ବୈପାରିଗୁଡା: ୬ ମାସ ଧରି ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିଛି ମହାଦେଇ। ସ୍ବାଭାବିକ ଭାବେ ଖାଦ୍ୟ ଗ୍ରହଣ କରିବାର ଶକ୍ତି ହରାଇ ବସିଛି, ଯାହାଫଳରେ ତାଙ୍କ ମା’ ନାକ ପଟେ ତରଳ ଖାଦ୍ୟ ଭାବେ କ୍ଷୀର ପିଆଉଛନ୍ତି। ନାକ ଦେଇ ପେଟକୁ କ୍ଷୀର ଯାଉଛି। ଏମିତି ଭାବେ ଗତ ୬ ମାସ ଧରି ବଞ୍ଚିବା ପାଇଁ ସଂଘର୍ଷ କରୁଛି ୫ ବର୍ଷର ଝିଅ ମହାଦେଇ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ତାଲୁର ଗ୍ରାମରେ।
ତାଲୁର ଗ୍ରାମରେ ବାସ କରୁଥିବା ଚୈତନ୍ୟ ଦୁରୁଆଙ୍କ ୫ ବର୍ଷର ଝିଅ ମହାଦେଇକୁ ଯେତେବେଳେ ୩ ବର୍ଷ ବୟସ ହୋଇଥିଲା, ସ୍ଥାନୀୟ ଅଗଂନବାଡି କେନ୍ଦ୍ରକୁ ଅନ୍ୟ ଶିଶୁମାନଙ୍କ ପରି ପଢ଼ିବା ପାଇଁ ଯାଉଥିଲା। କିନ୍ତୁ ୪ ବର୍ଷ ବୟସରେ ପହଞ୍ଚିବା ବେଳକୁ ହଠାତ୍ ଅସୁସ୍ଥ ହୋଇପଡ଼ିଲା। ଦିନକୁ ଦିନ ମହାଦେଇର ସ୍ବାସ୍ଥ୍ୟର ଅବନ୍ନତି ଘଟିବାକୁ ଲାଗିଲା। ବାପା ଚୈତନ୍ୟ ଚିକିତ୍ସା ପାଇଁ ଜଡ଼ିବୁଟି ଏବଂ ଗୁଣିଗାରେଡିର ଆଶ୍ରୟ ନେଇଥିଲେ। ତଥାପି ସ୍ବାସ୍ଥ୍ୟର କୈାଣସି ଉନ୍ନତି ପରିଲକ୍ଷିତ ନହେବାରୁ ରାମଗିରି ସ୍ଥିତ ଡାକ୍ତରଖାନାକୁ ନେଇଥିଲେ। ଏହାପରେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଏଠାରେ କୈାଣସି ସୁଫଳ ନମିଳିବାରୁ ଲମତାପୁଟ ଏବଂ ପରବର୍ତ୍ତୀ ସମୟରେ ଜୟପୁର ଡାକ୍ତରଖାନାକୁ ମଧ୍ୟ ଚିକିତ୍ସା ପାଇଁ ପହଞ୍ଚିଥିଲେ। ଶେଷରେ କୋରାପୁଟ ବଡ଼ମେଡ଼ିକାଲରେ ମହାଦେଇକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ମହାଦେଇର ସ୍ବାସ୍ଥ୍ୟ ପରୀକ୍ଷା ପରେ ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ୬ ମାସ ପାଇଁ ଔଷଧ ଖୁଆଇବା ପରେ ମଧ୍ୟ ମହାଦେଇ ସୁସ୍ଥ ହେବା ପରିବର୍ତ୍ତେ ଭୀଷଣ ଭାବେ ଅସୁସ୍ଥ ହୋଇ ପଡିଲା। ୬ ମାସ ପରେ ଚୈତନ୍ୟ ଝିଅକୁ ନେଇ କୋରାପୁଟ ପହଞ୍ଚିଥିଲେ।
ତେବେ ମହାଦେଇର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରି କୈାଣସି ବଡ଼ ଡ଼ାକ୍ତରଖାନାକୁ ନେବାପାଇଁ ପରାମର୍ଶ ଦିଆଯାଇଥିଲା। ଆର୍ଥିକ ଅନଟନ ହେତୁ ଚୈତନ୍ୟ ଝିଅକୁ ବାହାର ଡାକ୍ତରଖାନାକୁ ନେଇ ପାରିଲେ ନାହିଁ। ଧିରେଧିରେ ମହାଦେଇ ସଂପୂର୍ଣ୍ଣ ଦୁର୍ବଳ ହୋଇଯିବା ସହ ଏବେ ସଂପୂର୍ଣ୍ଣ ଶଯ୍ୟାଶାୟୀ। ଖାଇବା ଶକ୍ତି ସଂପୂର୍ଣ୍ଣ ହରାଇ ବସିଥିବାରୁ ବାପା ମାଆ ଝିଅର ଜୀବନ ବଞ୍ଚାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଆପଣେଇବା ପାଇଁ ବାଧ୍ୟ ହେଲେ। ଗୋଟିଏ ବଡ଼ ସିରିଞ୍ଜରେ କ୍ଷୀର ଢାଳିବା ଫଳରେ ତାହା ପାଇପ୍ ଦେଇ ପେଟକୁ ଯାଏ। ଗତ ୬ ମାସ ଧରି ଏହି ଉପାୟରେ ମହାଦେଇକୁ ଖାଦ୍ୟ ଦିଆଯାଉଛି। ଏହି ବ୍ୟବସ୍ଥା ଅବିଶ୍ୟାସନୀୟ ହେଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହା ହିଁ ଖାଦ୍ୟ ଯୋଗାଇବାର ଶେଷ ଉପାୟ। ମହାଦେଇର କଙ୍କାଳସାର ଦେହକୁ ଦେଖିଲେ ଆପେ ଆପେ ଆଖିରେ ଲୁହ ଜଳେଇ ଆସିବ। ଖେଳିବା ବୁଲିବା ବୟସରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି ମହାଦେଇ। ତେବେ ଝିଅର ଚିକିତ୍ସା ପାଇଁ ସରକାରୀ ସହାୟତା ନିମନ୍ତେ ବାପା ମାଆ ଆକୁଳ ନିବେଦନ କରିଛନ୍ତି।