ରାମଚନ୍ଦ୍ରପୁର : ଋଣ ଟଙ୍କା ଶୁଝିବାକୁ ନେଇ ରାମଚନ୍ଦ୍ରପୁର ଥାନା ବରାଙ୍ଗରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୫ ଜଣ ମହିଳା ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାଯାଇଛି। ଉଭୟ ଗୋଷ୍ଠୀର ଆହତ ୫ ମହିଳାଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ଆହତ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗଁପୁର ପଞ୍ଚାୟତ ବରାଙ୍ଗ ଗ୍ରାମର ୧୦ ଜଣ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରିଥିଲେ। ସେମାନେ ଅଳତି ବ୍ୟାଙ୍କ୍ ଅଫ ଇଣ୍ତିଆ ଶାଖାରୁ ୫ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଗ୍ରୁପର ସଦସ୍ୟା କମଳା ବେହେରାଙ୍କ ସ୍ବାମୀ ବନମାଳୀ ବେହେରାଙ୍କ ଜରିଆରେ ଋଣ କିସ୍ତି ପରିଶୋଧ କରି ଆସୁଥିଲେ। କିନ୍ତୁ ମହିଳାମାନେ ବ୍ୟାଙ୍କ୍ରେ ଋଣ ଟଙ୍କା ଠିକ୍ରେ ପରିଶୋଧ ହେଉ ନଥିବା ନେଇସନ୍ଦେହ ପ୍ରକଟ କରିବାରୁ ଏ ବିଷୟରେ ବନମାଳୀ ବେହେରାଙ୍କୁ ପଚାରିଥିଲେ। ସେ ରୋକଠୋକ୍ ମନା କରିବା ସହିତ ନାଲି ଆଖି ଦେଖାଇ ବ୍ୟାଙ୍କରେ ଯାଇ ବୁଝିବାକୁ କହିଥିଲେ।
ଘଟଣାକୁ ନେଇ ମହିଳାମାନଙ୍କ ସହ ବନମାଳୀଙ୍କର ପ୍ରବଳ ପାଟିତୁଣ୍ତ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ପରେ ଏହା ଗଣ୍ତଗୋଳର ରୂପ ନେଇଥିଲା। ମାରପିଟରେ ଉଭୟ ପକ୍ଷରୁ ୫ ମହିଳା ଆହତ ହୋଇଥିଲେ। ଆହତମାନେ ହେଲେ ସୁକାନ୍ତି ଦାସ(୪୦), ବାସନ୍ତି ଦାସ(୪୭), ତିଳୋତ୍ତମା ଦାସ(୭୦), ଜାଗିରି ଦାସ(୬୫) ଏବଂ ବନମାଳୀ ବେହେରାଙ୍କ ଝିଅ ଅନ୍ନପୂର୍ଣ୍ଣା ବେହେରା(୨୪)। ଏଥିନେଇ ଆଜି ରାମଚନ୍ଦ୍ରପୁର ଥାନାରେ ବନମାଳୀ ବେହେରା, ପତ୍ନୀ କମଳା ବେହେରା ଏବଂ ତାଙ୍କ ଝିଅ ଅନ୍ନପୂର୍ଣ୍ଣା ବେହେରାଙ୍କ ନାମରେ ଆହତ ମହିଳାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏତଲା ଆଧାରରେ ତଦନ୍ତ ପ୍ରକ୍ରିୟା ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/fhfs654h65sf4h65fs456fhs.jpg)