ୟୁରୋପ ଓ ଦକ୍ଷିଣ ଏସିଆରୁ ବ୍ୟାପିଛି ସଂକ୍ରମଣ : ଓଡ଼ିଶାରେ ୫ ପ୍ରକାର ଭୂତାଣୁ

ଗୁଜୁରାଟରୁ ଓଡ଼ିଶାକୁ ଆସିଛି ୧୯ଏ ଓ ୧୯ବି କ୍ଲେଡ୍‌
୨୨୫ଟି କୋଭିଡ୍‌ ନମୁନା ଅନୁଶୀଳନ ବେଳେ ମିଳିଛି ଏହି ତଥ୍ୟ

ଭୁବନେଶ୍ୱର : ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି ୟୁରୋପ ଓ ଦକ୍ଷିଣ ଏସିଆରୁ ଆସିଥିବା କୋଭିଡ୍ ଭୂତାଣୁ। ଏହି ଦେଶଗୁଡ଼ିକ ପାଇଁ ଓଡ଼ିଶାରେ କରୋନା ସଂକ୍ରମଣ ଭୟଙ୍କର ଆକାର ଧାରଣ କରିଛି। ରାଜ୍ୟରେ ଭୂତାଣୁ ସଂକ୍ରମଣ ନେଇ ଜିନୋମ୍‌ ଅନୁଶୀଳନ ସମୟରେ ଏହି ତଥ୍ୟ ମିଳିଛି। ଦେଶରେ ରହିଥିବା କରୋନା ଭୂତାଣରୁ ୫ଟି ଯାକ କ୍ଲେଡ୍ ଓଡ଼ିଶାରେ ଦେଖିବାକୁ ମିଳିଛି। ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି) ପକ୍ଷରୁ ମିଳିତ ପରୀକ୍ଷଣ ବେଳେ ଏଭଳି ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି।

ତେବେ ଭୂତାଣରୁ ଏହି ୫ଟି କ୍ଲେଡ୍ ଭିତରୁ କେଉଁ କ୍ଲେଡ୍‌ଟି ବେଶି ଘାତକ ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟର ୧୮ଟି ଜିଲ୍ଲାରୁ ସଂଗୃହୀତ ୨୨୫ଟି ନମୁନା ଉପରେ ଅନୁଶୀଳନ କରାଯାଇଥିଲା। ଅନୁଶୀଳନ ବେଳେ ୧୯-ଏ, ୧୯-ବି, ୨୦-ଏ, ୨୦-ବି ଓ ୨୦-ସି ଭଳି ୫ଟି କ୍ଲେଡ୍‌ ଚିହ୍ନଟ ହୋଇଥିଲା।

ଅନ୍ୟ ରାଜ୍ୟରେ ମଧ୍ୟ ଏହି କ୍ଲେଡ୍‌ ଦେଖିବାକୁ ମିଳିଛି। ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁ, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରୁ ଓଡ଼ିଶାକୁ ଫେରିଥିବା ପ୍ରବାସୀଙ୍କ ସ୍ବାବ୍ ନମୁନାରୁ ଏହି ଭୂତାଣୁକୁ ଚିହ୍ନଟ କରାଯାଇଛି। ତେବେ ୧୯-ବି କ୍ଲେଡ୍ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ମାତ୍ର ମାର୍ଚ୍ଚ ଓ ଏପ୍ରିଲ ମାସରେ ରାଜ୍ୟରେ ହୋଇଥିବା କରୋନା ସଂକ୍ରମଣରେ ୧୯-ଏ ଓ ୧୯-ବି କ୍ଲେଡ୍‌ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ଏହି କ୍ଲେଡ୍‌ ଗୁଜୁରାଟରୁ ଓଡ଼ିଶାକୁ ଆସିଛି। ମାତ୍ର ଏହି କ୍ଲେଡ୍‌ ରାଜ୍ୟର କେଉଁ କେଉଁ ଜିଲ୍ଲାରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ଫାଇଲୋଜେନେଟିକ୍ ଅନୁଶୀଳନ ବେଳେ ଜଣାପଡ଼ିଛି ଯେ ୨୦-ଏ ଓ ୨୦-ବି କ୍ଲେଡ୍‌ ଦେଶରେ ସଂକ୍ରମଣ ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।

ଅପରପକ୍ଷରେ ୨୦-ସି ଷ୍ଟ୍ରେନ୍ ବିରଳ ହୋଇଥିଲେ ହେଁ, ଓଡ଼ିଶାରେ ଏହାକୁ ମଧ୍ୟ ଦେଖିବାକୁ ମିଳିଛି। ଅନୁଶୀଳନ ସମୟରେ ଆଇସୋଲେଟ୍‌ କରାଯାଇଥିବା ୨୦୨ ନମୁନାରୁ ୨୪୭ ଏକକ ନ୍ୟୁକ୍ଲୋଟାଇଡ ବିବର୍ତ୍ତନ ଦେଖିବାକୁ ମିଳିଛି। ଆଇଏଲଏସର ବୈଜ୍ଞାନିକ ସୁନୀଲ ରାଘବ କହିଛନ୍ତି ଯେ ୧୩ଟି ବିଭିନ୍ନ ରାଜ୍ୟରୁ ଆସିଥିବା ୨୨୫ଟି ନମୁନା ସଂଗ୍ରହ ହୋଇଛି। ମାର୍ଚ୍ଚଠାରୁ ଜୁନ ମାସ ମଧ୍ୟରେ ଏହି ନମୁନା ଗୁଡ଼ିକୁ ସଂଗ୍ରହ କରାଯାଇଛି। ଉପରୋକ୍ତ ୫ଟି ଭୂତାଣୁ ମଧ୍ୟରୁ ୨୦-ଏ, ୨୦-ବି ଓ ୨୦-ସି ଅଧିକ ସଂକ୍ରାମକ। ଏହି ଶ୍ରେଣୀର ଭୂତାଣୁ ଶରୀରରେ ଥିବା ପ୍ରୋଟିନ ମାନବ ଶରୀରରେ ସଂକ୍ରମଣକୁ ବ୍ୟାପକ କରିଦିଏ। ୧୯-ଏ ଓ ୧୯-ବି ଶ୍ରେଣୀର ଭୂତାଣୁ ଦେଶ ବାହାରୁ ଆସିଥିବା ବେଳେ ୨୦-ଏ, ୨୦-ବି ଓ ୨୦-ସି ଶ୍ରେଣୀର ଭୂତାଣୁ ଏଥିରୁ ଉଦ୍ଭବ ହୋଇଛନ୍ତି, ଯାହାକି ସଂକ୍ରମଣ ବଢ଼ିଥିବାରେ ମୁଖ୍ୟ ବାହକ ସାଜିଛି।

Roche Australia

ଆରଏମ୍ଆରସିର ନିର୍ଦେଶିକା ଡା.ସଂଘମିତ୍ରା ପତି କହିଛନ୍ତି ଯେ ସମାନ ଉତ୍ପତ୍ତି ଉତ୍ସ ଥିବା ‌ଭୂତାଣୁ ଗ୍ରୁପ୍‌କୁ କ୍ଲେଡ୍‌ ବୋଲି କୁହାଯାଏ। ଜିନୋମ୍‌ ଅନୁଶୀଳନ ସମୟରେ ଦକ୍ଷିଣ ଏସିଆ ରାଷ୍ଟ୍ର ଓ ୟୁରୋପରୁ ଆସିଥିବା ଷ୍ଟ୍ରେନ୍ ରାଜ୍ୟରେ ସଂକ୍ରମଣ ପ୍ରମୁଖ ଉତ୍ସ ରହିଛନ୍ତି। ତେବେ ଅନୁଶୀଳନ ସମୟ‌ରେ କେଉଁ ଭୂତାଣୁ ଅଧିକ ଘାତକ ତାହା ସ୍ପଷ୍ଟ ହୋଇନାହିଁ। କୋଭିଡ-୧୯ ସଂକ୍ରମିତ ଅନେକ ଲୋକଙ୍କର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିବା ବେଳେ ଅନେକଙ୍କ ଭେଣ୍ଟିଲେଟରରେ ଚିକିତ୍ସା ହେଉଛି। ତେଣୁ ଭୂତାଣୁ ସମାନ ଘାତକ ହୋଇଥାନ୍ତା ତାହାଲେ ସମସ୍ତେ ସମାନ ଢଙ୍ଗରେ ସଂକ୍ରମିତ ହୋଇଥାନ୍ତେ। ଏପରିକି ଗଞ୍ଜାମ ଜିଲ୍ଲାରେ ଅନେକ ଲୋକଙ୍କ ଲକ୍ଷଣ ଦେଖିବାକୁ ମିଳୁ ନ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହୋଇ ପଡ଼ୁଛନ୍ତି। ତେଣୁ ଓଡ଼ିଶାରେ ଭୂତାଣୁ ଭିରୁଲେଣ୍ଟ ଥିବା ନେଇ କୌଣସି ପ୍ରମାଣ ମିଳି ନ ଥିବା ଡା.ପତି କହିଛନ୍ତି।

ସମ୍ବନ୍ଧିତ ଖବର