ବଗଲା ମାମଲା ଚର୍ଚ୍ଚାରୁ ହଟିନି, ପୁଣି ମାତିଲେ
ମନ୍ତ୍ରୀ ନିଜ ଅଞ୍ଚଳର ପ୍ରକଳ୍ପ ବି ରଖିପାରିଲେନି
କ୍ୟାବିନେଟ୍‌କୁ ମଧ୍ୟ ବିଶ୍ବାସକୁ ନିଆଗଲାନାହିଁ

Advertisment

ଭୁବନେଶ୍ୱର : କୌଣସି ଗୋଟିଏ ନୂଆ ପ୍ରକଳ୍ପ କରାଯାଇପାରୁନାହିଁ, ଅଥଚ ରାଜ୍ୟର ଭିତ୍ତିଭୂମିକୁ ବିକି ଭାଙ୍ଗିଦେବା ଲାଗି ବେଶ୍ କିଛି ଦିନ ଧରି ଗୋଟିଏ ଗୋଷ୍ଠୀ ଚେଷ୍ଟା ଚଳାଇଛନ୍ତି। ବଗଲା ଧର୍ମଶାଳା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହଟିନି। ଏହାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ପଲ୍ଲୀ ଠାରୁ ଦିଲ୍ଲୀ ଗର୍ଜୁଛି। ଠିକ୍ ଏମିତି ସମୟରେ ରାଜ୍ୟ ସରକାର ଗୋଟିଏ ପଟେ କରୋନା ପରବର୍ତୀ ପରିସ୍ଥିତିରେ ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ପାଇଁ ଆଶା ଦେଖାଉଥିବା ବେଳେ ଅନ୍ୟପଟରେ ସରକାରୀ ମାଲିକାନାରେ ଥିବା ୫ଟି ପାନ୍ଥନିବାସକୁ ଘରୋଇ ସଂସ୍ଥା ହାତରେ ଟେକି ଦେବା ଲାଗି ଚୂଡାନ୍ତ ନିଷ୍ପତ୍ତି ନେଇଛନ୍ତି। ପ୍ରଶାସନିକ ଅପରାଗତା ଯେ ସୀମା ଲଂଘିଲାଣି ଏଥିରୁ ସ୍ପଷ୍ଟ ହୋଇପଡ଼ୁଛି। ଏହି ଗୋଷ୍ଠୀ ଏତେ ପ୍ରଭାବୀ ଯେ ବାଲେଶ୍ବର, ଭଦ୍ରକ, ତପ୍ତପାଣି, ଗୋପାଳପୁରରେ ଥିବା ପାନ୍ଥନିବାସ ଓ ଧଉଳିର ପାନ୍ଥିକାକୁ ଘରୋଇକରଣ ଲାଗି ଯେଉଁ ଯୋଜନା ଚଳାଇଥିଲେ, ସେଥିରେ ସଫଳ ହୋଇଛନ୍ତି। ସୌଜନ୍ୟ ସ୍ବରୂପ ରାଜ୍ୟ କ୍ୟାବିନେଟ୍‌ ଇତିମଧ୍ୟରେ ଅନେକ ଥର ବସିଥିଲେ ହେଁ ପର୍ଯ୍ୟଟନ ବିଭାଗ ଏହି ପ୍ରସ୍ତାବ ସେଠାକୁ ଆଣିଲେ ନାହିଁ ବା କ୍ୟାବିନେଟକୁ ବିଶ୍ବାସକୁ ନିଆଗଲା ନାହିଁ। ଓଲଟା ଅତ୍ୟନ୍ତ ବେଫିକର ଭାବେ ପର୍ଯ୍ୟଟନ ବିଭାଗ ୫ଟି ପ୍ରକଳ୍ପ ଘରୋଇକରଣ ପ୍ରସ୍ତାବ ଆହ୍ବାନ କରି ସେପ୍ଟେମ୍ବର ପହିଲାରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଆହୁରି ସାଂଘାତିକ କଥା ହେଲା, ଗୋଟିଏ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସ୍ବପ୍ନର ପ୍ରକଳ୍ପ ବୋଲି ଧଉଳି ପାନ୍ଥିକାକୁ ସୂଚାଇଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସଂକ୍ରାନ୍ତ ପ୍ରସ୍ତାବରେ ସମ୍ମତି ଦେବାବେଳେ ଏହାକୁ ଜାଣିଶୁଣି ଅଣଦେଖା କରିଛନ୍ତି। କେବଳ ସେତିକି ନୁହେଁ, ଖୋଦ୍ ପର୍ଯ୍ୟଟନ ମନ୍ତ୍ରୀ ଅବିଭକ୍ତ ବାଲେଶ୍ବର ଜିଲ୍ଲାର ନେତା। ଅଥଚ ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାର ଦୁଇଟି ପ୍ରକଳ୍ପ ଘରୋଇକରଣକୁ ସେ ବିରୋଧ କରିବା ଲାଗି ସାହସ ଦେଖାଇ ପାରିନାହାନ୍ତି।

ଏବେ ଅବସ୍ପୀତି ସମୟରେ କାହିଁକି ଓ କାହା ସ୍ବାର୍ଥରେ ଏହି ପ୍ରକଳ୍ପ ଘରୋଇକରଣ ଲାଗି ନିଷ୍ପତ୍ତି ହେଲା, ଏଥିରେ କେଉଁ ଅଧିକାରୀ ବା ନେତାଙ୍କ ଷଡ଼୍‌ଯନ୍ତ୍ର ନିହିତ ଅଛି, ଏସବୁ ପ୍ରକଳ୍ପକୁ ଘରୋଇ କରଣ କରିବା ପୂର୍ବରୁ ଏହାର ଉନ୍ନତୀକରଣ ଅଥବା ଲାଭଜନକ ପାଇଁ ସଂପୃକ୍ତ ବିଭାଗର ସଚିବ, ମନ୍ତ୍ରୀ କି କି ନିଷ୍ପତ୍ତି ନେଇଥିଲେ, କେତେଥର ବିଫଳ ହୋଇଛନ୍ତି, ଏଭଳି ମାଳ ମାଳ ପ୍ରଶ୍ନ ସାଧାରଣରେ ଉଠିଲାଣି।

ମିଳିଥିବା ତଥ୍ୟ ଅନୁସାରେ, ବାଲେଶ୍ବରରେ ଥିବା ପାନ୍ଥନିବାସ ୦.୧୫୦ ଏକର ଜମି ଉପରେ ନିର୍ମାଣ ହୋଇଛି, ଯେଉଁଠାରେ ୨୯ଟି ପ୍ରକୋଷ୍ଠ ରହିଛି। ଗୋପାଳପୁରରେ ଯେଉଁଠାରେ ହୋଟେଲ୍ କରିବା ଲାଗି ଶିଳ୍ପପତି ଜମି ଟିକେ ପାଇଁ ଲଢେଇ କରୁଛନ୍ତି, ସେଠାରେ ୩ ଏକର ୪୨୧ ଡିସିମିଲି ଜମି ଉପରେ ୧୮ଟି ପ୍ରକୋଷ୍ଠ ରହିଛି। ତପ୍ତପାଣି ଭଳି ପର୍ଯ୍ୟଟନ କ୍ଷେତ୍ରରେ ୩ ଏକର ୮୭୫ ଡିସିମିଲି ଜମି ଉପରେ ୧୧ଟି ପ୍ରକୋଷ୍ଠ, ଭଦ୍ରକରେ ୧ ଏକର ୮୯୦ ଡିସିମିଲି ଜମି ଉପରେ ୨୦ଟି ପ୍ରକୋଷ୍ଠ ଏବଂ ଧଉଳି ୨୨୩ ଡିସିମିଲି ଜମି ଉପରେ ୩ଟି ରୁମ୍ ରହିଛି। ସବୁ ପ୍ରକଳ୍ପକୁ ୩୦ବର୍ଷିଆ ଲିଜ୍‌ରେ ଦେବା ଲାଗି ସରକାର ପ୍ରସ୍ତାବ ରଖିଛନ୍ତି।

ଏଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପ୍ରକଳ୍ପ ଥିଲେ ହେଁ, ଏହାକୁ ଲାଭଜନକ କରାଯାଇପାରିଲା ନାହିଁ। ଏବେ ପ୍ରଶ୍ନ ଉଠିଲାଣି, ଲାଭ କ୍ଷତି ହିସାବ ନ କରି ଏଭଳି ପ୍ରକଳ୍ପ କାହିଁକି କରାଯାଇଥିଲା? ଯଦି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିପାରୁନାହିଁ, ତେବେ ଏହାକୁ ରଖାଯାଇଛି କାହିଁକି? ଆଉ କେତେ ଧଳା ହାତୀ ପୋଷା ହେଲେ, ଏସବୁ ପ୍ରକଳ୍ପ ଲାଭଜନକ ହୋଇଥାନ୍ତା?

ସରକାର ନିଜ ବିଫଳ ହୋଇଥିଲେ ହେଁ, ବିଡିଂ କାଗଜ ପତ୍ରରେ କଂପାନିମାନଙ୍କୁ ଆକର୍ଷିତ କରିବା ଲାଗି ଢେର୍ ଲୋଭନୀୟ କଥା କହିଛନ୍ତି।

ପ୍ରକାଶଥାଉକି, ଘରୋଇକରଣ ଭୂତ ବାବୁମାନଙ୍କ ମୁଣ୍ଡକୁ ଏମିତି ଚଢ଼ିଛି ଯେ କେବଳ ପାନ୍ଥନିବାସ ନୁହେଁ, ଲାଭରେ ଚାଲିଥିବା କୋଣାର୍କର ଚନ୍ଦ୍ରଭାଗାସ୍ଥିତ ଉଡେନ୍ ରେସ୍ତୋରାଁ ବିରୋଧରେ ମଧ୍ୟ ଅନୁରୂପ ଷଡ଼୍‌ଯନ୍ତ୍ର ଚଳାଇଛନ୍ତି। ଫନିରେ ଭାଙ୍ଗିଯାଇଥିବା ଏହି ରେସ୍ତୋରାଁ ପାଇଁ କିଛି ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଏହା ପୁଣି କାର୍ଯ୍ୟକ୍ଷମ ହୋଇପାରିଥା’ନ୍ତା। ବାତ୍ୟା ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବିଭାଗ ହଠାତ କାର୍ଯ୍ୟ ବନ୍ଦ କରିଦେଇଛି। ପ୍ରଶ୍ନ ଉଠୁଛି, ମାସେ ଭିତରେ ମେରାଇନ୍ ଡ୍ରାଇଭ୍‌ରେ ଇକୋ ରିଟ୍ରିଟ୍ କରି ପ୍ରଶଂସା ସାଉଁଟିଥିଲେ। ହେଲେ କାହିଁକି ଗୋଟିଏ ବର୍ଷ ଭିତରେ ଏହି ପ୍ରକଳ୍ପକୁ ଠିଆ କରିପାରୁନାହାନ୍ତି?

ଉଲ୍ଲେଖଯୋଗ୍ୟ, କରୋନା ସମୟରେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ସମୟରେ ପର୍ଯ୍ୟଟନକୁ ସଜାଡ଼ିବା ପରିବର୍ତ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏଭଳି ଅଭାବନୀୟ କାର୍ଯ୍ୟ କରିଛି। ଲାଭରେ ଚାଲୁଥିବା ଓଟିଡିସିକୁ ବୁଡ଼ାଇବା ପାଇଁ ବିଧିବଦ୍ଧ ଉଦ୍ୟମ ଚାଲିଥିବା କୁହାଯାଉଛି।

ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ମୁଣ୍ଡରେ ଘରୋଇକରଣ ଭୂତ ଗତ ବର୍ଷ ଠାରୁ ସବାର ହେଲାଣି। ୨୦୧୯ ସାଧାରଣ ନିର୍ବାଚନର କିଛି ଦିନ ଆଗରୁ ଏହି ଷଡ଼ଯନ୍ତ୍ରର ଭିତ୍ତି ପଡ଼ିଥିଲା। ପାନ୍ଥନିବାସଗୁଡ଼ିକୁ ଘରୋଇକରଣ କରିବା ପାଇଁ ଏକ ପ୍ରକ୍ରିୟା ବିଭାଗ ସ୍ତରରେ ଆରମ୍ଭ ହୋଇଥିଲା। ଠିକ୍ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ପୂର୍ବ ସପ୍ତାହ‌େର ‌ହିଁ ଏହି ଅମଲତାନ୍ତ୍ରିକ କାରସାଦି କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଜାଣିବା ପରେ ଫାଇଲ୍‌ ଆଗକୁ ନ ନେବା ପାଇଁ ମୌଖିକ ନିର୍ଦ୍ଦେଶ ଦେଇଥିଲେ। ଏବେ କିନ୍ତୁ ସଫଳ ହୋଇଛନ୍ତି।