ଭୁବନେଶ୍ୱର : ବରଗଡ଼ରେ କ୍ୟାନ୍ସର୍ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରି ମାସରେ ଘୋଷଣା କରିଥିଲେ। ଏହି ହସ୍ପିଟାଲ୍କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ଉଚ୍ଚସ୍ତରୀୟ ବୈଠକରେ ହସ୍ପିଟାଲ୍ର ଅଗଗ୍ରତି ସମ୍ପର୍କରେ ସମୀକ୍ଷା କରିଥିଲେ।
ଭର୍ଚୁଆଲ୍ ମୋଡ୍ରେ ହୋଇଥିବା ଏହି ବୈଠକରୁ ଜଣାପଡ଼ିଛି ଯେ ବରଗଡ଼ର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍ରେ କ୍ୟାନ୍ସର୍ କେୟାର୍ ହସ୍ପିଟାଲ୍ ପ୍ରତିଷ୍ଠା ହେବ। ୫୦ ଶଯ୍ୟାରୁ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବ। ବିଶେଷଜ୍ଞ କମିଟି ହସ୍ପିଟାଲ୍ ପାଇଁ ସ୍ଥାନ ଚିହ୍ନଟ କରିବା ସହ କିପରି କ୍ଲିନିକାଲ୍ ଫାସିଲିଟି ପାଇଁ ଆବଶ୍ୟକ ବନ୍ଦୋବସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରେଡିଓଥେରାପି, ସିଟି ସିମୁଲେଟର୍, ଇମୋବାଇଲାଇଜେସନ୍, ହିଷ୍ଟୋପାଥୋଲୋଜି ଲାବରୋଟାରି, ଏମର୍ଜେନ୍ସି କେୟାର ଓ ଡେ’ କେୟାର କେମୋଥେରାପି ଆଦିର ସୁବିଧା ସେଠାରେ ଉପଲବ୍ଧ ହେବ।ରେଡିଓଥେରାପି ୟୁନିଟ୍ ପାଇଁ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ଆବଶ୍ୟକ ନିର୍ମାଣ କାର୍ଯ୍ୟ କରାଯିବ।
ଯଥେଷ୍ଟ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ରେଡିଏସନ୍ ଅଙ୍କୋଲୋଜିଷ୍ଟ, ମେଡିକାଲ୍ ଫିଜିସିଷ୍ଟ, ରେଡିଓଥେରାପି ଟେକ୍ନିସିଆନ୍, ଏମର୍ଜେନ୍ସି ଡାକ୍ତର, ନର୍ସ, ଫ୍ରଣ୍ଟ୍ ଅଫିସ୍ ଏଗ୍ଜିକ୍ୟୁଟିଭ୍, ଫାର୍ମାସିଷ୍ଟ, କେମୋ ନର୍ସ ଆଦି ନିଯୁକ୍ତି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ହସ୍ପିଟାଲ୍କୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିସନ୍ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ, ଓଡ଼ିଶା ରାଜ୍ୟ ଔଷଧ ନିଗମ ନିର୍ଦ୍ଦେଶିକା ୟାମିନୀ ଷଡ଼ଙ୍ଗୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ରଙ୍କ ସମେତ ବରିଷ୍ଠ ଡାକ୍ତରମାନେ ବୈଠକରେ ସାମିଲ ହୋଇଥିଲେ।