ଭୁବନେଶ୍ବର: ରାଜ୍ୟର ୫ଟି ସରକାରୀ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ବିକାଶ କରାଯିବ। ୬୩ କୋଟି ଟଙ୍କାରେ ନୂତନ ନିର୍ମାଣ ସହ ପୁରାତନ କୋଠାଗୁଡ଼ିକର ମରାମତି ଓ ନବୀକରଣ କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ସରିବ। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ୍‌-ଉଷା) ଅଧୀନରେ ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟା‌ଳୟ(ଓଏସ୍‌ଓୟୁ) ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, କଳାହାଣ୍ଡିସ୍ଥିତ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ, ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କୋରାପୁଟସ୍ଥିତ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ୧୧ କୋଟି ଟଙ୍କାରେ ଓଏସ୍‌ଓୟୁକୁ ସମ୍ପୂର୍ଣ୍ଣ ଭାବେ ନୂତନ ଭିତ୍ତିଭୂମି ଯୋଗାଇ ଦିଆଯିବାକୁ ଥିବା ବେଳେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସର ପ୍ରଶାସନିକ କୋଠା ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଇଛି। ଇତିମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ପ୍ରକଳ୍ପ ପରିଚାଳନା ନିୟୋଜକ(ପିଏମ୍‌ସି) ପାଇଁ ଟେଣ୍ଡର ଆହ୍ବାନ ହୋଇଛି। 

Advertisment

ପିଏମ୍‌-ଉଷାରେ ଖର୍ଚ୍ଚ ହେବ ୬୩ କୋଟି
ଦୁଇ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ
ନୂଆ ରୂପ ପାଇବ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟଳୟ
ଗଙ୍ଗାଧର ମେହେର ଦ୍ବିତୀୟ କ୍ୟାମ୍ପସ୍‌ର ବିକାଶ ହେବ

ସୂଚନା ଅନୁଯାୟୀ ଓଏସ୍‌ଓୟୁର ସମ୍ପୂର୍ଣ୍ଣ ନବକଳେବର ହେବ। ୧୧ କୋଟି ଟଙ୍କାରେ ୪୦,୯୯୫ ବର୍ଗ ଫୁଟ ଅଞ୍ଚଳରେ ନୂତନ ଭିତ୍ତିଭୂମି ବିକାଶ କରାଯିବ। ଯେଉଁଥିରେ ୨ଟି ଲେଖାଏଁ ସ୍ମାର୍ଟ କ୍ଲାସରୁମ୍‌, ଅଫିସ୍‌ ରୁମ୍‌, ଗେଷ୍ଟ ରୁମ୍‌, ଗୋଟିଏ ଲେଖାଏ ସେମିନାର ରୁମ୍‌, ୱାର୍କସପ୍‌ ରୁମ୍‌, କମ୍ପ୍ୟୁଟର ସେଣ୍ଟର, ଡାଇନିଂ ହଲ୍‌, କିଚେନ୍‌, ୩ଟି ରେଷ୍ଟରୁମ୍‌(ମହିଳା ଓ ପୁରୁଷ), ୪ଟି ଲାବୋରେଟୋରି, ଗୋଟିଏ ରୁମ୍‌ରେ ଦୁଇଜଣ ବିଦ୍ୟାର୍ଥୀ ରହିବା ଭଳି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଛାତ୍ରୀନିବାସ, ୧୫ଟି ଟ୍ରେନର୍ସ ଆକୋମୋଡେସନ୍‌ ୟୁନିଟ୍‌, ଦୁଇଟି ହଷ୍ଟେଲରେ ରେଷ୍ଟରୁମ୍‌, ଅଫିସ୍‌/ଲାବୋରେଟୋରି/କ୍ଲାସରୁମ୍‌ ଅଞ୍ଚଳ ପାଇଁ ରେଷ୍ଟରୁମ୍‌, ଜେନେରେଟର, ଟ୍ରାନ୍ସଫର୍ମର, ପ୍ୟାନେଲ୍‌, ଇଲେକ୍ଟ୍ରିକାଲ ୱାୟରିଂ ସମେତ କ୍ୟାମ୍ପସ୍‌ରେ ବଗିଚା ଓ ରାସ୍ତା ନିର୍ମାଣ କରାଯିବ। ସେହିପରି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବସନ୍ତପୁର କ୍ୟାମ୍ପସରେ ୨୬ ବର୍ଗଫୁଟ୍‌ର ପ୍ରଶାସନିକ କୋଠା ନିର୍ମାଣ କରିବାକୁ ୮ କୋଟି ଓ ୧୫,୯୦୦ ବର୍ଗଫୁଟର ହଷ୍ଟେଲ୍‌ ନିର୍ମାଣ ପାଇଁ ୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହାବ୍ୟତୀତ ପୁରୁଣା ପ୍ରଶାସନିକ ବ୍ଲକ, ଆନେକ୍ସ ବିଲଡିଂ, ଛାତ୍ରୀନିବାସ, ଛାତ୍ରାବାସ ମରାମତି ବାବଦରେ ୨କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି।

ଅନୁରୂପ ଭାବେ ନୂଆ କରି ପ୍ରତିଷ୍ଠା ହୋଇଥିବା ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ୨କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ କ୍ଲାସରୁମ୍‌ ଓ ଇ-ଲାଇବ୍ରେରି, ୪ କୋଟି ଟଙ୍କାରେ ୧୨୦ ଶଯ୍ୟାର ରିସର୍ଚ୍ଚ ସ୍କଲାର ହଷ୍ଟେଲ, ୨ କୋଟି ଟଙ୍କାରେ ନୃତତ୍ତ୍ବବିଜ୍ଞାନ ଓ ଜୀବବିଜ୍ଞାନ ସଂଗ୍ରହାଳୟ, ୧କୋଟି ୬୮ଲକ୍ଷ ଟଙ୍କାରେ ଆଦିବାସୀ ଗବେଷଣା କେନ୍ଦ୍ର, ୪୦ ଲକ୍ଷରେ ଶୌଚାଳୟ ଓ ୮୦ ଲକ୍ଷ ଟଙ୍କାରେ ପାନୀୟ ଜଳ ବ୍ୟବସ୍ଥା ହେବ। ଏହାବ୍ୟତୀତ ପୁରୁଣା ଲାବୋରେଟୋରି ନବୀକରଣ, ୩ଟି ଛାତ୍ରୀନିବାସ, ଏସ୍‌ସି-ଏସ୍‌ଟି ଛାତ୍ରାବାସ, ସୁବର୍ଣ୍ଣ ଜୟନ୍ତୀ ହଲ୍‌ର ମରାମତି ଓ ନବୀକରଣ କରିବାକୁ ବ୍ୟୟ ଅଟକଳ ହୋଇଛି। ବିକ୍ରମଦେବ ବିଶ୍ବବିଦ୍ୟାଳୟର ୧୫ ହଜାର ବର୍ଗଫୁଟ୍‌ର ନୂଆ ପ୍ରଶାସନିକ ଭବନ ନିର୍ମାଣ କରିବାକୁ ୮ କୋଟି, ସେମିନାର ହଲ୍‌ ପାଇଁ ୧କୋଟି ୪୧ ଲକ୍ଷ, ବାଳିକା କମନ୍‌ ରୁମ୍‌ ପାଇଁ ୪୭ ଲକ୍ଷ, ଶୌଚାଳୟ ବ୍ଲକ ନିର୍ମାଣ କରିବାକୁ ୬ ଲକ୍ଷ ୬୯ ହଜାର ଟଙ୍କା ଖର୍ଚ୍ଚ କରାଯିବ। ଏହା ବ୍ୟତୀତ ପ୍ରଶାସନିକ ବ୍ଲକ-୧ର ମରାମତି ନବୀକରଣ ପାଇଁ ୧କୋଟି ୬୮ଲକ୍ଷ, ବ୍ଳକ-୨ ପାଇଁ ୪୧ଲକ୍ଷ, ବାଣିଜ୍ୟ ବ୍ଲକ ପାଇଁ ୧.୮୨ କୋଟି ଏବଂ ଗ୍ରିଲ୍‌ ମରାମତି ଓ ନବୀକରଣ ବାବଦରେ ୭ଲକ୍ଷ ୪୬ହଜାର ଟଙ୍କାର ବ୍ୟୟବରାଦ ହୋଇଛି। ସେହିପରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୧୨ହଜାର ବର୍ଗଫୁଟର ଦୁଇଟି ୧୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ପାଇଁ ୮.୮୦ କୋଟି, ପ୍ରଶାସନିକ ବ୍ଲକର ନବୀକରଣ ପାଇଁ ୪୯ଲକ୍ଷ, ସାଇନ୍ସ ବ୍ଲକ ମରାମତି ଓ ନବୀକରଣ ପାଇଁ ୧ କୋଟି, ପାଠଗାର, ଆର୍‌ଟିଆଇ ସେଲ୍‌, ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ସାମ୍‌ସରେ ଏସି ଲଗାଇବାକୁ ମୋଟ ୩ ଲକ୍ଷ ୯୦ ହଜାର ଟଙ୍କାର ବ୍ୟୟ କରିବାକୁ ସ୍ଥିର ହୋଇଛି।