ଟେଣ୍ଡର ଏଡାଇବାକୁ ଭାଗ କରି ବାଣ୍ଟିଦେଲେ: ୧୦ ସ୍କୁଲର କାମକୁ ୫୦ ଠିକାଦାର !

ରାଉରକେଲା : ଜିଲ୍ଲାରେ ସ୍କୁଲର ଭିତ୍ତିଭୂମିର ବିକାଶ, ମରାମତି କାମ ଏମିତି ଚାଲିଛି। ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ହେଉ ଅବା ଅନ୍ୟାନ୍ୟ ପାଣ୍ଠିରେ ସଠିକ୍‌ ବିନିଯୋଗ ହେଉନି। ଭିତିରି ସଲାସୁତୁରାରେ ଚାଲିଛି ଠିକାଦାର ପୋଷାନୀତି। ପିଡବ୍ଲ୍ୟୁଡି କୋଡ୍‌ ଅନୁଯାୟୀ ୫ ଲକ୍ଷରୁ ଅଧିକ ଟଙ୍କାର କାମ ପାଇଁ ଖୋଲା ଇ-ଟେଣ୍ଡର ବାଧ୍ୟତାମୂଳକ। ଜିଲ୍ଲାର କିଛି ବିଭାଗ ସରକାରଙ୍କ ମାର୍ଗଦର୍ଶିକାକୁ ପାଳନ କରୁଛନ୍ତି। ଅନ୍ୟ କିଛି ବିଭାଗର ବିଭାଗୀୟ ଅଧିକାରୀ ଫୁଃ କରି ଦେଉଛନ୍ତି। ଟେଣ୍ଡର ଏଡାଇବାକୁ ଡିପାର୍ଟମେଣ୍ଟାଲ ଆଳ ଦେଖାଉଛନ୍ତି। ପରେ କାମଗୁଡ଼ିକୁ ଭାଗ ଭାଗ କରି ବାଣ୍ଟିଦେଉଛନ୍ତି। ତାହା ପୁଣି ଜଣେ କି ଦୁଇଜଣ ନୁହେଁ ସମାନ କାମକୁ ୫ରୁ ୬ ଠିକାଦାରଙ୍କୁ। ଏମିତି ବିଚିତ୍ର ବ୍ୟବସ୍ଥା ଚାଲିଛି ପାନପୋଷ ଆଇଟିଡିଏରେ।

ନିକଟରେ ‘ମୋ ସ୍କୁଲ ଅଭିଯାନ’ରେ ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ କୋଟି କୋଟି ଟଙ୍କା ମଞ୍ଜୁରି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟ କଥା, କେଉଁ ସ୍କୁଲରେ କେତେ ଟଙ୍କା ଖର୍ଚ୍ଚ ହେବ ? କି କି କାମ ତା’ର ତାଲିକା ପ୍ରସ୍ତୁତ ନ କରି ଅର୍ଥ ମଞ୍ଜୁର ନ ହେବା ପୂର୍ବରୁ କାମଗୁଡ଼ିକୁ ବାଣ୍ଟି ଦେଇଛନ୍ତି। ସହରର ୧୦ଟି ସ୍କୁଲର ମରାମତି, ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ସାଢ଼େ ୪ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି। ସ୍କୁଲଗୁଡ଼ିକ ମଧ୍ୟରେ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ସାରନଗରୀ ବାଲିଯୋଡିର ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ, ଡେଲିମାର୍କେଟ ଉଚ୍ଚ ବିଦ୍ୟାଳୟ, ପ୍ଲାଣ୍ଟସାଇଟ୍‌ ସ୍ଥିତ ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ, ବନ୍ଧମୁଣ୍ଡାର କଲ୍ୟାଣୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣା ଷ୍ଟେସନ ନିକଟ ରାଷ୍ଟ୍ରୀୟ ଉଚ୍ଚ ବିଦ୍ୟାଳୟ, ୱାର୍ଡ ନଂ ୧୩ର ଗୋପବନ୍ଧୁପାଲୀ ଅପ୍‌ ‌ଗ୍ରେଡେଡ୍‌ ଉଚ୍ଚ ବିଦ୍ୟାଳୟ, ବାସନ୍ତୀ କଲୋନିର ବାସନ୍ତୀ କଲୋନି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସେକ୍ଟର-୨୧ ନୟାବଜାର ମ୍ୟୁନସିପାଲ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଥିବାବେଳେ ଆର୍‌ଏମ୍‌ସି ଭିତ୍ତିଭୂମି ବିକାଶ କରୁଥିବା ସ୍କୁଲଗୁଡ଼ିକ ହେଉଛି ଦେଓଗାଁର ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ, ସିଭିଲଟାଉନସିପ୍‌ ନ୍ୟୁ ଏଲ୍‌ଆଇସି କଲୋନିର ଡେଭଲପ୍‌ଡ୍‌ ଏରିଆ ଉଚ୍ଚ ବିଦ୍ୟାଳୟ, ପାନପ‌ୋଷର ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଣ୍ଡ ହାଉସିଂ କଲୋନି ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ସେକ୍ଟର-୧୬ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ।

