ଏର୍ଣ୍ଣାକୁଲମରେ ଫସିଛନ୍ତି ୫୦ ଡଙ୍ଗରିଆ : ସହାୟତା କରୁନାହିଁ କେରଳ ପ୍ରଶାସନ, ଉପାସରେ ଦିନ କଟୁଛି

ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ କୁର୍ଲି ସରପଞ୍ଚ, ଫେରିବା ଅପେକ୍ଷାରେ ୨୦୦ରୁ ଊର୍ଧ୍ବ ଯୁବକ

ରାୟଗଡ଼ା : ଦେଢ଼ ମାସ ହେଲା ରୋଜଗାର ବନ୍ଦ। ସଞ୍ଚିତ ଅର୍ଥ ସରିଗଲାଣି। ମାଲିକର ହାତ ଟେକା ସାହାଯ୍ୟରେ ବଞ୍ଚିଛୁ। ଭିଟାମାଟିକୁ ଫେରିବାକୁ ଆକୁଳ ନିବେଦନ ସତ୍ତ୍ବେ କେରଳ ପୁଲିସ୍, ପ୍ରଶାସନ ସହାୟତା କରୁନି। ଥାନାରୁ ଥାନା, ଅଫିସରୁ ଅଫିସକୁ ଘୂରି ବୁଲି ପଞ୍ଜୀକରଣ କରିବାରେ ଦିନ ବିତୁଛି। କିନ୍ତୁ ଘରକୁ ଫେରିବାର ରାସ୍ତା ଫିଟୁନି। ଯେମିତି ହେଉ ଆମକୁ ଉଦ୍ଧାର କରନ୍ତୁ…।

କେରଳ ଏର୍ଣ୍ଣାକୁଲମ୍ ଜିଲ୍ଲା ପେରୁମବାରିୟର୍ ସହରରେ ଫସିଛନ୍ତି ୫୦ ଡଙ୍ଗରିଆଙ୍କ ସହ ୨୦୦ରୁ ଊର୍ଧ୍ବ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଯୁବକ। ନିୟମଗିରି ପାର୍ବତ୍ୟାଞ୍ଚଳର ମୁଣ୍ଡବାଲି, କୁର୍ଲି, କଲ୍ୟାଣସିଂହପୁର, ଚାଟିକଣା, ଭାତପୁର, ମୁନିଗୁଡ଼ା, ଅମ୍ବାଦଳା, କାଶୀପୁର, ଦୁରିଗୁଡ଼ା ଗାଁର ଏହି ଯୁବକମାନେ ପେଟପାଟଣା ପାଇଁ ବର୍ଷ ବର୍ଷ ଧରି କେରଳର ବିଭିନ୍ନ ହୋଟେଲ୍, ଲଜ୍, ପ୍ଲାଏଉଡ୍ କଂପାନି, ବାର୍ ଓ ନିର୍ମାଣାଧୀନ କୋଠାରେ ମିସ୍ତ୍ରୀ ଓ ହେଲପର୍ ଭାବେ କାମ କରି ଆସୁଛନ୍ତି। ମାର୍ଚ୍ଚ ୨୫ ଲକ୍‌ଡାଉନ୍ ପରଠୁ ଏହି ଯୁବକମାନେ ନାହିଁନଥିବା ଅସୁବିଧା ଭିତରେ କେରଳରେ ପଡ଼ି ରହିଥିବାରୁ ଫସିଥିବା ଯୁବକଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ କୁର୍ଲି ସରପଞ୍ଚ ଡିଞ୍ଜ ଜାକେସିକା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଅନୁସୂଚିତ ଜାତି, ଜନଜାତି ବିଭାଗ ସହିତ କୋରାପୁଟ ସାଂସଦଙ୍କୁ ମଧ୍ୟ ଡିଞ୍ଜ ଜାକେସିକା ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ଫସିଥିବା ଯୁବକଙ୍କ ମଧ୍ୟରୁ କୁର୍ଲି ଗ୍ରାମର ପ୍ରତାପ ଗରିଡ଼ିଆଙ୍କ କହିବାନୁଯାୟୀ, ଲକ୍‌ଡାଉନ୍ ପରେ ଘରକୁ ଫେରିବାକୁ ସମସ୍ତ ଶ୍ରମିକ ୱାଟର୍ ଅଥରିଟି କୋର୍ଟ ରୋଡ୍ ପୁଲିସ୍ ଷ୍ଟେସନ ଓ ପ୍ରଶାସନିକ ଭବନରେ ପଞ୍ଜୀକରଣ କରିଥିଲେ। ପଞ୍ଜୀକରଣ ପରେ ମେ ୧ ତାରିଖରେ କେରଳର ଆଲୁବା ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟରେ ଛାଡ଼ିବାକୁ ଟ୍ରେନ୍ ବାହାରିବା ନେଇ ପ୍ରଶାସନ ସୂଚନା ଦେଇଥିଲା। ୧ ତାରିଖ ଅପରାହ୍ନରେ ବସ୍ ଯୋଗେ ଶ୍ରମିକଙ୍କୁ ଆଣି ଷ୍ଟେସନରେ ଛାଡ଼ିବାକୁ ପ୍ରଶାସନିକ ଅଧିକାରୀ କହିଥିଲେ। କିନ୍ତୁ ବସ୍ ନ ଆସିବା ଯୋଗୁଁ ଶ୍ରମିକମାନେ ଷ୍ଟେସନରେ ପହଞ୍ଚି ପାରିନଥିଲେ। ବାହାରକୁ ବାହାରିଲେ ପୁଲିସ୍ ମାଡ଼ ମାରୁଥିବାରୁ ଶ୍ରମିକମାନେ ଚାଲି ଚାଲି ଷ୍ଟେସନକୁ ଆସିବା ପାଇଁ ସାହାସ ଜୁଟାଇ ପାରିନଥିଲେ। ଫଳରେ ଟ୍ରେନ୍ ଛାଡ଼ି ଦେଇଥିଲା। ଉକ୍ତ ଟ୍ରେନରେ ରାୟଗଡ଼ାର ମାତ୍ର ୨୮ଜଣ ଶ୍ରମିକ ଆସିବାରେ ସଫଳ ହୋଇଥିବା ବେ‌ଳେ ବହୁ ଶ୍ରମିକ ପ୍ରଶାସନିକ ଅବହେଳା ପାଇଁ ଆସିପାରିନଥିଲେ। ୨ ତାରିଖରେ ଶ୍ରମିକମାନେ ପୁଲିସ୍ ଷ୍ଟେସନ ଯାଇ ଘଟଣା ସଂପର୍କରେ ଅବଗତ କରିବା ପରେ ଏର୍ଣ୍ଣାକୁଲମ୍ ଷ୍ଟେସନରେ ପଞ୍ଜୀକରଣ କରିବାକୁ କୁହାଯାଇଥିଲା। ଶ୍ରମିକମାନେ ଅଟୋ ଭଡ଼ା କରି ଏର୍ଣ୍ଣାକୁଲମ୍ ଯିବା ପରେ ସେଠାକାର ପ୍ରଶାସନ ନର୍ଥ ରେଲୱେ ଯିବାକୁ କହିଥିଲା। କିନ୍ତୁ କେଉଁଠି ଶ୍ରମିକଙ୍କୁ ସାହାଯ୍ୟ କରିବାକୁ କେହି ଆଗଭର ହୋଇନଥିଲେ। ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ କେରଳ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ଖାଇବାକୁ ଦିଆଯାଉଥିଲା। ଗତ ମାସେ ହେଲା ଆଉ ମିଳୁନଥିବାରୁ ଭୋକ, ଉପାସରେ ଡଙ୍ଗରିଆ ଓ ଆଦିବାସୀ ଯୁବକମାନେ ଦିନ କାଟୁଛନ୍ତି। କୁର୍ଲି ସରପଞ୍ଚ ଡିଞ୍ଜ ଜାକେସିକା ଆଜି ଏ ନେଇ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ, କୋରାପୁଟ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଶ୍ରମିକଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇ ସୁରକ୍ଷିତ ଭାବେ ସମସ୍ତ ଯୁବକଙ୍କୁ ନିଜ ଗାଁରେ ପହଞ୍ଚାଇବାକୁ ସରପଞ୍ଚ ଡିଞ୍ଜ ଜାକେସିକା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର