୧୪ ଏସଏଚଜିର ୫୦ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଫେରାର

ପୁଲିସ୍‌, ପ୍ରଶାସନର ଦ୍ବାରସ୍ଥ ହେଲେ ଅଭିଯୋଗକାରୀ

ସମ୍ବଲପୁର: ଛତୁ ଚାଷର ଲୋଭ ଦେଖାଇ ୧୪ ଏସ୍‌ଏଚ୍‌ଜି ଗ୍ରୁପର ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଧରି ୪ ଜଣ ଯୁବକ ଫେରାର ହୋଇ ଯାଇଛନ୍ତି। ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଥିରେ ସ୍ଥାନୀୟ ଜଣେ କୃଷି ଅଧିକାରୀଙ୍କ ଭୂମିକା ମଧ୍ୟ ସନ୍ଦେହଜନକ ବୋଲି କହିଛନ୍ତି ଠକେଇର ଶିକାର ମହିଳାମାନେ। ଏ ନେଇ ପୀଡ଼ିତ ମହିଳାମାନେ ପୁଲିସ୍‌ ଓ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ସେମାନେ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ଏବଂ ଅତିରିକ୍ତ ଏସ୍‌ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଠକେଇ ଟଙ୍କା ଫେରାଇ ଆଣିବାକୁ ସେମାନେ ଦାବି କରିଛନ୍ତି। ଆହୁରି ଅନେକ ଲୋକ ଏହାର ଶିକାର ହୋଇଥିବାରୁ ଠକେଇ ପରିମାଣ ୧ କୋଟି ଟଙ୍କା ବି ହୋଇପାରେ ବୋଲି ଆଶଂକା ବ୍ୟକ୍ତ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତ ବର୍ଷ ମହୁଲ ପାଲି ଥାନା କୁସୁମୀ ଫାଣ୍ଡି ଅନ୍ତର୍ଗତ କେନ୍ଦୁଖୁଟି ଗ୍ରାମର ଅମରେଶ ଆଚାର୍ଯ୍ୟ, ସାନମୁଣ୍ଡାଲୋଇର ଭକ୍ତ ମୁଣ୍ଡା, ବଡ଼ମୁଣ୍ଡାଲୋଇର ବାଲେଶ୍ୱର ମୁଣ୍ଡା ଏବଂ ବାସୁଦେବ ମୁଣ୍ଡା ସମସ୍ତା ଓ ଆହୋରଣ ନାମକ ମାଇକ୍ରୋ ଫାଇନାନ୍ସ କମ୍ପାନିର ଅଧିକାରୀ ଭାବରେ ପରିଚୟ ଦେଇଥିଲେ। ୧୪ଟି ଏସଏଚ୍‌ଜିର ସଦସ୍ୟାଙ୍କ ପାଖକୁ ଯାଇ ଛତୁ ଚାଷର ଲୋଭ ଦେଖାଇଥିଲେ। ନିର୍ଦିଷ୍ଟ ହାରରେ ଟଙ୍କା ଜମା କରାଗଲେ ମାସିକ ୫ ଶହ ଟଙ୍କା ଦିଆଯିବ ବୋଲି କହିଥିଲେ। ସ୍ଥାନୀୟ କୃଷି ଅଧିକାରୀଙ୍କ ଉପସ୍ଥିତିରେ ବୈଠକ କରିଥିବାରୁ ଏହି ଯୁବକମାନଙ୍କ ପ୍ରତି ମହିଳାଙ୍କ ବିଶ୍ବାସ ଦୃଢୀଭୂତ ହୋଇଥିଲା। କୁଚିଣ୍ଡାର ୧୪ଟି ଗ୍ରୁପର ମହିଳା ଜଣ ପିଛା ୩୦ ହଜାର ଟଙ୍କା ହିସାବରେ ସମୁଦାୟ ୫୦ ଲକ୍ଷ ଟଙ୍କା