ବର୍ତ୍ତମାନ ପର୍ଯ୍ୟନ୍ତ ଡିଏମ୍‌ଏଫ୍‌ରୁ ପାଣ୍ଠି ଆସିନି। ଅକ୍ଟୋବର ସୁଦ୍ଧା କାମ ସାରିବା ନାଁରେ ଗୋଟିଏ ସ୍କୁଲକୁ ୪ରୁ ୬ ଠିକାଦାରଙ୍କୁ କାମ ବାଣ୍ଟି ଦିଆଯାଇଛି। ଏମିତି ଭାବେ ୧୦ଟି ସ୍କୁଲର କାମକୁ ହାତେଇଛନ୍ତି ପ୍ରାୟ ୫୦ ଠିକାଦାର। ସେମାନେ କାମ ଆରମ୍ଭ କରି ଦେଇଛନ୍ତି। ଅନ୍ୟପଟେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପାଇଥିବା ଅନ୍ୟ ୫ଟି ସ୍କୁଲର ‌ଖୋଲା- ଇଟେଣ୍ଡର କରିବାକୁ ଯାଉଛି। କେବଳ ଆର୍‌ଏମ୍‌ସି ନୁହେଁ ସୁନ୍ଦରଗଡ ଜିଲ୍ଲାରେ ବୀମରିତ୍ରପୁରରେ ୪ଟି, ବିଶ୍ରାରେ ଗୋଟିଏ, ହେମଗିରିରେ ୫ଟି, କୋଇଡାରେ ଗୋଟିଏ, କୁଆରମୁଣ୍ଡାରେ ୧୪ଟି, କୁତ୍ରାରେ ୪୮ଟି, ଲେଫ୍ରିପଡାରେ ୧୨ଟି, ନୂଆଗାଁରେ ୭ଟି, ରାଜଗାଙ୍ଗପୁରରେ ୮ଟି, ସୁନ୍ଦରଗଡ ସଦର ବ୍ଲକରେ ୩ଟି ସ୍କୁଲର ବିଳ୍‌ଡିଂ ଓ ମରାମତି ପାଇଁ ଅନ୍ୟ ପାଣ୍ଠିରୁ କୋଟି କୋଟି ମଞ୍ଜୁର ହୋଇଛି। ଏଥିପାଇଁ ମଧ୍ୟ ଖୋଲା ଇ-ଟେଣ୍ଡର ଡକାଯାଇଥିବାବେଳେ ପାନପୋଷ ଆଇଟିଡିଏ ମୋଟା ଅଙ୍କର ପିସି ହାତେଇବାକୁ ଡିପାର୍ଟମେଣ୍ଟାଲ ବାଟ ଆପଣେଇଛି। ପାନପୋଷ ଆଇଟିଡିଏର ଏଭଳି ବିଚିତ୍ର ନିୟମକୁ ଉଭୟ ବିଜେପି ଓ ଜିଲ୍ଲା କଂଗ୍ରେସ ପକ୍ଷରୁ କଡା ବିରୋଧ କରାଯାଇଛି।

ବିଜେପିର ବରିଷ୍ଠ ନେତା ନିହାର ରାୟ କହିଛନ୍ତି, ସରକାରଙ୍କ ଅର୍ଥକୁ ବାଟମାରଣର କରିବାକୁ ବିଭାଗୀୟ ଅଧିକାରୀ ଏଭଳି କରୁଛନ୍ତି। କେଉଁ ସ୍କୁଲ ପାଇଁ କେତେ ଟଙ୍କା ବ୍ୟୟ କରାଯିବ ବିଭାଗ ପାଖରେ ତଥ୍ୟ ନାହିଁ। ଆଗୁଆ କାମକୁ ଭାଗ ଭାଗ କରି ବାଣ୍ଟି ଦେବା ନିୟମ ବିରୋଧୀ। କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ବିରେନ ସେନାପତି କହିଛନ୍ତି, ସମାନ କାମକୁ ଆର୍‌ଏମ୍‌ସି ଟେଣ୍ଡର କରିବାକୁ ଯାଉଛି। ଜିଲ୍ଲା ଅନ୍ୟ ବ୍ଲକରେ କୋଟି କୋଟି ଟଙ୍କାର ଖୋଲ-ଇଟେଣ୍ଡର ହେଉଛି। ପାନପୋଷ ଆଇଟିଡିଏର ବିଭାଗୀୟ ଅଧିକାରୀଙ୍କ ସରକାରଙ୍କ ନିୟମରେ ଉର୍ଦ୍ଧ୍ବରେ। ଏଭଳି ବେଆଇମ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି। ପାନପୋଷ ଉପଜିଲ୍ଲାପାଳ ତଥା ଆଇଟିଡିଏର ଭାରପ୍ରାପ୍ତ ପ୍ରକଳ୍ପ ପ୍ରଶାସକ ଦୌଲତ ଚନ୍ଦ୍ରାକର କହିଛନ୍ତି, ଆଗମୀ ଅକ୍ଟୋବର ସୁଦ୍ଧା କାମ କରିବାକୁ ରହିଛି। ‌ଗୋଟିଏ ଗୋଟିଏ ସ୍କୁଲରୁ ୪ରୁ ୫ ଠିକାଦାରଙ୍କୁ କାମ ଦିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରାଯାଉଛି। ଡିଏମ୍‌ଏଫ୍‌ ପାଣ୍ଠିରୁ ଖର୍ଚ୍ଚ କରାଯିବ। ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଏଥିପାଇଁ ଟେଣ୍ଡର କରାଯାଇ ନାହିଁ। ନୂଆ ବିଲ୍‌ଡିଂ ନିର୍ମାଣ ହେଲେ ଟେଣ୍ଡର କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର