କୋଭିଡ୍‌ ଡ୍ୟୁଟି ବେଳେ ପ୍ରାଣ ହରାଉଥିବା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଯୋଦ୍ଧା ପରିବାରକୁ ମିଳିବ ୫୦ ଲକ୍ଷ

ଅଣ-କୋଭିଡ୍‌ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ୍‌-୧୯ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। କୋଭିଡ୍‌ ଡ୍ୟୁଟିରେ ମୃତ୍ୟୁବରଣ କରୁଥିବା କୋଭିଡ ଯୋଦ୍ଧାଙ୍କ ନିକଟତମ ଆତ୍ମୀୟ ମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ସହାୟତା କୋଭିଡ ଯୁଦ୍ଧରେ ନିୟୋଜିତ କର୍ମଚାରୀ ଓ ଜନପ୍ରତିନିଧିଙ୍କ (ସରପଞ୍ଚ ଓ ଅନ୍ୟ ପ୍ରତିନିଧି) ନିକଟତମ ଆତ୍ମୀୟମାନେ ପାଇପାରିବେ। ସେହିପରି କୋଭିଡ-୧୯ ଡ୍ୟୁଟି ସମୟରେ ମୃତ୍ୟୁବରଣ କରୁଥିବା ଅଙ୍ଗନବାଡି ଓ ଆଶାକର୍ମୀଙ୍କ ନିକଟତମ ଆତ୍ମୀୟମାନେ ଯଥାକ୍ରମେ ମାସିକ ୭୫୦୦ ଟଙ୍କା ଏବଂ ୫୦୦୦ ଟଙ୍କା ଲେଖାଏଁ ସହାୟତା ପାଇବେ। ମୃତ ଅଙ୍ଗନବାଡି ଓ ଆଶାକର୍ମୀ ମାନେ ବଞ୍ଚିଥିଲେ ସେମାନଙ୍କୁ ଯେବେ ୬୦ ବର୍ଷ ହୋଇଥାନ୍ତା, ସେପର୍ଯ୍ୟନ୍ତ ଏହି ସହାୟତା ସେମାନଙ୍କ ପରିବାରବର୍ଗଙ୍କୁ ଦିଆଯିବ। ଏଭଳି ଦୁଃଖଦ ଘଟଣା କ୍ଷେତ୍ରରେ ଯୋଦ୍ଧା ମାନଙ୍କ ପରିବାର ଯେପରି ଅବିଳମ୍ବେ ସହାୟତା ରାଶି ପାଇପାରିବେ, ସେଥିପାଇଁ ତ୍ବରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଅଣ-କୋଭିଡ୍‌ ରୋଗୀମାନେ ବିଭିନ୍ନ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଉନଥିବା ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୌଣସି ବି ପରିସ୍ଥିତିରେ ଯେଭଳି ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ସାମାନ୍ୟତମ ଅବହେଳା ନ ହୁଏ, ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର। ରାଜ୍ୟରେ ଆମ୍ବୁଲାନ୍‌ସ ନେଟୱାର୍କକୁ ସୁଦୃଢ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ରୋଗୀଙ୍କ ଜୀବନ ବଞ୍ଚାଇବା ଆମର ପ୍ରାଥମିକତା। ଆମର ସବୁ ପଦକ୍ଷେପକୁ ଏହା ଉପରେ କେନ୍ଦ୍ରୀଭୂତ କରାଯିବା ଉଚିତ୍। କୋଭିଡ୍‌ ପରିଚାଳନାରେ ପ୍ରଶାସନର ଆଗୁଆ ପ୍ରସ୍ତୁତି ଏବଂ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ମହାମାରୀକୁ ନିୟନ୍ତ୍ରଣ କରିବାରେ ଫଳପ୍ରଦ ଭୂମିକା ଗ୍ରହଣ କରିଛି। ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ନଥିବା ସ୍ବଳ୍ପ ଓ ମଧ୍ୟମ ଲକ୍ଷଣଯୁକ୍ତ କୋଭିଡ୍‌ ରୋଗୀଙ୍କୁ ସେମାନଙ୍କ ଘରେ ରହି ଚିକିତ୍ସିତ ହେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଉଭୟ ସହର ଓ ଗ୍ରାମାଞ୍ଚଳରେ ଲାଗୁ ହୋଇଛି। ଘରୋଇ ପରିବେଶରେ ରୋଗୀମାନେ ଶୀଘ୍ର ଆରୋଗ୍ୟ ଲାଭ କରିବା ସହିତ ଡାକ୍ତରଖାନା ଉପରେ ଚାପ ହ୍ରାସରେ ଏହା ସହାୟକ ହେବ। ସେହିଭଳି ଘରେ ରହି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେବା ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

କୋଭିଡ୍‌ରେ ମୃତ୍ୟୁବରଣ କରୁଥିବା ରୋଗୀ ମାନଙ୍କ ଶବସତ୍କାର ଏକ ସମ୍ବେଦନଶୀଳ ପ୍ରଶ୍ନ ହୋଇଥିବାରୁ ଉଭୟ ଆବେଗିକ ଓ ଧାର୍ମିକ ବିଶ୍ବାସକୁ ନେଇ ସମ୍ମାନଜନକ ଭାବରେ ଶବସଂସ୍କାର ପାଇଁ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। ବିଭିନ୍ନ ଡାକ୍ତରଖାନା ଓ କେୟାର ସେଣ୍ଟର ମାନଙ୍କରେ ଚିକିତ୍ସିତ ହେଉଥିବା ରୋଗୀମାନେ ଯେପରି ଗୁଣାତ୍ମକ ସେବା ପାଇପାରିବେ, ସେଥିପାଇଁ ସେମାନଙ୍କ ଠାରୁ ମତାମତ ସଂଗ୍ରହ କରି ତଦ୍‌ନୁଯାୟୀ ପଦକ୍ଷେପ ନେବାପାଇଁ କୋଭିଡ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। କୋଭିଡ୍‌ ଲଢେଇ ଜିତିବା ପାଇଁ ଅଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ଆଜି ଅନୁଗୁଳ, ଢେଙ୍କାନାଳ, ଦେବଗଡ, କେନ୍ଦୁଝର, ମୟୂରଭଂଜ, ବଲାଙ୍ଗୀର, ବରଗଡ ଓ ନୂଆପଡା ଆଦି ଜିଲ୍ଲାର ପରିସ୍ଥିତି ଓ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାର ପର୍ଯ୍ୟବେକ୍ଷକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି ଜିଲ୍ଲା ଗୁଡିକରେ କୋଭିଡ ପରିଚାଳନାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ପର୍ଯ୍ୟବେକ୍ଷକମାନେ କେତେକ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବ ଗୁଡିକୁ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିସନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିସନର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ତଥା ଜିଲ୍ଲାସ୍ତରରେ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର