ରାଜା ଉଗାଳୁଛି କଳା ସାମ୍ରାଜ୍ୟର କଥା, ୪ ବର୍ଷରେ ୫୦ କୋଟିରୁ ଊର୍ଧ୍ବ ଟଙ୍କାର ମାଲିକ

ବାଲେଶ୍ୱର: ବାଲେଶ୍ୱରରେ ବ୍ରାଉନସୁଗାର କାରବାରର ମୂଳୋତ୍ପାଟନ କରିବା ଲକ୍ଷ୍ୟରେ ଏସ୍‌ଟିଏଫ୍‌ ଟିମ୍। ଗତ ୨୦ ତାରିଖରୁ ଗତକାଲି ଯାଏ ଟିମ୍‌ ନିଶାମାଫିଆ ସେକ୍‌ ରାଜା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ତଥ୍ୟ ସଂଗ୍ରହ କରିଛି। ଏଥିସହିତ ରାଜାକୁ ବାରମ୍ବାର ଜେରା କରିଛି। ଜେରା ସମୟରେ ସେ କଳା ସାମ୍ରାଜ୍ୟର ବହୁ ଗୋପନ କଥା ଏସ୍‌ଟିଏଫ୍‌ ଟିମ୍‌ ନିକଟରେ ଉଗାଳିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଅଚଳାଚଳ ସମ୍ପତ୍ତି
ରାଜାର ଅପରାଧିକ ଲିଙ୍କ୍‌ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ଏସ୍‌ଟିଏଫ୍‌କୁ ମିଳିଥିବା ଜଣାପଡ଼ିଛି। ରାଜା ଏହି କାରବାରରେ ସମ୍ପୃକ୍ତ ରହି କୋଟିକୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ମାନିଛି। ଯେଉଁଥିରେ ତା’ର ଏକାଧିକ ସ୍ଥାନରେ ଜାଗା, ଘର, ବଙ୍ଗଳା, ବ୍ୟା‌ଙ୍କ ବାଲାନ୍‌ସ , ଗାଡ଼ି, ଟ୍ରଲର ଓ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ସେଗୁଡ଼ିକ ମଧ୍ୟରେ ବାଲେଶ୍ବର ସହର ଅରଡ଼ବଜାର ମସଜିଦଗଳିସ୍ଥିତ ୩ ମହଲାର ଅଟ୍ଟାଳିକା ସଦୃଶ ଘର, ତେଲେଙ୍ଗାସାହି ସ୍ଥିତ ସମ୍ବେଦନା ଆପାର୍ଟମେଣ୍ଟରେ ବି-୧୦୬ ନମ୍ବର ଫ୍ଲାଟ୍‌, ସିନେମାଛକ ମୋତିଗଂଜ ବଜାରର ଏକ କପଡ଼ା ଦୋକାନ, ସହରର ରାଣୀପାଟଣାରେ ଜାଗା, ସହର ଉପକଣ୍ଠ ବାଲିବିଲ ଅଞ୍ଚଳରେ ଜାଗା, ଦହପଡ଼ା ପେଟ୍ରୋଲ ପମ୍ପ ନିକଟରେ ଜାଗା, ଜଳେଶ୍ବର ଥାନା ଅଧୀନ କାର୍ଗିଲ ନଗରରେ ଜାଗା ଓ ଗୋଟିଏ ଟ୍ରଲର ରହିଥିବା ସେ କହିଛି। ଏହାଛଡ଼ା ଜିଲ୍ଲା ପୁଲିସର ସ୍ବତନ୍ତ୍ର ଟିମ୍‌ ରାଜା, ତାର ଭାଇ ଓ ତାର ସ୍ତ୍ରୀ ପ୍ରିୟା ବିୱି ନାଁରେ ଥିବା ୩ଟି କାର ସହ ୪ଟି ବାଇକ୍‌ ଜବତ କରିଛି। ଏହାଛଡ଼ା ତା ନାଁରେ ଆଉ କେତେ ସମ୍ପତ୍ତି ରହିଛି ସେନେଇ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି।

୪ ବର୍ଷରେ ୫୦ କୋଟିରୁ ଊର୍ଧ୍ବ ଟଙ୍କାର ମାଲିକ
ବ୍ରାଉନସୁଗାର କାରବାରରେ ରାଜା ପାଦ ଥାପିଥିଲା ୨୦୧୫ ମସିହାରେ। ଇତିମଧ୍ୟରେ ସେ ଅରଡ଼ବଜାରରୁ ଅନ୍ତର୍ଜାତୀୟ ବଜାର ପର୍ଯ୍ୟନ୍ତ ନିଜ ଅପରାଧିକ ଚେରକୁ ବେଶ୍‌ ମଜବୁତ କରିପାରିଛି। ଘରର ଆର୍ଥିକ ସ୍ବଚ୍ଛଳତା ନଥିବା ଯୋଗୁ ପିଲାଟି ବେଳୁ ଗୋଆ ଯାଇ ହୋଟେଲବୟ ଭାବେ କାମ କରିବା ଓ ପରେ ବାଲେଶ୍ବର ଫେରି ରାସ୍ତାକଡ଼ରେ ଋତୁକାଳୀନ ବ୍ୟବସାୟୀ ବନିଥିବା ସେଦିନର ରାଜା ଅପରାଧିକ ଜଗତରେ ପାଦ ଥାପି ଯେ ଦିନେ ଏତେ ଧନୀ ହୋଇଯିବ, ତାହା ଏବେ ଜାଣୁଥିବା ଲୋକ ତାଜୁବ୍‌ ହୋଇଯାଉଛନ୍ତି। ରାଜା ଏବେ କୋଟିଏ କି ପାଞ୍ଚକୋଟିର ନୁହେଁ, ମାତ୍ର ୪ ବର୍ଷରେ ‌ସେ ୫୦ କୋଟିରୁ ଊର୍ଧ୍ବ ଟଙ୍କାର ମାଲିକ ବନିପାରିଥିବା ଏସ୍‌ଟିଏଫ୍‌ ଓ ପୁଲିସ ଜାଣିବାକୁ ପାଇଛନ୍ତି।

ଆଲିଶାନ ଘର
ରାଜା ବେଶ୍‌ ସୌଖୀନ ପ୍ରିୟ ଥିଲା। ଏହା ତା’ର ଷ୍ଟାଇଲ, ଗେଟ୍‌ଅପ୍‌ ଓ ଘରକୁ ଦେଖିଲେ ଯେକେହି ବି ଜାଣିପାରିବ। ଅରଡ଼ବଜାର ମସଜିଦ୍‌ ଗଳିରେ ଗତକାଲି ଏସ୍‌ଟିଏଫ୍‌ ରାଜାର ଘରେ ଚଢ଼ଉ ସମୟରେ ଦେଖିବାକୁ ମିଳିଥିଲା। ତିନିମହଲା ବିଶିଷ୍ଟ ସେହି ଘରର ଚଟାଣ ଓ କାନ୍ଥରେ ଦାମୀ ମାର୍ବଲ ଏବଂ ଟାଇଲ ଲାଗିଛି। ଘ‌ର ଭିତରେ ଆକର୍ଷଣୀୟ ଇଣ୍ଟେରିଅର ଡିଜାଇନ ହୋଇଥିବା ବେଳେ ଘରର ବାହା ପଟୁ ଭିତର ପର୍ଯ୍ୟନ୍ତ ସବୁଆଡ଼େ ନାମୀଦାମୀ ଫର୍ଣ୍ଣିଚର ଓ ଆସବାବପତ୍ର ଦେଖାଯାଇଥିଲା। ଅନ୍ୟପକ୍ଷରେ ତେଲେଙ୍ଗାସାହି ସ୍ଥିତ ସମ୍ବେଦନା ଆପାର୍ଟମେଣ୍ଟର ବି-ବ୍ଲକ୍‌ ୧୦୬ ନମ୍ବର ଫ୍ଲାଟକୁ ସେ ନିକଟରେ ନିଜ ପତ୍ନୀ ପ୍ରିୟା ବିୱି ନାଁରେ କିଣିଥିବା ବେଳେ ସେଠାରେ ସେ କିଛିଦିନ ପରେ ତାର ପରିବାର ନେଇ ରହିଥାନ୍ତା। ଏହି ଘରକୁ ସେ ଆସିବା ପୂର୍ବରୁ ଇଣ୍ଟେରିଅର ଡିଜାଇନ କରୁଥିଲା। ତେବେ ଏସ୍‌ଟିଏଫ୍‌ ଆଜି ତା ଫ୍ଲାଟରେ ଚଢ଼ଉ ବେଳେ ସେଠାରେ ଚାଲିଥିବା ଡିଜାଇନ୍‌କୁ ଦେଖି ସମସ୍ତେ ଆଶ୍ବର୍ଯ୍ୟ ହୋଇଯାଇଥିଲେ। ୩ ବିଏଚ୍‌କେ ବିଶିଷ୍ଟ ଏହି ଫ୍ଲାଟକୁ ସେ ସ୍ବପ୍ନର ମହଲ ଭଳି ସଜାଉଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ବଜେଟ୍‌ ଥିବାବେଳେ ଆହୁରି ଅଧିକ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥା’ନ୍ତା ବୋଲି ତଦନ୍ତ ବେଳେ ସେଠାରେ କାମ ‌ନେଇଥିବା ଠିକାଦାରଠାରୁ ଜାଣିବାକୁ ମିଳିଥିଲା।

ଭୁଶୁଡ଼ିବ କଳାସାମ୍ରାଜ୍ୟ
ଅପରାଧିକ କାରବାରରେ ସାମିଲ ହୋଇ ନିଜ ନିଜର କଳା ସାମ୍ରାଜ୍ୟ ବଢ଼ାଇଥିବା କୁଖ୍ୟାତ ଅପରାଧୀମାନେ ଆଇନ ଆଖିରେ କେବେ ବି ଧୂଳିଦେଇପାରି ନାହାନ୍ତି। କଟକର ଧଳ ବ୍ରଦର୍ସ, କେନ୍ଦ୍ରା‌ପଡ଼ାର ଟିଟୋ-ହାଇଦର ଭଳି ଗ୍ୟାଙ୍ଗ୍‌ଷ୍ଟର ଏହାର ସଦ୍ୟ ଉଦାହରଣ। କ୍ରାଇମବ୍ରାଞ୍ଚ୍‌ର ସ୍ପେଶାଲ ଟାସ୍କ ଫୋର୍ସ ଏହି କୁଖ୍ୟାତ ଅପରାଧୀମାନଙ୍କୁ ଧରିବା ପରେ ସେମାନଙ୍କ ସାମ୍ରାଜ୍ୟକୁ ସମୂଳେ ଧ୍ବଂସ କରି ଜେଲ ଚାରିକାନ୍ଥ ଭିତରକୁ ଠେଲି ଦେଇଛନ୍ତି। ତେବେ ‌ବ୍ରାଉନସୁଗାର ମାଫିଆ ରାଜା କ୍ଷେତ୍ରରେ ବି ସେୟା ହେବ ବୋଲି ଜଣାପଡ଼ିଛି। ନିଶା କାରବାରରେ ରାଜା ରାଜ୍ୟ ଓ ରାଜ୍ୟ ବାହାରେ କରିଥିବା କୋଟି କୋଟି ଟଙ୍କାର କଳା ସାମ୍ରାଜ୍ୟକୁ ସମୂଳେ ଧ୍ବଂସ କରିବା ସହ ଅରଡ଼ବଜାରରେ ନିଶା କାରବାରକୁ ବନ୍ଦ କରିବା ଅଭିଯାନକୁ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର