ଟିକା ଦେବାପରେ ୫ ମାସର ଶିଶୁପୁତ୍ରର ମୃତ୍ୟୁ ଅଭି‌ଯୋଗ

ବୁଗୁଡ଼ା: ଟିକା ଦେବା ପରେ ଜଣେ ୫ ମାସର ଶିଶୁପୁତ୍ରର ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ମୃତ ଶିଶୁ ଜଣକ ବୁଗୁଡ଼ା ଖଦାଳ ସାହିର ମାଗି ନାୟକଙ୍କ ପୁତ୍ର ସାଇ ନାୟକ। ସୂଚନା ପ୍ରକାରେ ଆଜି ସାପ୍ତାହିକ ଟିକାଦାନ ଦିବସ ଥିବାରୁ ଆଶାଦିଦିଙ୍କ ପରାମର୍ଶ କ୍ରମେ ସକାଳ ୧୧ଟା ବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁଟିକୁ ପେଣ୍ଟା-ଥ୍ରି ଇଞ୍ଜେକ୍ସନ, ରୋଟା-ଥ୍ରି ଇଞ୍ଜେକ୍ସନ ସହିତ ଓରାଲ ଡୋଜ ପୋଲିଓ ଦିଆଯାଇଥିଲା। ଜ୍ୱର ଆସିଲେ ଔଷଧ ଦେବା ପାଇଁ ଆଶାଦିଦି ଏକ ପାରାସିଟାମଲ ସିରପ୍‌ ମଧ୍ୟ ଦେଇଥିଲେ। ଟିକା ନେବା ପରେ ଶିଶୁକୁ ଧରି ବାପାମା’ ଘରକୁ ଫେରିଥିଲେ।

ତେବେ ଆଜି ସନ୍ଧ୍ୟା ୪ଟାରେ ଜ୍ୱର ଆସିବାରୁ ଶିଶୁକୁ ଆଶାଦିଦି ଦେଇଥିବା ଔଷଧ ଦିଆଯାଇଥିଲା। ଔଷଧ ଦେବା ପରେ ଟିକିଏ ତାତି କମିଥିଲା। କିନ୍ତୁ ସାଢେ ୭ଟା ବେଳକୁ ଦେହ ପୂରା ଥଣ୍ଡା ହୋଇ ଯାଇଥିଲା। ତୁରନ୍ତ ଶିଶୁକୁ ବୁଗୁଡ଼ା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ରାସ୍ତାରେ ହିଁ ତା’ର ଜୀବନ ଚାଲି ଯାଇଥିଲା। ମେଡିକାଲକୁ ପହଂଚିବା ପରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ଶିଶୁର ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ତେବେ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ବରେ ଥିବା ଡାକ୍ତର କାମାକ୍ଷୀ ବିଶୋଇଙ୍କ କହିବା ପ୍ରକାରେ ଏହି ଟିକା ପ୍ରଦାନ ପରେ କେବଳ ସମାନ୍ୟ ଜ୍ବର ଆସିଥାଏ। ଅନ୍ୟ କୌଣସି କାରଣରୁ ଶିଶୁର ମୃତ୍ୟୁ ହୋଇ ଥାଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର