ବିଧାନସଭା ସମ୍ମୁଖରେ ଗର୍ଜିଲେ ୫୦ ହଜାର ଶିକ୍ଷକ

ନାଲିଆଖିକୁ ଖାତିର କଲେନି

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କଟକଣା କିମ୍ବା ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପରାମର୍ଶ କାମ ଦେଲାନି। ଶିକ୍ଷକ ଆନ୍ଦୋଳନ ଭଣ୍ଡୁର ଲାଗି ରାଜ୍ୟ ସରକାରଙ୍କ ସବୁ ପ୍ରକାର ନାଲିଆଖିକୁ ବେଖାତିର କରି ଆଜି ବିଧାନସଭା ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରିଛି ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଓଡ଼ିଶା ଶିକ୍ଷା ସହାୟକ ସଂଘ। ଦୁଇ ସଙ୍ଗଠନର ୫୦ ହଜାରରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଲୋୟର ପିଏମ୍‌ଜିରେ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଇଛନ୍ତି। କୌଣସି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଧମକକୁ ଖାତିର କରିବୁ ନାହିଁ ବୋଲି ଉଭୟ ସଙ୍ଗଠନର କର୍ମକର୍ତ୍ତା ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ଦାବି ପୂରଣ ନେଇ ରାଜ୍ୟ ସରକାର ଏବଂ ଶିକ୍ଷକ ସଂଘ ମଧ୍ୟରେ ଅପରାହ୍ଣରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ରାଜଧାନୀ ଛାଡ଼ିିବୁ ନାହିଁ ବୋଲି ଶିକ୍ଷକମାନେ କହିଛନ୍ତି।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ମଧ୍ୟାହ୍ନରେ ମାଷ୍ଟରକ୍ୟାଣ୍ଟିନ୍‌ ରେଳଷ୍ଟେସନରେ ଏକାଠି ହୋଇଥିଲେ ହଜାର ହଜାର ଶିକ୍ଷକ। ସବୁ ଜିଲ୍ଲାରୁ ହଜାର ହଜାର ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଥିଲେ। ଅପରାହ୍ନ ପ୍ର୍ରାୟ ଗୋଟାଏ ବେଳେ ଏକ ବିଶାଳ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବାହାରି ବିଧାନସଭା ଅଭିମୁଖେ ଯାଇଥିଲା। ଶିକ୍ଷକମାନେ ଲୋୟର ପିଏମ୍‌ଜି ବାରିକେଡ୍‌ ନିକଟରେ ପହଞ୍ଚିବା ପରେ ସେଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେଠାରେ ଆୟୋଜିତ ସମାବେଶରେ ଶିକ୍ଷକ ନେତାମାନେ ଗଣଶିକ୍ଷା ବିଭାଗର କଟକଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ କୌଣସି ପରିସ୍ଥିତିରେ ଆନ୍ଦୋଳନ ଥମିବ ନାହିଁ ବୋଲି କହିଥିଲେ।

ଅପରାହ୍ନରେ ରାଜ୍ୟ ସରକାରଙ୍କ ଆହ୍ଵାନକ୍ରମେ ଉଭୟ ସଙ୍ଗଠନର ୧୧ ଜଣିଆ ପ୍ରତିନିଧିଦଳ ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ଭେଟିଥିଲେ। ଆଲୋଚନା ସମୟରେ ଶିକ୍ଷକ ସଂଘର ପ୍ର୍ରତିନିଧିମାନେ ମୂଳ ପଦବି ମାଟ୍ରିକ ଓ ସିଟିରୁ ଯୁକ୍ତ୨ ଏବଂ ସିଟି ଘୋଷଣା ସହ ୨୦୧୬ ଜାନୁଆରି ୧ରୁ ପେ’ ୫୨୦୦ ଓ ଗ୍ରେଡ୍‌ ପେ’ ୨୮୦୦ ଟଙ୍କା ହିସାବରେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କର ଦରମା, ୬ ବର୍ଷର ଶିକ୍ଷା ସହାୟକ ଚାକିରିରେ ଗଣନା କରିବା, ଶିକ୍ଷା ସହାୟକ ପଦବି ଉଚ୍ଛେଦ କରି ପ୍ରାଥମିକସ୍ତରରେ କନିଷ୍ଠ ଶିକ୍ଷକର ମାନ୍ୟତା ପ୍ରଦାନ ପରି ଦାବି ଉପରେ ଆଲୋଚନା ହୋଇଥିଲା। ଦାବି ପୂରଣ ଲାଗି ରାଜ୍ୟ ସରକାରଙ୍କ ପ୍ରତିନିଧିଦଳ ୧୫ ଦିନ ସମୟ ମାଗିଥିଲା। ଏହି ସମୟରେ ଦୁଇଥର ବୈଠକ ଡକାଯାଇ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ହେଲେ ଦାବି ପୂରଣ ନେଇ କୌଣସି ଠୋସ୍‌ ପ୍ରତିଶ୍ରୁତି ନ ମିଳିବାରୁ ଆନ୍ଦୋଳନ ଚାଲୁ ରଖିବାକୁ ଉଭୟ ସଙ୍ଗଠନ ନିଷ୍ପତ୍ତି ନେଇଛନ୍ତି। ଆଲୋଚନା ସମୟରେ ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା, ସାଧାରଣ ସମ୍ପାଦକ ଅର୍ଜୁନ କୁମାର ସେଠୀ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେଶ ମହାନ୍ତି, ସାଧାରଣ ସମ୍ପାଦକ ଖଗେଶ୍ୱର ନାଥ ପାଲଙ୍କ ସମେତ ଅନ୍ୟ କର୍ମକର୍ତ୍ତା ରହିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସମେତ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଆଲୋଚନା ଫଳପ୍ରଦ ହୋଇଛି। ଦାବି ପୂରଣ ଦିଗରେ ସରକାର ଯତ୍ନବାନ ଅଛନ୍ତି। ପ୍ରତି ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଛୁଟି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ଶିକ୍ଷା ସହାୟକ ସଂଘର ସଭାପତି ମଳୟ କୁମାର ଜେନା କହିଛନ୍ତି ଯେ କୌଣସି ଧମକକୁ ଡରିବୁ ନାହିଁ। ହକ୍‌ ପାଇଁଁ ଲଢ଼େଇ ଜାରି ରହିବ। ସମସ୍ତ ଶିକ୍ଷକ ଛୁଟି ନେଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ତାହାର ଜବାବ ଦିଆଯିବ।

ସମ୍ବନ୍ଧିତ ଖବର