ସମସ୍ତl ଓ ଆହୋରଣ ମାଇକ୍ରୋ ଫାଇନାନ୍ସରୁ ଋଣ କରି କୃଷ୍ଣ ସୁଦାମ ନାମକ ଏକ ଘରୋଇ ସଂସ୍ଥାରେ ବିନିଯୋଗ କରିଥିଲେ। ଏହି ସଂସ୍ଥାର ପ୍ରମୁଖ ଅମରେଶ ଆଚାର୍ଯ୍ୟ ୬ ମାସ ମଧ୍ୟରେ ପରିଶୋଧ କରିବା ବାହାନା ଦେଖାଇ ଦୀର୍ଘ ୮ ମାସ ହେବ ଫେରାର ହୋଇ ଯାଇଛନ୍ତି। ଏ ସମ୍ପର୍କରେ ଅକ୍ଟୋବର ୧୭ ତାରିଖରେ ମହିଳାମାନେ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ସେଠାରେ ଏତଲା ଗ୍ରହଣ ନକରି କୁସୁମି ଫାଣ୍ଡିକୁ ପଠାଇ ଦିଆ ଯାଇଥିଲା। ସେଠାରେ ମଧ୍ୟ ୨ ମାସ ବିତି ଯାଇଥିଲେ ବି ମାମଲା ରୁଜ୍ଜୁ ନ ହେବାରୁ ନିରାଶ ମହିଳାମାନେ ସମ୍ବଲପୁର ଆସିଥିଲେ। ଏହି ଠକେଇ ମାମଲାରେ ଆହୁରି ଅନେକ ବ୍ୟକ୍ତିଙ୍କ ଭୂମିକା ସଂଦିଗ୍ଧ ରହିଥିବା କୁହାଯାଉଛି। ସେମାନଙ୍କୁ ପଚରାଉଚରା କରିଥିଲେ ପୁଲିସ ଠକେଇର ଚେରକୁ ପହଞ୍ଚି ପାରିଥାଆନ୍ତା ବୋଲି କୁହାଯାଉଛି। କତରକେଲା ଓ ଗଣ୍ଡା ଯାମୁମାଲର ସଂଗୀତା ମୁଣ୍ଡା, ବିମଳା ମୁଣ୍ଡା, ଲଳିତା ମୁଣ୍ଡା, ସଞ୍ଜୁ ମୁଣ୍ଡା, ପାର୍ବତୀ ମୁଣ୍ଡା, ବନ୍ଧକାନି ଗ୍ରାମର ସୁଜାତା ମୁଣ୍ଡା, ରୁକ୍ମଣୀ ମୁଣ୍ଡା, ବଡ଼ବାହାଲ ଗ୍ରାମର ତପସ୍ବିନୀ ମୁଣ୍ଡା, ସରୋଜିନୀ ମୁଣ୍ଡା, ସାଲେଭାଡ଼ି ଗ୍ରାମର ସେବତୀ କିସାନ, ସ୍ବିଟି ମୁଣ୍ଡା, ଚନ୍ଦନୀ ମୁଣ୍ଡା, ପିରୋବତୀ ନାୟକ ଓ କୁନ୍ତରା ଗ୍ରାମର ସୁଶୀଳା ମୁଣ୍ଡା, ତପସ୍ବିନୀ ଭଇଁସା, ସଉକିନୀ ମିର୍ଦ୍ଧା, ସୁଲୋଚନା ମୁଣ୍ଡା, ଦ୍ରୋପଦୀ ମୁଣ୍ଡା ପ୍ରମୁଖ ଦାବିପତ୍ର ଦେଇଥିଲେ। ଅନ୍ୟଦିଗରେ ଅତିରିକ୍ତ ଏସପି ପିକେ ମହାପାତ୍ର କହିଛନ୍ତି, ମହୁଲପାଲି ଥାନା ଅଧିକାରୀଙ୍କୁ ଏ ସଂକ୍ରାନ୍ତ ମାମଲା ରୁଜ୍ଜୁ ପାଇଁ ନିର୍ଦେଶ ଦିଆ ଯାଇଛି। ମହୁଲପାଲି ଥାନା ଅଧିକାରୀ ଜ୍ୟୋସ୍ନା ବେହେରା କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଠକେଇ ସମ୍ପର୍କରେ ଏତଲା ଦେବା ପାଇଁ ତାଙ୍କ ପାଖକୁ କେହି ଆସି ନାହାନ୍ତି। ଏପରିକି ଆଜି ମଧ୍ୟ ସମସ୍ତେ ସମ୍ବଲପୁର ଯାଇଥିଲେ ବି ତାଙ୍କ ପାଖକୁ ଅଭିଯୋଗ ପତ୍ର ଆସି ନାହିଁ।

ସମ୍ବନ୍ଧିତ ଖବର