଳାଳି, ଶ୍ରମିକମାନଙ୍କ ସାମୁହିକ ସ୍ବାର୍ଥ ପାଇଁ ଦିନରାତି ଏକ କରିଥିଲେ। କୌଣସି କର୍ମଚାରୀ କେନ୍ଦୁପତ୍ର ତୋଳାଳି ପ୍ରାପ୍ୟ ହଡପ କରିଥିଲେ, ତୋଳାଳି,କର୍ମଚାରୀଙ୍କ ଗ୍ରାମସଭା କରି ସର୍ବସାଧାରଣ ସମ୍ମୁଖରେ ସମସ୍ୟାର  ସେହି ଜାଗାରେ ସମାଧାନ କରୁଥିଲେ। ଫଳରେ କର୍ମଚାରୀମାନେ ଅସାଧୁ ଉପାୟ ଅବଲମ୍ବନ କରିବାକୁ ସାହସ ପାଇ ପାରୁ ନ ଥିଲେ।

ବିଂଝାଲ ଜାତିର ସଙ୍ଗଠନ ପ୍ରତି ଗୁରୁତ୍ବ ଦେଇ ନୃସିଂହନାଥଠାରେ ବିନ୍ଧ୍ୟବାସିନୀ ଦେବୀଙ୍କ ମନ୍ଦିର ନିର୍ମାଣ କରିବାକୁ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଂଝାଳ ଓ ଆଦିବାସୀ ସଙ୍ଗଠନ ସହ କେନ୍ଦୁପତ୍ର, ଅନେକ ଶ୍ରମିକ ସଙ୍ଗଠନକୁ ସାମାଜିକ କାମରେ ପ୍ରୋତ୍ସାହିତ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲେ।ଜନମାନସରେ  ଅନ୍ୟାୟ,ଅତ୍ୟାଚାର,ଭ୍ରଷ୍ଟାଚାର,ଦୁର୍ନୀତିକୁ ପ୍ରତିରୋଧ କରୁଥିବା ବ୍ୟକ୍ତି ହେଲେ ବିଜୟରଞ୍ଜନ ସିଂ ବରିହା ।ଲୋକମାନଙ୍କର ଅତି ପ୍ରିୟ ଥିବାରୁ ଜନତା ଦଳ ନେତା ବିଜୁ ପଟ୍ଟନାୟକଙ୍କ ନଜରକୁ ଆସି ୧୯୯୦ରେ ରାଜନୀତିରେ ପାଦ ଦେଇ ବିଧାୟକ ହେଲେ।

ଅଂଚଳର ଭାବାବେଶ ଓ ଜନଜୀବନ ସହ ସାମିଲ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ବିଜୟରଞ୍ଜନ ସିଂ ବରିହା। ସେ  ୧୯୯୦, ୧୯୯୫, ୨୦୦୦, ୨୦୦୯ ଓ ୨୦୧୯ରେ ବିଧାୟକ ହୋଇ ନିଜର ଦକ୍ଷତା ପ୍ରମାଣିତ କରିଥିଲେ।ସେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ମନ୍ତ୍ରୀପଦରେ ଥିଲେ ମଧ୍ୟ ତାଙ୍କର ପଦ୍ମପୁର ଅଂଚଳ ପ୍ରତି ସମବେଦନା ଥିଲା। ଭାଷଣରେ ବେଶି ସମୟ ନଷ୍ଟ ନ କରି କାମ ପ୍ରତି ନଜର ଦେଉଥିଲେ। ସରକାରୀ କର୍ମଚାରୀମାନଙ୍କର କୌଣସି ଦୁର୍ନୀତି  ଖବର ଆସିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ।ତେଣୁ ଦୁର୍ନୀତି କରୁଥିବା କର୍ମଚାରୀମାନେ ଭୟଭୀତ ରହୁଥିଲେ। ବିଧାୟକ ପାଣ୍ଠିର ପ୍ରକୃତ ସଦୁପଯୋଗ ଭୋଟରମାନେ ଜାଣି ପାରିଥିଲେ। ଶିକ୍ଷାନୁଷ୍ଠାନ ଓ ବିଦ୍ୟାର୍ଥୀମାନଙ୍କ ଉନ୍ନତି କରିବାରେ ତାଙ୍କର ବିଶେଷ ଦୁର୍ବଳତା ଥିଲା। ତେଣୁ ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ପ୍ରତି ଦୁରଦୃଷ୍ଟି ରଖୁଥିଲେ। ପଦ୍ମପୁର ଦୁର୍ଗାପୂଜା, ଆରବି ହାଇସ୍କୁଲର ପ୍ଲାଟିନମ ଜୁବୁଲି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସେ ଦଳମତ ଭୁଲି ଯୋଗଦାନ କରୁଥିଲେ।

ଜଣେ ମେଳାପି ନେତାଙ୍କୁ ପଦ୍ମପୁର ଅଂଚଳବାସୀ ହରାଇ ଗଭୀର ଶୋକ ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର