ନାଲ୍‌କୋରେ କୋଇଲା ସଙ୍କଟ: ୫ ୟୁନିଟ୍ ବନ୍ଦ, ଆଉ ୩ ଦିନ ଚାଲିବ ପ୍ଲାଣ୍ଟ!

ବଅଁରପାଳ: ନବରତ୍ନ ମାନ୍ୟତାପ୍ରାପ୍ତ ନାଲ୍‌କୋ ଏବେ ଘୋର କୋଇଲା ସଙ୍କଟ ମଧ୍ୟରେ ଗତି କରୁଛି। କୋଲ୍ ଇଣ୍ଡିଆରେ ଶତ ପ୍ରତିଶତ ଏଫ୍‌ଡିଆଇକୁ ବିରୋଧ କରି ଏମ୍‌ସିଏଲ୍‌ର ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ ଚାଲିଥିବାରୁ ଏହାର ପ୍ରଭାବ ନାଲ୍‌କୋ ପ୍ଲାଣ୍ଟ ଉପରେ ପଡ଼ିଛି। କୋଇଲା ସଂକଟ ଯୋଗୁଁ ନାଲ୍‌କୋ ସିପିପିର ମୋଟ ୧୦ଟି ୟୁନିଟ୍‌ ମଧ୍ୟରୁ ୫ଟି ୟୁନିଟ୍‌ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟକୁ ଚଳାଇବା ପାଇଁ ବର୍ତମାନ ୭୭୦ ମେଗାୱାଟ୍ ବିଦ୍ୟୁତ୍ ଆବଶ୍ୟକ ଥିବା ବେଳେ କୋଇଲା ଅଭାବରୁ ନିଜସ୍ବ କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟରୁ ବର୍ତ୍ତମାନ ୪୫୦ ମେଗାୱାଟ୍ ଉତ୍ପାଦିତ ହେଉଛି। ୩୩୦ ମେଗାୱାଟ୍ ବିଜୁଳି ଚଢାଦରରେ ଗ୍ରିଡ୍‌ରୁ କିଣିବାକୁ ପଡୁଛି। ଚଢାଦରରେ କୋଇଲା କିଣାଯାଉଥିବାରୁ ନାଲକୋକୁ ବିପୁଳ କ୍ଷତି ସହିବାକୁ ପଡୁଛି। କାରଖାନାରେ ଦୁଇ ମାସ ପୂର୍ବରୁ ୬ ଲକ୍ଷ ୪୦ ହଜାର ମେଟ୍ରିକ୍ ଟନ୍‌ କୋଇଲା ଗଚ୍ଛିତ ଥିବାବେଳେ ନାଲ୍‌କୋକୁ କୋଇଲା ଯୋଗାଣ କରୁଥିବା ଭରତପୁର ଖଣିରେ ଦୁର୍ଘଟଣା ପରେ ସେଠାରୁ କୋଇଲା ଆମଦାନି ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଗଚ୍ଛିତ କୋଇଲାରୁ ଖର୍ଚ୍ଚ ହୋଇ ବର୍ତ୍ତମାନ ୪୮ ହଜାର ମେଟ୍ରିକ୍ ଟନ କୋଇଲା ରହିଛି। ତେବେ ଏହି ପରିମାଣରୁ ୨୦ ମେଟ୍ରିକ୍ ଟନ୍ ସଂପୂର୍ଣ୍ଣ ଅଦରକାରୀ । ୨୮ ହଜାର ମେଟ୍ରିକ୍ ଟନ୍ କୋଇଲାରେ ଆଉ ମାତ୍ର ଦୁଇରୁ ତିନି ଦିନ ପ୍ଲାଣ୍ଟ ଚାଲିପାରିବ ବୋଲି ଆକଳନ କରାଯାଉଛି। ପୂର୍ବରୁ ନାଲକୋ କୋଇଲା ଅଭାବରୁ ସେପ୍ଟେମ୍ବର ୬ ତାରିଖରୁ ଦୁଇ ଶହ ମେଗାୱାଟ୍ ବିଜୁଳି କ୍ରୟ କରୁଥିବା ବେଳେ ବର୍ତ୍ତମାନ କାରଖାନା ଇତିହାସରେ ପ୍ରଥମ ଥର ପାଇଁ ୩୩୦ ମେଗାୱାଟ୍ କିଣାଯାଉଛି। ଏହାର ପ୍ରଭାବ ନାଲ୍‌କୋର ଆର୍ଥିକ ସ୍ଥିତିକୁ ଦୋହଲାଇଦେବାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର