ଭୁବନେଶ୍ବର: ଗାଁ ଓ ପଞ୍ଚାୟତର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାରଙ୍କ ବହୁପ୍ରତୀକ୍ଷିତ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଆଜିଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଆରମ୍ଭ କରିଛନ୍ତି। ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ୩,୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୬୭୯୪ଟି ପଞ୍ଚାୟତ ଏଥିରେ ସାମିଲ ହେବେ। ଏହି ଯୋଜନାରେ ୯୦,୭୨୩ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ପ୍ରତି ପଞ୍ଚାୟତ ୫୦ ଲକ୍ଷ ଟଙ୍କା ଲେଖାଏଁ ପାଇବେ। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି, ଓଡ଼ିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ଼ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀଗୁଡ଼ିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀଗୁଡ଼ିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ।
ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି: ମୁଖ୍ୟମନ୍ତ୍ରୀ
ଆରମ୍ଭ ହେଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ
ପ୍ରଥମେ କେନ୍ଦୁଝର ଓ ଭଦ୍ରକ
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁରେ ଇଣ୍ଟରନେଟ୍ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ଓ ଦକ୍ଷତା ବିକାଶ କେନ୍ଦ୍ର ହେବା ସହ ବ୍ୟାଙ୍କିଙ୍ଗ୍ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲ୍ଗୁଡ଼ିକ ମଧ୍ୟ ସାମିଲ ହେବେ। ଏହା ଆମର ଯୁବ ସମାଜ, ମା’, ଚାଷୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡ଼ିଶାର ପରିଚୟକୁ ଆହୁରି ଉଜ୍ଜ୍ବଳ କରିବ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
କେନ୍ଦୁଝରର ୬ଟି ନିର୍ବାଚନମଣ୍ଡଳୀ ଓ ଭଦ୍ରକର ୫ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ। କେନ୍ଦୁଝରର ୬ଟି ନିର୍ବାଚନମଣ୍ଡଳୀର ୨୯୭ଟି ଗ୍ରାମପଞ୍ଚାୟତର ୩୫୬୮ଟି ପ୍ରକଳ୍ପ ପାଇଁ ୧୪୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର ୨୧୮ଟି ଗ୍ରାମପଞ୍ଚାୟତର ୩୩୩୭ଟି ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୫-ଟି ସଚିବ ଭି. କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରତ୍ୟେକ ଜିଲ୍ଲାର ନିର୍ବାଚନମଣ୍ଡଳୀର ବିଭିନ୍ନ ଜନପ୍ରତିନିଧିମାନେ ଯଥା ବିଧାୟକ, ଜିଲ୍ଲାପରିଷଦ ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ପର୍ବର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରିଥିଲେ। ୫-ଟି ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡ଼ି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ। ଆଲୋଚନାରେ ଭାଗ ନେଇ ୫-ଟି ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ଏହାକୁ ସମସ୍ତେ ସ୍ବଚ୍ଛତାର ସହ ଓ ଠିକ୍ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ।