ଖୋର୍ଦ୍ଧା: ଲଘୁଚାପ ଲଗାଣ ବର୍ଷାରେ ୪ ପଞ୍ଚାୟତରେ ୫୦ ହେକ୍ଟର ଧାନ ଫସଲ ନଷ୍ଟ  

ଖୋର୍ଦ୍ଧା: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେଗୁନିଆ ବ୍ଲକ ସିକୋ, ହଜ, ଶଗଡ଼ଭଙ୍ଗା, ବୋତଳମା ଆଦି ପଞ୍ଚାୟତର ପ୍ରାୟ ୫୦ ହେକ୍ଟରରୁ ଉଦ୍ଧ୍ୱର୍ ଚାଷ ଜମିରେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାଯାଇଛି । ତେବେ ବର୍ତମାନ କୃଷି ବିଭାଗ ସଂପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିନଥିବାରୁ ଏହି କ୍ଷତି ପରିମାଣ ବଢ଼ିବା ଆଶଙ୍କା ରହିଛି ।

ଗତ ୩ ଦିନ ଧରି ବେଗୁନିଆ ବ୍ଲକରେ ହାରାହାରି ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ପାଗ ଟିକିଏ ଶୁଖିଲା ରହିଥିଲେ ମଧ୍ୟ ମେଘୁଆ ପାଗ ରହିଛି । ବିଭିନ୍ନ ସ୍ଥାନରେ ଧାନ ଫସଲ କାଟିବା ସମୟ ଆସି ପହଂଚିଥିବା ବେଳେ ଏହି ବର୍ଷା ଚାଷୀଙ୍କ ମୁଣ୍ଡରେ ଚଡ଼କ ଭଳି ହୋଇଛି । ପ୍ରାଥମିକ ଆକଳନରୁ ଯେଉଁମାନେ ଧାନ କାଟି ବିଲରେ ରଖିଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ହେକ୍ଟର ଧାନଫସଲରେ ପାଣି ଜମି ରହିଛି । ଫଳରେ ଧାନଗୁଡ଼ିକ ଗଜା ହୋଇ ନଷ୍ଟ ହେବା ସମ୍ଭାବନା ରହିଛି । ଚଳିତ ବର୍ଷ ବେଗୁନିଆ ବ୍ଲକରେ ସ୍ପଳ୍ପ ବୃଷ୍ଟିପାତ ହୋଇଥିଲା ଫଳରେ ରୁଆ, ବେଉଷଣ ଆଦି କାମ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ଅନେକ ଧାନ ଫସଲ ବର୍ଷା ଅଭାବରେ ନଷ୍ଟ ହୋଇଥିଲା । ବର୍ତମାନ ଅଦିନିଆ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି ।

ସମ୍ବନ୍ଧିତ ଖବର