ଚଳିତ ‌ଲହରରେ ୫୦ ମୁଣ୍ଡ ନେଲାଣି କରୋନା

ଭୁବନେଶ୍ବର: ରାଜ୍ୟରେ କରୋନାର ଚତୁର୍ଥ ଲହର ଏବେ ଥମି ଆସିଲାଣି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ଶହ ଭିତରେ ସୀମିତ ରହୁଛି। ଏବେ ୨୦/୨୫ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନାର ଚଳିତ ଲହର ପୂର୍ବରୁ ଆସିଥିବା ଲହର ତୁଳନାରେ ସେଭଳି ଘାତକ ସାବ୍ୟସ୍ତ ହୋଇନାହିଁ। ଏପରିକି ରାଜ୍ୟରେ କରୋନାର କୌଣସି ନୂଆ ପ୍ରଜାତି ଚିହ୍ନଟ ମଧ୍ୟ ହୋଇ ନାହାନ୍ତି। ଏହାସତ୍ତ୍ବେ ଚଳିତ ଲହରରେ ୫୦ ଜଣ କୋଭିଡରେ ପ୍ରାଣ ହରାଇଲେଣି। ଏବେ ବି ୧୫ଶହରୁ ଅଧିକ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଜୁନ୍ ଶେଷ ସପ୍ତାହରେ ରାଜ୍ୟରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଥିଲା। ଧୀରେ ଧୀରେ ସଂଖ୍ୟା ବଢ଼ିବା ସହିତ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୨ଶହ ଛୁଇଁଥିଲା। ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ଆକ୍ରାନ୍ତଙ୍କ ସଂଖ୍ୟା ଖସିବାକୁ ଆରମ୍ଭ କରିଥିଲା। ଏବେ ଖୋର୍ଧା ଓ ସୁନ୍ଦରଗଡ଼ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହାତଗଣତି ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୭୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ବର୍ଷରୁ କମ୍ ୪୫ଜଣ ପିଲା ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧିକ ୬୪, ସୁନ୍ଦରଗଡ଼ ୪୨, କଟକ ୨୯, ବାଲେଶ୍ବର ୧୨, ବରଗଡ଼, ସମ୍ବଲପୁରରୁ ୧୦ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୧୫ଜଣଙ୍କୁ ଚିହ୍ନଟ କରାଯାଇଛି।

ଏହାସହ ଆଉ ଜଣେ ରୋଗୀ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହୋଇଛି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୧୭୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୩୪୦ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ୧୬୧୪ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧାରେ ସର୍ବାଧିକ ୩୨୭ଜଣ ଅଛନ୍ତି।

ସମ୍ବନ୍ଧିତ ଖବର