ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳିବ୍ଲକ ନିଆଳ, ତୋଟାସାହିର ପ୍ରଦୀପ ମଲିକଙ୍କ ଦ୍ରୁତଧାବିକା ଝିଅ ମାମୁନି। ଦ୍ରୁତଗତିରେ ଲଗାତର ୧୫ କିଲୋମିଟର ଦୌଡି ଦେଖଣାହାରୀଙ୍କୁ ଚକିତ କରାଇ ଦେଉଛି ଏଇ କୁନିଝିଅ। ଏକାଧିକ ବାର ଆଳି ହାଇସ୍କୁଲ ମିନିଷ୍ଟାଡିୟମରୁ ଦ୍ରୁତଗତିରେ ଦୌଡ ଆରମ୍ଭ କରି କଟକ-ଚାନ୍ଦବାଲି ରାସ୍ତାରେ ଆଳି ରୁ ୧୫ କିମି ଅତିକ୍ରମ କରି ପଟ୍ଟାମୁଣ୍ଡାଇରେ ପହଞ୍ଚିବାର ସାମର୍ଥ୍ୟ ଦେଖାଇଛନ୍ତି ମାମୁନି।

Advertisment

ମାମୁନି ପ୍ରତିଦିନ ଦୌଡ ଅଭ୍ୟାସ କରିବାକୁ ଯାଆନ୍ତି ଆଳି ହାଇସ୍କୁଲ ମିନି ଷ୍ଟାଡିୟମକୁ। ପ୍ରତ୍ୟହ ଆଳି ହାଇସ୍କୁଲ ମିନିଷ୍ଟାଡିୟମରେ ୨୫ ରାଉଣ୍ଡ ଦୌଡି ନିଜର ଦୌଡ ଅଭ୍ୟାସ ଜାରି ରଖିଛନ୍ତି ବୋଲି କହନ୍ତି ଆଳି ହାଇସ୍କୁଲ ମିନି ଷ୍ଟାଡିୟମର କୋଚ୍ ସୁଶାନ୍ତ ମଲିକ। ଏହି ୨୫ ରାଉଣ୍ଡରେ ମାମୁନି ହାରାହାରି ୮ ରୁ ୧୦ କିମିର ଦୌଡନ୍ତି। ଝିଅର ଦୌଡ ନିଶା ଦେଖି ସେମାନେ ତାଙ୍କୁ ଉତ୍ସାହିତ କରୁଛନ୍ତି ବୋଲି କହନ୍ତି ବାପା ପ୍ରଦୀପ ଓ ମାଆ ଆରତୀ।

publive-image

ଭବିଷ୍ୟତରେ ଜଣେ ଦ୍ରୁତଧାବିକା ସହିତ ଜଣେ ଭଲ ଖେଳାଳି ହେବାର ଲକ୍ଷ୍ୟ ନେଇ ମୁଁ ଦୌଡ ଅଭ୍ୟାସ ଜାରି ରଖିଛି ବୋଲି କହିଛି କୁନିଝିଅ ମାମୁନି। ମାମୁନି ଏବେଯାଏ ସ୍କୁଲ ଯାଇନି। ଗାଁ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଛି। ତେବେ ଦ୍ରୁତଦୌଡ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଭଲ ଖେଳାଳିଟିଏ ହେବାର ଲକ୍ଷ୍ୟ ରଖିଥିବା ମାମୁନିଙ୍କୁ ମିଳି ପାରୁନି ଉପଯୁକ୍ତ କୋଚିଂ, ପ୍ରଶିକ୍ଷଣ ଓ ଖାଦ୍ୟପେୟ। ବାପା ପ୍ରଦୀପ ଜଣେ ଟେଣ୍ଟହାଉସ କର୍ମଚାରୀ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ତେଣୁ ମାମୁନିଙ୍କୁ ଠିକଣା ଭାବେ ସାଧନ ଯୋଗାଇ ପାରୁନାହିଁ ବୋଲି କ୍ଷୋଭର ସହ କହନ୍ତି ପ୍ରଦୀପ। ରାଜ୍ୟ ସରକାର ଓ କ୍ରୀଡା ବିଭାଗ ପଦାଧିକାରୀ ଦ୍ରୁତଧାବିକା କୁନିଝିଅ ମାମୁନିକୁ ଆବଶ୍ୟକୀୟ ସାଧନ ଯୋଗାଇଦେଲେ ମାମୁନିର ପ୍ରତିଭା ନିଶ୍ଚିତ ବିକଶିତ ହୋଇପାରିବ ବୋଲି କ୍ରୀଡାବିତ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।