ବ୍ୟାପୁଛି ଅଜଣା ଚର୍ମରୋଗ : ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୀଳଗିରି : ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତର ବାଘମରା ଓ ପଥରଡୋଣା ଗାଁରେ ଅଜଣା ଚର୍ମରୋଗରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ଆଦିବାସୀ ବହୁଳ ଗାଁ ହୋଇଥିବାରୁ ଏହାର ଡାକ୍ତରୀ ଚିକିତ୍ସା ନକରି ଠାକୁରାଣୀଙ୍କ ପାଖରେ ଝୁଣା ଓ ଧୂପ ଦେଇ ରୋଗ ଭଲ କାରିବାକୁ ଗ୍ରାମବାସୀ ଚେଷ୍ଟା କରୁଛନ୍ତି। ଆଜି ଖବରପାଇ ନୀଳଗିରି ମେଡିକାଲର ଏକ ଡାକ୍ତରୀ ଟିମ୍‌ ସମ୍ପୃକ୍ତ ଗାଁ ପରିଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ, ଉକ୍ତ ଦୁଇଟି ଗ୍ରାମର ଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଦେହ ସାରା ଛୋଟ ବଡ଼ ବଥ ପରି ଫୁଲିଯାଇ ମାତିଚାଲିଛି। ଏହା ଯୋଗୁଁ ସମସ୍ତ ଶରୀରରେ ବଥା ହୋଇ ଭୀଷଣ ଜୋର୍‌ରେ ବିନ୍ଧାବିନ୍ଧି କରୁଥିବାରୁ କଷ୍ଟ ଭୋଗୁଛନ୍ତି। ରୋଗର ସଠିକ୍‌ କାରଣ ଜାଣି ପାରୁନଥିବା ବେଳେ ଗାଁ ମୁଣ୍ଡ ୩ ଛକରେ ଥିବା ଗାଡ଼ିଆରେ ରୋଗଗ୍ରସ୍ତ ଲୋକଙ୍କୁ ଗାଧୋଇ ସେମାନଙ୍କୁ ଧୂପ ଓ ଝୁଣାଧୂଅାଁରେ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି। ସେମାନଙ୍କ ଦେହରେ ଠାକୁରାଣୀ ଅଛନ୍ତି ବୋଲି ଅଞ୍ଚଳବାସୀ ବିଶ୍ୱାସ କରି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ମେଡିିକାଲ ନ ନେଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି ଚିକିତ୍ସା କରୁଛନ୍ତି। ଉକ୍ତ ଗ୍ରାମରେ ଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା ଦିଦି, ଅଙ୍ଗନବାଡ଼ି ଦିଦି କିମ୍ବା ଖୋଦ ନୀଳଗିରି ବ୍ଲକ ଅଧ୍ୟକ୍ଷାଙ୍କ ଘର ହୋଇଥିଲେ ସୁଦ୍ଧା ଘଟଣା ସଂପର୍କରେ କେହି ନ ଜାଣିବା ଅତି ପରିତାପର ବିଷୟ।

ଉକ୍ତ ଦୁଇଟି ଗ୍ରାମର ଆଜକୁ ୧୫ଦିନ ତଳେ ଏହିରୋଗ ଆରମ୍ଭ ହୋଇଥିଲା। ଏବେ ୫୦ଟି ପରିବାରର ପାଖାପାଖି ୧୦୦ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୂଷିତ ଜଳ ବ୍ୟବହାର ଯୋଗୁଁ ଏପରି ହୋଇଛି ବୋଲି ଅନୁମାନ କରାଯାଉଛି। ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଠାରୁ ଉକ୍ତ ଗାଁ ଗୁଡ଼ିକ ମାତ୍ର ୪ କି.ମି. ହୋଇଥିବା ବେଳେ ପ୍ରଶାସନ ଦୀର୍ଘ ୧୫ଦିନ ହେବ ଏହାର ସୁରାକ ନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମାଜସେବୀ ସୁଶାନ୍ତ ମହାପାତ୍ର ସମେତ ଗ୍ରାମବାସୀମାନେ ଆଜି ଗଣମାଧ୍ୟମକୁ ଡାକି ଏହାର ସମାଧାନ ପାଇଁ ଦାବି କରିଛନ୍ତି। ଏହି ରୋଗରେ ଉକ୍ତ ଗ୍ରାମର ଅରୁଣ ବେହେରାଙ୍କ ପୁଅ ସୁଶାନ୍ତ (୧୦), ଟିକ ସିଂଙ୍କ ପୁଅ ରାଜେଶ (୧୨), ବୁଧିରାମ ସିଂଙ୍କ ପୁଅ ଅତୁଲ (୩୦), ଉପେନ୍ଦ୍ର ସିଂଙ୍କ ପୁଅ ଅଜିତ (୬), ସନ୍ତୋଷ ସିଂଙ୍କ ପୁଅ ରାଜେଶ (୧୨), କଟିଆ ସିଂ ଙ୍କ ଝିଅ ସନ୍ଧ୍ୟାରାଣୀ (୫), ବୁଧୁ ସିଂଙ୍କ ପୁଅ ଶଙ୍କର (୧୦), ଗୌରାଙ୍ଗ ସିଂଙ୍କ ଝିଅ ଟିକିଲି (୮), ସ୍ତ୍ରୀ ରୀନା (୪୨), ଦୁର୍ଯ୍ୟୋଧନ ପଲେଇଙ୍କ ପୁଅ ଦୀପକ (୫), ସୁମିତ୍ରା ସିଂ (୫୦), ଉଷାରାଣୀ ସିଂ (୩), ସମେତ ବହୁ ଛୋଟବଡ଼ ପିଲା ସହିତ ବୃଦ୍ଧବୃଦ୍ଧା, ଯୁବକଯୁବତୀ ରୋଗାକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସଂପର୍କରେ ନୀଳଗିରି ଏସ୍‌ଡିଏମ୍‌ଓ ଡା. ଅଜୟକୃଷ୍ଣ ସାମଲଙ୍କୁ ପଚାରିବାରୁ ସିଡିଏମଓଙ୍କ ପରାମର୍ଶ କ୍ରମେ ଏକ ଡାକ୍ତରୀ ଦଳ ଉକ୍ତ ଗାଁକୁ ଅପରାହ୍ନରେ ପଠାଇ ତଦନ୍ତ କରାଯାଉଛି। ଆସନ୍ତାକାଲି ଅନ୍ୟ ଏକ ଡାକ୍ତରୀ ଟିମ୍‌ ପଠାଯିବ ବୋଲି ଡା. ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର