ରାଉରକେଲା: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତୀକ୍ଷିତ ହକି ବିଶ୍ୱକପ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଷ୍ଟିଲ୍‌ସିଟି ରାଉରକେଲା। ସହରର ପ୍ରତ୍ୟେକ ଛକ, ରାସ୍ତା କଡ଼ରେ ମନୋରମ ଆଲୋକ ବ୍ୟବସ୍ଥା ସାଙ୍ଗକୁ ହକି ପ୍ରତିକୃତି ସ୍ଥାପନ କରାଯାଇଛି। ଏବେ ସହରକୁ ଅଧିକ ସୁରକ୍ଷିତ ରଖିବାକୁ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ପ୍ରମୁଖ ଅଞ୍ଚଳରେ ସିସିଟିଭି ଖଞ୍ଜାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୦ରୁ ଉର୍ଦ୍ଧ୍ବ ସିସିଟିଭି ଲଗାଯାଇଥିବାବେଳେ ଆଗାମୀ ଦିନରେ ପ୍ରାୟ ୩ ଶହ ସିସିଟିଭି ଲଗାଯିବ।

Advertisment

ହକି ମହାକୁମ୍ଭ ପାଇଁ ସହରକୁ ବିଭିନ୍ନ ଦେଶର ଖେଳାଳି, ଅଫିସିଆଲଙ୍କ ସମେତ ଭିଭିଆଇପିଙ୍କ ଆଗମନ ଆରମ୍ଭ ହୋଇଗଲାଣି। ଦେଶର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରାୟ ୨୧ ହଜାର ଦର୍ଶକ ବିଶ୍ୱକପ ଦେଖିବେ। ଏଣୁ ଦର୍ଶକଙ୍କ ସୁରକ୍ଷା ଓ ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ସିସିଟିଭି ଲଗାଇବା ଆରମ୍ଭ ହୋଇଯାଇଛି। ପ୍ରାଥମିକ ପର୍ଯ୍ୟ‌ାୟରେ ବିର୍ସା ଛକରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଛକ ପର୍ଯ୍ୟନ୍ତ ଏହି ସିସିଟିଭି ଲଗାଯାଇଛି। ବିଭିନ୍ନ ଛକ, ଯଥା-ଟ୍ରାଫିକ୍‌ ଗେଟ୍‌, ପ୍ଲାଣ୍ଟ୍‌ସାଇଟ୍‌ ଛକ, ନାଲାରୋଡ୍‌, ପାୱାର ହାଉସ୍‌ ରୋଡ୍‌ ଛକ, ଆର୍‌ଏମ୍‌ସି ଛକ, ହନୁମାନ ବାଟିକା, ଡିଏଭି ଛକ, ଛେଣ୍ଡ୍‌ ଛକ, ଅଭିଜ୍ଞାନ ଛକ, ହକି ଛକ ଆଦି ସ୍ଥାନରେ ସିସିଟିଭି ଲାଗିଛି। ଆଗାମୀ ଦିନରେ ସିଭିଲ୍‌ ଟାଉନସିପ୍‌ଠାରୁ ଆରମ୍ଭକରି ପାନପୋଷ, ଛେଣ୍ଡ୍‌, ପାନପୋଷ, ଉଦିତନଗର ଆଦି ଅଞ୍ଚଳରେ ସିସିଟିଭି ଲାଗିବ। ଏତଦବ୍ୟତୀତ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅଟୋମେଟିକ ଟ୍ରାଫିକ ସିଗ୍ନାଲ ସିଷ୍ଟମ ସ୍ଥାପନ କରାଯାଇଛି। ରାଉରକେଲାକୁ ଆସିବାକୁ ଥିବା ହକିପ୍ରେମୀଙ୍କ ସୁରକ୍ଷା ଓ ଗମନାଗମନରେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି; ସେଥିପାଇଁ ଏସବୁ ବ୍ୟବସ୍ଥା କରାଯାଇଥିବା ସ୍ମାର୍ଟସିଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

publive-image