ବିଜୁ ଏକ୍ସପ୍ରେସ୍‌ ୱେରେ ଲୋମଟାଙ୍କୁରା ଦୁର୍ଘଟଣା : କାର୍‌ ଧକ୍କାରେ ୫ ମହିଳା ଶ୍ରମିକ ମୃତ

ରାସ୍ତା କାମ କରୁଥିବା ବେଳେ ମାଡ଼ିଗଲା, ଡିଭାଇଡର୍‌ ଡେଇଁ ସ୍କର୍ପିଓକୁ ପିଟିଲା

ରାଜଗାଙ୍ଗପୁର : ‘ବିଜୁ ଏକ୍ସପ୍ରେସ୍‌ ୱେ’ର ରାଜଗାଙ୍ଗପୁର ନିକଟବର୍ତ୍ତୀ ରମାବାହାଲଠାରେ ଆଜି ଏକ ଭୟଙ୍କର ଦୁର୍ଘଟଣାରେ ୫ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଭାରସାମ୍ୟ ହରାଇଥିବା ଏକ କାର୍‌ ଏମିତି ମୃତ୍ୟୁର ତାଣ୍ଡବ ରଚିଛି। ଦ୍ରୁତଗତିରେ ଯାଉଥିବା କାର୍‌ଟି ରାସ୍ତା ମଝିରେ ଥିବା ଡିଭାଇଡର୍‌ ଧାରରେ ମରାମତି କାମ କରୁଥିବା ଶ୍ରମିକମାନଙ୍କ ଉପରେ ଚଢ଼ିଯିବା ପରେ ଡିଭାଇଡରକୁ ଡେଇଁ ରାସ୍ତାର ଅପରପାର୍ଶ୍ବରେ ଏକ ସ୍କ୍ରପିଓକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଆଉ ତିନି ଜଣ ଆଖି ବୁଜିଛନ୍ତି। ପ୍ରାଣ ହରାଇଥିବା ସମସ୍ତ ୫ ମହିଳା ଶ୍ରମିକମାନେ ହେଲେ ସରସ୍ବତୀ ଲାକଡ଼ା(୩୬), ଉମା ଲାକଡ଼ା(୩୮), କଳ୍ପନା ଲାକଡ଼ା(୨୫), ନଉରି ମାଝି,(୫୨) ଓ ପାଣ ଲାକଡ଼ା(୪୨)। ସମସ୍ତଙ୍କ ଘର କୁତ୍ରା ବ୍ଲକ୍‌ର ରାଜାବସା ଗାଁରେ। ସକାଳୁ ସକାଳୁ ଘଟିଥିବା ଏହି ଲୋମଟାଙ୍କୁରା ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ଶ୍ରମିକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ତଥା ସ୍ଥାନୀୟ ମିଶନପଡ଼ା ନିବାସୀ ସୋରେନ ଲାକଡ଼ା ଏବଂ ତାଙ୍କ ପତ୍ନୀ ସୁନାମୀ ତିର୍କୀ ଚିକିତ୍ସା ପାଇଁ ଆଜି ରାଉରକେଲା ଯାଉଥିଲେ। ସେମାନେ ବସିଥିବା ଓଡି ୧୬ଏଫ/୪୩୪୪ ନମ୍ବର କାର୍‌କୁ ତାଙ୍କ ପୁଅ ସନ୍ଦୀପ ଚଳାଉଥିଲେ। ସକାଳ ପ୍ରାୟ ୯ଟା ବେଳେ ଝଗରପୁର ନିକଟରେ କାର୍‌ଟି ଅତି ତୀବ୍ରଗତିରେ ଯାଉଥିବା ବେଳେ ରାସ୍ତାର ଡିଭାଇଡରେ ପିଟି ହୋଇଯାଇଥିଲା। ତାପରେ କାର୍‌ଟି ସେଠାରୁ ପ୍ରାୟ ୫୦୦ମିଟର ଯିବା ପରେ ରାମାବହାଲ ଛକର ବୁଲାଣିରେ ଏଲ୍‌ଏଣ୍ଡ ଟିର ରାସ୍ତାକାମରେ ନିୟୋଜିତ ମହିଳା ଶ୍ରମିକମାନଙ୍କ ଉପରେ ମାଡ଼ିଯାଇଥିଲା। କାର୍‌ର ବେଗ ଏତେ ଅଧିକ ଥିଲା ଯେ ମୃତକଙ୍କ ଭିତରୁ ତିନିଜଣ କାର୍‌ ଧକ୍କାରେ ରାସ୍ତାର ଅପରପାର୍ଶ୍ବରେ ପଡ଼ିଥିଲେ। କାର୍‌ଟି ଶ୍ରମିକଙ୍କ ଉପରେ ଚଢିଯିବା ପରେ ରାସ୍ତାର ଡିଭାଇଡ଼ର୍‌ ଡେଇଁ ବିପରୀତ ଦିଗରୁ ଆସୁଥିବା ଏକ ସ୍କର୍ପିଓ (ଓଡି ୧୪ସି ୨୬୭୬)କୁ ଧକ୍କା ଦେଇଥିଲା। ସ୍କର୍ପିଓରେ ବସିଥିବା କୃତ୍ତିବାସ ସାହୁ (୪୫) ଓ ରାଜକିଶୋର ଧଳ (୬୦) ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା କାର୍‌ ଚାଳକଙ୍କ ସମେତ ସେଥିରେ ବସିଥିବା ୩ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ରହିଛି।

ଦୁର୍ଘଟଣା ପରେ ଖବର ପାଇ ରାଜଗାଙ୍ଗପୁର ଏସ୍‌ଡିପିଓ ବିଜୟ କୁମାର ନନ୍ଦ, ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ, କାଂସବାହାଲ ଫାଣ୍ଡି ଅଧିକାରୀ ସୁମନ୍ତ ନାୟକ ଓ ଅରୁଣ ପଟେଲ ପ୍ରମୁଖ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ଆହତମାନଙ୍କୁ ପ୍ରଥମେ ରାଜଗାଙ୍ଗପୁର ଓ ପରେ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର