ପୁରୀ : ଯାହା ଆଶଙ୍କା କରାଯାଉଥିଲା, ସେୟା ହେଲା। ଜୋତା ଓ ମୋବାଇଲ୍ ରଖିବା ପାଇଁ ଭକ୍ତଙ୍କଠାରୁ ଚଢ଼ା ଦର ଅସୁଲ ହେଲା। ବିଡ଼ମ୍ବନା ଏହି ଯେ ମୁକ୍ତାକାଶ ରଙ୍ଗମଞ୍ଚ ସୂଚନା କେନ୍ଦ୍ର ନିକଟରେ ଥିବା ଜୋତା ଷ୍ଟାଣ୍ଡରେ ନିର୍ଦ୍ଧାରିତ ଦରଠୁ ୫ ଗୁଣା ଫି’ ଅସୁଲ ହେଉଥିଲେ ହେଁ ପ୍ରଶାସନ ନାଚାର ପାଲଟି ଯାଇଥିଲା। ଜୋତା ପାଇଁ ୫ଟଙ୍କା, ମୋବାଇଲ୍ ଓ ବ୍ୟାଗ୍ ରଖିବା ପାଇଁ ୧୦ଟଙ୍କାରୁ ଅଧିକ ଦିଅ ନାହିଁ ବୋଲି ଭକ୍ତମାନଙ୍କୁ ସୂଚନାକେନ୍ଦ୍ରରେ ସଚେତନ କରାଯାଉଥିଲା। ଅଥଚ ସେଇଠୁ ଦଶ ପାଦେ ଦୂରରେ ମୋବାଇଲ୍ ରଖିବା ପାଇଁ କାହାଠୁ ୩୦ଟଙ୍କା ତ କାହାଠୁ ୫୦ ଟଙ୍କା ଅସୁଲ କରାଯାଉଥିଲା।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜୋତା ଷ୍ଟାଣ୍ଡ ନିଲାମ କରାଯାଇଥିଲା। ଏହି ସମୟରେ ଜୋତା ପାଇଁ ୫ଟଙ୍କା, ମୋବାଇଲ୍ ରଖିବା ପାଇଁ ୧୦ ଟଙ୍କା ଓ ବ୍ୟାଗ୍ ରଖିବା ପାଇଁ ୧୦ ଟଙ୍କା ସ୍ଥିର କରାଯାଇଥିଲା। ଗୁଣ୍ଡିଚା ମନ୍ଦିରର ଚତୁଃପାର୍ଶ୍ବରେ ୬ରୁ ଅଧିକ ଜୋତା ଷ୍ଟାଣ୍ଡ କରାଯାଇଛି। ମାତ୍ର ସୂଚନାକେନ୍ଦ୍ର ସଂଲଗ୍ନ ଜୋତା ଷ୍ଟାଣ୍ଡର ଅଧିକ ଚାହିଦା ରହିଥିଲା। ଭକ୍ତମାନେ ସେଇବାଟ ଦେଇ ଦର୍ଶନ ପାଇଁ ବ୍ୟାରିକେଡ୍ରେ ଗୁଣ୍ଡିଚା ମନ୍ଦିରକୁ ଯାଉଥିବାରୁ ଅଧିକାଂଶ ଭକ୍ତ ସେଇଠାରେ ଜୋତା, ମୋବାଇଲ୍ ରଖିବା ପାଇଁ ଭିଡ଼ ଜମାଇଥିଲେ। ଏହାର ଫାଇଦା ଉଠାଇଥିଲେ ଜୋତା ଷ୍ଟାଣ୍ଡର କର୍ମକର୍ତ୍ତାବୃନ୍ଦ। କାହାଠାରୁ ମୋବାଇଲ୍ ରଖିବା ପାଇଁ ୩୦ ତ କାହାଠାରୁ ବ୍ୟାଗ୍ ରଖିବା ପାଇଁ ୫୦ ଟଙ୍କା ନେଉଥିଲେ। ତେଣୁ ଏନେଇ ବହୁ ଭକ୍ତ ଆସି ସୂଚନାକେନ୍ଦ୍ରରେ ଅଭିଯୋଗ କରିଥିଲେ। ସେଠାରେ କିଛି ସମୟ ପରେ ପୌରପାଳିକାର ଏଇଓ ମନୋଜ ବେହେରା ପହଞ୍ଚି ମାଇକ୍ରୋଫୋନ ଧରି ଧାର୍ଯ୍ୟ ମୂଲ୍ୟ ବାବଦରେ ସଚେତନ କରାଇଥିଲେ। ଅଧିକ ଦର ଅସୁଲ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ କଳା ତାଲିକା ଭୁକ୍ତ କରାଯିବ ବୋଲି କହିଥିଲେ। ମାତ୍ର ସେତିକିରେ ସେ ଦାୟିତ୍ବ ସାରି ଚାଲିଯାଇଥିଲେ। ତେଣୁ ଭକ୍ତଙ୍କ ଉପରେ ଜୁଲୁମ କମିନଥିଲା। ଭକ୍ତମାନେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ଅଧିକାରୀ ଶୁଣିବାକୁ ନଥିବାରୁ କାନମୁଣ୍ଡା ଆଉଁଶି ଫେରୁଛୁ ବୋଲି ନୟାଗଡ଼ର ସଂଘମିତ୍ରା ସ୍ବାଇଁ କହିଛନ୍ତି।
କେବଳ ସେତିକି ନୁହେଁ, ବାଇକ୍ ଓ ଚାରିଚକିଆ ଗାଡ଼ି ଷ୍ଟାଣ୍ଡ୍ରେ ଗାଡ଼ି ରଖିବା ପାଇଁ ମଧ୍ୟ ଦର ଧାର୍ଯ୍ୟ ହୋଇ ନିଲାମ ଦିଆଯାଇଥିଲା। ଚାରିଚକିଆ ଯାନ ରଖିଲେ ୫୦ ଟଙ୍କା ପାର୍କିଂ ଫି ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ଅଥଚ କିଛି ବ୍ୟକ୍ତିବିଶେଷଙ୍କଠାରୁ ଚାରିଚକିଆ ପାର୍କିଂ ପାଇଁ ୧୦୦ ଟଙ୍କା ଅସୁଲ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସିଦ୍ଧମହାବୀର ପାର୍କିଂ ହେଲିପ୍ୟାଡ୍ ଓ ମା’ ଜାଗୁଳାଇ ପାର୍କିଂ ଭୂଦାନ ପଡ଼ିଆରୁ ୧୦୦ ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ବେଳେ ସେହି ରସିଦରେ ବି ୧୦୦ ଟଙ୍କା ପାର୍କିଂ ଫି ବୋଲି ଲେଖାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜୋତା ଷ୍ଟାଣ୍ଡ ଓ ପାର୍କିଂ ଷ୍ଟାଣ୍ଡରେ ନିର୍ଦ୍ଧାରିତ ରେଟ୍ ଚାର୍ଟ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କେଉଁଠାରେ ବି ଧାର୍ଯ୍ୟ ଦର ତାଲିକା ଲଗାଯାଇନାହିଁ। ତେଣୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ଦେଖିବାକୁ ମିଳିଛି। କିଛି ଭକ୍ତ ନିଜ ରସିଦର ଫଟୋ ସୋସିଆଲ ମିଡିଆରେ ସେୟାର କରି ପ୍ରଶାସନର ନିଷ୍କ୍ରିୟତା ବାବଦରେ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଅନ୍ତତଃ ବାକି ୬ ଦିନ ଭକ୍ତଙ୍କୁ ଶୋଷଣ ନକରିବା ପାଇଁ ଭକ୍ତମାନେ ନିବେଦନ କରିଛନ୍ତି।