ବେଆଇନ ଧାନ ଚାଲାଣ କରୁଥିବା ୫ ଟ୍ରକ୍‌ ଜବତ

ରେଢ଼ାଖୋଲ/ଯୁଯୁମୁରା : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ନିକଟରେ ବେଆଇନ ଧାନ ଚାଲାଣ ହେଉଥିବା ଅଭିଯୋଗରେ ବୁଧବାର ସ୍ବତନ୍ତ୍ର ସ୍କ୍ବାଡ୍‌ ୪ଟି ଧାନ ଟ୍ରକ୍‌ ଜବତ କରିବା ସହିତ ଗାଡ଼ି ଚାଳକମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନା ଅନୁଯାୟୀ ପୂର୍ବାହ୍ନ ୧୦ଟାରେ ୪ଟି ୧୦ ଚକିଆ ଟ୍ରକ୍‌ରେ ଧାନ ଭର୍ତ୍ତି ହୋଇ ରେଢ଼ାଖୋଲ ପଟୁ ସମ୍ବଲପୁର ଅଭିମୁଖେ ଯାଉଥିଲେ। ‌କୌଣସି ସୂତ୍ରରୁ ଖବରପାଇ ସ୍ବତନ୍ତ୍ର ସ୍କ୍ବାଡ ଉକ୍ତ ଟ୍ରକ୍‌ ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଟ୍ରକ୍‌ ଚାଳକମାନେ ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ଧାନ ସଂର୍ପକରେ ଠିକ୍‌ ତଥ୍ୟ ଦେଇ ପାରି ନଥିଲେ। କଥାରେ ତାଳମେଳ ରହୁ ନଥିବାରୁ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ଧାନ ସବୁ କେନ୍ଦୁଝର ଆନନ୍ଦପୁର ଅଞ୍ଚଳରୁ ଆସିଥିବା ଜଣାପଡ଼ିଥିବା ବେଳେ ତାହା ସମ୍ବଲପୁର କିଂବା ବରଗଡ଼ ଅଞ୍ଚଳକୁ ଯାଉଥିବା ସନ୍ଦେହ କରାଯାଉଛି। ଟ୍ରକ୍‌ ସବୁକୁ ଥାନା ପରିସରକୁ ଅଣାଯାଇଥିଲା।

ସେପଟେ ମିଳିଥିବା ସୂଚାନା ଅନୁସାରେ ଟ୍ରକ୍‌(ଓଆର-୧୫ କ୍ୟୁ-୫୦୮୩, ଡବ୍ଲୁ-୬୭ ବି-୫୧୫୮, ଓଡି-୨୨ଆର-୫୧୫୮ ଏବଂ ଓଡି-୦୭ଆର୍‌-୪୪୫୧) ଟ୍ରକ୍‌କୁ ଜବତ କରାରଯାଇଛି। ତିନି ଟ୍ରକ୍‌ର ଚାଳକ ରାଜକୁମାର ଯାଦବ, ହରେକୃଷ୍ଣ ବେହେରା, ବଳରାମ ପାତ୍ରଙ୍କୁ ମଧ୍ୟ ଅଟକ ରଖାଯାଇଛି। ଅନ୍ୟଜଣେ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଆଜି ଦିନ ତମାମ ଧାନ ବୋଝେଇ ଗାଡ଼ି ସଂପର୍କରେ ତଥ୍ୟ ହାସଲ କରିବାକୁ ସ୍କ୍ବାଡ୍‌ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଚଢ଼ଉ ସମୟରେ ଉପଜିଲ୍ଲାପାଳ ପଦ୍ମନାଭ ବେହେରା, ତହସିଲଦାର ରୁବି ବେହେରା, ଏସିଏସ୍‌ଓ ବିଘ୍ନରାଜ ମହାପାତ୍ର, ଏଆର୍‌ସିଏସ୍‌ ରାଧାମୋହନ ମେହେର ପ୍ରମୁଖ ସାମିଲ ଥଲେ। ଧାନ ସହ ଗାଡ଼ିଗୁଡ଼ିକୁ ଜବତ କରି ଗାଡ଼ି ମାଲିକମାନଙ୍କୁ ଡକାଯାଇଛି ବୋଲି ତହସିଲଦାର କହିଥିଲେ। ସେହିପରି ଯୁଯୁମୁରା ତହସିଲଦାର ସୁମନ ମିଞ୍ଜ ମାନେଶ୍ବରଠାରେ ଚଢ଼ଉ କରି ଧାନବୋଝେଇ ଟ୍ରକ୍‌ (ଓଆର୍‌ ୦୯ଏଚ୍‌ ୪୭୫୯)କୁ ଜବତ କରିଥିଲେ। ଏହି ଧାନ ବାହାର ଜିଲ୍ଲାରୁ ସମ୍ବଲପୁରକୁ ଆସୁଥିଲା।

ସମ୍ବନ୍ଧିତ ଖବର