ସ୍ବାଧୀନତାର ୭୪ ପରେ ବି ୫ ଗାଁକୁ ଆସିଲାନି ବିଦ୍ୟୁତ୍‌, ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଜନତା

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଦର୍ଜିଂ ପଞ୍ଚାୟତ ଅଧିନସ୍ଥ ଥିବା କୋଇଲିଝର, ଲୁଧୁଣି, ଢେଙ୍କିଆମ, ଗହମି ଓ ପୁରୁଣାପାଣି ୫ଟି ଗ୍ରାମରେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଥିବାରୁ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସ୍ୱାଧୀନତାର ସାତ ଦଶନ୍ଧି ବିତି ସାରିଥିଲେ ମଧ୍ୟ ଏଯାଏଁ ଏହି ଗ୍ରାମ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହୋଇଥିବା କହିଛନ୍ତି ଗ୍ରାମବାସୀ । ଉକ୍ତ ୫ଟି ଗ୍ରାମରେ ୮ଶହରୁ ଉର୍ଦ୍ଧ୍ବ ଭୋଟର ଥିବା ବେଳେ ଏମାନେ ବିଦୁତ ଲାଇନରୁ ବଞ୍ଚିତ ରହିଛନ୍ତି। ବିଦ୍ୟୁତ୍ ନଥିବାରୁ ଅନ୍ଧକାରରେ ଜୀବନ କାଟୁଛନ୍ତି ଲୋକେ । ପିଲାମାନଙ୍କ ପାଠ ପଠା ଠାରୁ ଆରମ୍ଭ କରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ବିଦ୍ୟୁତ ସଂଯୋଗ ନଥିବାରୁ ସରକାରଙ୍କ ପକ୍ଷରୁ ଗ୍ରାମରେ ସୋଲାର ଲାଇଟ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ସୋଲାର ସବୁ ଅଚଳ ଅବସ୍ଥାରେ ପଡିରହିଛି।

ଉକ୍ତ ଗ୍ରାମର ହିନ୍ଦି ଓରାମ, ବିନୋଦିନୀ ବାର୍ଲା, ରେଣୁକା ଓରାମ, ସିନଗୀ ଓରାମ, ବାସନ୍ତି ଧିବର, ହେମଲତା ଓରାମ, ବାସନ୍ତି ଓରାମ, ସାବିତ୍ରୀ କିସାନ, କୁନ୍ତଳା କିସାନ, ନିରଞ୍ଜନ ମୁଣ୍ଡା, କୁମୁଦ ବନ୍ଧୁ ମାହାନ୍ତ, ରାମ ରାୟ ମୁଣ୍ଡା, ମଧୁ ଓରାମ, ଶୁକ୍ରୁ ଓରାମ ପ୍ରମୁଖ ବହୁ ଶତାଧିକ ଭୋଟର ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯେ ପର୍ଯ୍ୟନ୍ତ ୫ଟି ଗ୍ରାମରେ ବିଦ୍ୟୁତ ସମସ୍ୟାର ର ସମାଧାନ କରା ନଯାଏ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ସ୍ଥିର କରିଛନ୍ତି।

ସମ୍ବନ୍ଧିତ ଖବର