ଭୁବନେଶ୍ୱର : ଜୁଲାଇ ମାସ ସୁଦ୍ଧା ରାଜ୍ୟର ୫ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବ। ତା’ର ୩ ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବିଶ୍ୱବିଦ୍ୟାଳୟର କୁଳସଚିବ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଅବଗତ କରାଇବା କଥା। ତେବେ ଏପର୍ଯ୍ୟନ୍ତ କୁଳସଚିବମାନେ ଏନେଇ ରାଜ୍ୟପାଳଙ୍କୁ ଅବଗତ କରାଇ ନଥିବା ଜଣାପଡିଛି। ହାତରେ ଆଉ କମ ସମୟ ଥିବାରୁ କୁଳସଚିବମାନଙ୍କ ନିରବତାକୁ ନେଇ ଶିକ୍ଷାବିତ ଓ ବରିଷ୍ଠ ପ୍ରଫେସରମାନେ ପ୍ରଶ୍ନ ଉଠାଇଛନ୍ତି।
ନିୟମ ଅନୁଯାୟୀ ଜଣେ ପ୍ରଫେସର ନିଯୁକ୍ତିର ୩ ବର୍ଷ ତଥା ୬୫ ବର୍ଷ ବୟସ ହେବା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର କୁଳପତି ରହିପାରିବେ। ଏହାପରେ ପୁଣିଥରେ ପ୍ରକ୍ରିୟା ହୋଇ ନୂତନ କୁଳପତି ନିଯୁକ୍ତି ହେବେ। ଏଥିପାଇଁ ୩ ଜଣିଆ ସର୍ଚ୍ଚ କମିଟି ଗଠନ ସହ ଆବେଦନ କରିଥିବା ପ୍ରଫେସରମାନଙ୍କ ସାକ୍ଷାତକାର ନିଆଯିବ। ଏହି ପ୍ରକ୍ରିୟାରେ ସାମିଲ ପାଇଁ ପୂର୍ବରୁ ବିଶ୍ୱବିଦ୍ୟାଳୟ କୁଳପତି ଥିବା ପ୍ରଫେସର ବି ଆବେଦନ କରିପାରିବେ। ତାଙ୍କୁ ମଧ୍ୟ ସାକ୍ଷାତକାର ଦେବାକୁ ପଡ଼ିବ। ନହେଲେ କୁଳପତି ହୋଇପାରିବେ ନାହିଁ। କୁଳପତିଙ୍କ କାର୍ଯ୍ୟକାଳ ସରିବା କ୍ଷଣି ଆର୍ଡିସି ନହେଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଭାରପ୍ରାପ୍ତ କୁଳପତି ଭାବେ କୁଳଧିପତି ନିଯୁକ୍ତି ଦେବାର ବିଧିବ୍ୟବସ୍ଥା ରହିଛି।
ମିଳିଥିବା ସୂଚନା ଅନୁଯାୟୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ୨୦୧୭ ଜୁଲାଇ ୧୫ରେ କୁଳପତି ଭାବେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ପ୍ରଫେସର ମିଶ୍ର ୨୦୧୫ରୁ ଉକ୍ତ ବିଶ୍ୱବିଦ୍ୟାଳୟର ଓଏସଡି ଭାବେ କାର୍ଯ୍ୟ ତୁଲାଉଥିଲେ। ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ମଧୁସ୍ମିତା ଦାଶ ଜୁଲାଇ ୨୪ରେ କୁଳପତି ଭାବେ ନିଯୁକ୍ତି ପାଇଥିଲେ। ଜୁଲାଇ ୧୮ରେ ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଥିଲେ। ଜୁଲାଇ ୬ରେ ଦୁଇଟି ବିଶ୍ୱବିଦ୍ୟାଳୟ ଯଥା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ଅତନୁ କୁମାର ପତି ନିଯୁକ୍ତ ହୋଇଥିବା ବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅଗଷ୍ଟ ୩୧ରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ପ୍ରଦୀପ ଚାନ୍ଦଙ୍କୁ ରାଜ୍ୟପାଳ ତଥା କୁଳଧିପତି ନିଯୁକ୍ତ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ଈସାନ ପାତ୍ର ଡିସେମ୍ବର ୨୩ରେ କୁଳପତି ଭାବେ ନିଯୁକ୍ତ ହୋଇଥିଲେ। ସେହିଦିନ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ଶ୍ରୀକାନ୍ତ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା। ନିଯୁକ୍ତି ପାଇବାର କିଛି ଦିନ ବ୍ୟବଧାନରେ ସମସ୍ତ କୁଳପତି କାର୍ଯ୍ୟରେ ଯୋଗ ଦେଇଥିଲେ। ସେହି ଅନୁଯାୟୀ ଦେଖିଲେ ଆସନ୍ତା ଜୁଲାଇ ମାସ ଭିତରେ ୫ଟି ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବ। ଏହାର ୩ ମାସ ପୂର୍ବରୁ ଅର୍ଥାତ ମେ’ ପହିଲାରୁ ପ୍ରକ୍ରିୟା ଆରମ୍ଭ ହେବା କଥା। ଏହା ପୂର୍ବରୁ କୁଳସଚିବମାନେ ଏନେଇ କୁଳଧିପତିଙ୍କୁ ଜଣାଇବେ ଏବଂ ଅନୁମତି ମିଳିବା କ୍ଷଣି ବିଜ୍ଞପ୍ତି ପ୍ରକାଶ କରିବେ।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେତେଜଣ କୁଳପତି ଇତିମଧ୍ୟରେ କାର୍ଯ୍ୟକାଳ ବୃଦ୍ଧି କରାଇବା ପାଇଁ ଲାଗିପଡିଛନ୍ତି। ଜୁଲାଇ ମାସରେ କାର୍ଯ୍ୟକାଳ ସରୁଥିବା ୨ ଜଣ କୁଳପତି କରୋନା ଅଳରେ ଆଉ ଦୁଇ ବର୍ଷ ବୃଦ୍ଧି ପାଇଁ ବି ପ୍ରସ୍ତାବ ଦେଇଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ କରୋନା ଯୋଗୁଁ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ପ୍ରଭାବିତ ହୋଇଛି। ତେଣୁ ଆଉ କିଛି ସମୟ ମିଳିଲେ ବିଶ୍ୱବିଦ୍ୟାଳୟ ଉନ୍ନତି ଦିଗରେ ପଦକ୍ଷେପ ନେବେ। ୩ ବର୍ଷ ଭିତରେ ଯାହା କରିପାରି ନାହାନ୍ତି ତାହା ଆଉ ଦୁଇ ବର୍ଷ ମଧ୍ୟରେ କରି ଦେଖାଇବେ। ଏମିତିକି ଲୋକସେବା ଭବନରେ ବସିଥିବା ଗତ କୁଳପତି ସମ୍ମିଳନୀରେ କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ହେଉ ବୋଲି ମଧ୍ୟ କିଛି କୁଳପତି ଦାବି ଉଠାଇଥିଲେ।
ଶିକ୍ଷାବିତଙ୍କ କହିବାନୁଯାୟୀ ନିୟମ ଅନୁଯାୟୀ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ। ଏହାଠାରୁ ଅଧିକ ବଢ଼ାଯିବା କଥା ନୁହେଁ। ଏମିତିରେ ୨୦୧୫ରେ ପ୍ରତିଷ୍ଠା ହୋଇଥିବା ଦୁଇଟି ବିଶ୍ୱବିଦ୍ୟାଳୟ କୁଳପତି ୩ ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି। ହେଲେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ସେଭଳି ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି। ବରଂ ଏବେ କରୋନା ବାହାନା ଦେଖାଇ ଆଉ ଦୁଇ ବର୍ଷ ଭିତରେ ଟିଚିଂ ଓ ନନ-ଟିଚିଂ ପଦବିରେ ନିଯୁକ୍ତି କରି କୋଟି କୋଟି ଟଙ୍କାର କାରବାର କରିବାକୁ ବସିଛନ୍ତି। ଏଥିରେ ଉଚଶିକ୍ଷା ବିଭାଗର କିଛି କରିତକର୍ମା ଅଧିକାରୀ ବି ସାମିଲ ଅଛନ୍ତି। ତେଣୁ ନିୟମ ଅନୁଯାୟୀ ସମସ୍ତ ପ୍ରକ୍ରିୟା ହେଉ। ନ ହେଲେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକ ଖରାପ ପରମ୍ପରା ସୃଷ୍ଟି ହେବ।