ଝାରସୁଗୁଡ଼ା: ବର୍ଷେ ହେଲା ଝାରସୁଗୁଡ଼ା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଲୋ’ ଲ୍ୟାଣ୍ଡ ଫିଲିଂ ନାମରେ କୌଣସି ଖାଲୁଆ ଜମିରେ ପାଉଁଶ ପୋତିବାକୁ ଅନୁମତି ଦିଆଯାଇନାହିଁ। ଖୋଦ ଏସ୍‌ପିସିବିର ଆଞ୍ଚଳିକ କାର୍ଯ୍ୟାଳୟର ଏହା ସୂଚନା। ଅଥଚ ଏହି ଅବଧି ଭିତରେ ଝାରସୁଗୁଡ଼ା ସହର ଓ ଆଖପାଖ ପଞ୍ଚାୟତ‌ରେ ପ୍ରାୟ ୫୦ଟି ସ୍ଥାନରେ ପାଉଁଶର ପାହାଡ଼ ସୃଷ୍ଟି କରିଦିଆଗଲାଣି। ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବେଦାନ୍ତ କାରଖାନାର ଯେଉଁ ହାତଗଣତି ୧୦-୧୨ଟି ଡମ୍ପିଂସ୍ଥଳର ଆକଳନ କରାଯାଇଥିଲା, ତା’ଠାରୁ ଢେରଗୁଣା ଅଧିକ ଡମ୍ପିଂ କରାଯାଇଛି।

Advertisment

ତେବେ ଏହିସବୁ ବେଆଇନ ପାଉଁଶ ଡମ୍ପିଂର ଆକଳନ କେବେ ହେବ ବୋଲି ପ୍ରଶ୍ନ ଉଠିଲାଣି। ଏହି କିଛିଦିନ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ମାଳମାଳ ବେଆଇନ ପାଉଁଶ ଡମ୍ପିଂ ଘଟଣା ସାମ୍ନାକୁ ଆସିଛି। ସବୁଠି ପୁଣି ପାଉଁଶ ପୋତିବାର ସମାନ ତରିକା। ପ୍ରଥମେ ସରକାରୀ ଜମିରେ ଥିବା ମୋରମ୍‌ ଖୋଳି ବିକ୍ରି କରିଦିଆଯିବା ପରେ କେଉଁଠି ୫୦ ଫୁଟ୍‌ ତ କେଉଁଠି ଶହେ ଫୁଟ୍‌ ଉଚ୍ଚର ପାଉଁଶ ପାହାଡ଼ ତିଆରି କରିଦିଆଯାଉଛି। ଝାରସୁଗୁଡ଼ା ସହର ଉପକଣ୍ଠରେ ଥିବା ଲହଣ୍ଡାବୁଡ଼ର ହାତୀପଡ଼ାର ଟିପିଏସ୍‌ଏଲ୍‌ କାରଖାନା ନିକଟରେ ଏଭଳି ଏକ ନୂତନ ପାହାଡ଼ ତିଆରି କରାଯାଇଥିବା ଅଭିଯୋଗ ହୋଇଥିଲା। ସେଠାରେ ଥିବା ମୋରମ୍‌ ଖାଦାନକୁ କାଟି ପାଉଁଶ ଡମ୍ପିଂ ୟାର୍ଡ କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୫ ଏକର ଜାଗାରେ ମୋରମ୍‌ ଖଣିରୁ ମୋରମ୍‌ ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ବିକ୍ରି କରିଦିଆଯାଇଥିବା ବେଳେ ଏଠାରେ ପ୍ରାୟ ୫୦ ଫୁଟ୍‌ ଉଚ୍ଚର ପାଉଁଶ ପାହାଡ଼ ତିଆରି କରିଦିଆଯାଇଛି।

ପାଉଁଶ ନ ଉଡ଼ିବା ପାଇଁ ଓ ଲୋକଙ୍କ ନଜରକୁ ନ ଆସିବା ପାଇଁ ପାହାଡ଼ ଉପରେ ମୋରମ୍‌ର ଏକ ପତଳା ଆସ୍ତରଣ ବି ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷାରେ ଏହି ମୋରମ ଆସ୍ତରଣ ଭାସିଯିବା ପରେ ପାଉଁଶ ପାହାଡ଼ ଜଳଜଳ ହୋଇ ଦେଖାଯାଉଛି। ଦ୍ବିତୀୟରେ ବିଜୁ ଏକ୍ସପ୍ରେସ୍‌ ୱେର ପଞ୍ଚପଡ଼ା ନିକଟସ୍ଥ ଆର୍‌ଓବି କଡ଼ରେ ମଧ୍ୟ ରାସ୍ତା ତିଆରି ନାଁରେ ହଜାର ହଜାର ଟନ୍‌ ପାଉଁଶ ଢାଳି ଦିଆଯାଇଛି। ଏବେ ଚାଷ ସମୟ ହୋଇଥିବା ବେଳେ ଏହିସବୁ ପାଉଁଶ ଗଦାରୁ ପାଉଁଶ ଗୁଣ୍ଡ ବୋହି ଲୋକଙ୍କ ଜମିରେ ପଶୁଛି। କେବଳ ସେତିକି ନୁହେଁ, ରାସ୍ତା ତିଆରି ନାଁରେ ଠାଏଠାଏ ପାଉଁଶ ଗଦା କରିଦିଆଯାଇଥିବାରୁ ଉକ୍ତ ଅଞ୍ଚଳର ଲୋକମାନେ ଘରୁ ବାହାରି ପାରୁନଥିବା ଅଭିଯୋଗ କରିଛନ୍ତି। ପାଉଁଶ ଡମ୍ପିଂ ଘଟଣାରେ ୨ଟି ବିଭାଗର ସିଧାସଳଖ ସମ୍ପୃକ୍ତି ରହୁଛି। ପ୍ରଥମେ ଏହି ପାଉଁଶ ଡମ୍ପିଂ ପାଇଁ ବେଆଇନ ଭାବେ ମୋରମ୍‌ କାଟି ନିଆଯାଉଥିବା ବେଳେ ଖଣି ଓ ଇସ୍ପାତ ବିଭାଗ ନିରବଦ୍ରଷ୍ଟା ସାଜୁଛି। ଏ ଦିଗରେ ଖଣି ବିଭାଗ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ପ୍ରଥମେ ମୋରମ୍ ଖୋଳି ୪୦-୫୦ ଫୁଟ୍‌ର ଗର୍ତ୍ତ କରିବା ପରେ ପାଉଁଶ ଡମ୍ପିଂ କରାଯାଉଛି। ଅନ୍ୟପଟେ ପାଉଁଶ ଡମ୍ପିଂ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।