୫୦ଲିଟର ‘ଜାପାନୀ ମିଣ୍ଟ୍‌ ଅଏଲ୍‌’ ଅମଳ

କୋରାପୁଟ: ଉତ୍ପାଦନ କ୍ଷେତ୍ରରେ ଆଉ ଏକ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି କୋରାପୁଟ ଜିଲ୍ଲା। ପଟାଙ୍ଗୀ ବ୍ଲକ ସିପେଇପୁଟରେ ଉତ୍ପାଦନ ହୋଇଛି ୫୦ଲିଟର ଜାପାନୀ ମିଣ୍ଟ୍‌ ଅଏଲ୍‌ (ତେଲ)। ବିଶ୍ବ ବଜାରରେ ଏହି ତେଲ ଦର ଲିଟର ପିଛା ୩ହଜାର ଟଙ୍କା ରହିଛି। ଯାହାକି ଜିଲ୍ଲାରେ ଚାଷୀଙ୍କ ଆର୍ଥିକ ସ୍ଥିତିରେ ବଡ଼ଧରଣର ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

ସିପେଇପୁଟରେ ଜିଲ୍ଲା ଖଣିଜ ପାଣ୍ଠି, ‌ଲକ୍ଷ୍ନୌର କେନ୍ଦ୍ରୀୟ ଔଷଧୀୟ ଏବଂ ସୁଗନ୍ଧ ଉଦ୍ଭିଦ ସଂସ୍ଥାନ, ଓର୍‌ମାସ ଏବଂ କାପକୋ ପକ୍ଷରୁ ମିଣ୍ଟ୍‌ ତେଲ ଉତ୍ପାଦନ ନିମନ୍ତେ ପ୍ଲାଣ୍ଟ୍‌ ସ୍ଥାପନ ହୋଇଛି। ଗତ ୩ଦିନ ମଧ୍ୟରେ ଏହି ପ୍ଲାଣ୍ଟ୍‌ରୁ ୫୦ଲିଟର ତେଲ ଉତ୍ପାଦନ ହୋଇଛି। ଆସନ୍ତା ୩ଦିନ ମଧ୍ୟରେ ଆଉ ୫୦ଲିଟର ତେଲ ଉତ୍ପାଦନ ପାଇଁ ଯୋଜନା ହୋଇଛି। ସିପେଇପୁଟର ଚାଷୀ ସୁବା ରାଓଙ୍କୁ ଏଥିପାଇଁ ଚାରା ଦିଆଯାଇଥିଲା। ଚାରା ବଢ଼ିବା ପରେ ତାହାର ପ୍ରକ୍ରିୟାକରଣ କରାଯାଇଛି। ଗତବର୍ଷ ପରୀକ୍ଷାମୂଳକ ଭାବେ ଗୋଟିଏ ଲିଟର ଉତ୍ପାଦନ ହୋଇଥିଲା। ଚଳିତବର୍ଷ ଅଧିକରୁ ଅଧିକ ଉତ୍ପାଦନ ପାଇଁ ଅଗ୍ରାଧିକାର ଦିଆଯାଇଛି। ସିପେଇପୁଟରେ ପ୍ଲାଣ୍ଟ ସ୍ଥାପନ ହୋଇଥିଲା ବେଳେ ପୋଟୁଗୁଡ଼ାରେ ପ୍ରାୟ ୬ଏକର ଜମିରେ ଏହା ଚାଷ ହୋଇଛି। ୧୦୦ ଏକର ପର୍ଯ୍ୟନ୍ତ ଚାଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି।

ଓରମାସର ରୋଶନ କାର୍ତ୍ତିକ କହିଛନ୍ତି, କୋରାପୁଟ କଫି, ଅଦା, ଝାଡ଼ୁ, ଲେମନ୍‌ ଗ୍ରାସ୍‌, ସୁଆଁ ଓ କଳାଜିରା ଚାଉଳ ଭଳି ଏହି ତେଲ ଉତ୍ପାଦନ ମଧ୍ୟ ଆଦିବାସୀ ଚାଷୀଙ୍କ ପାଇଁ ଲାଭଦାୟକ ହେବ। ଜାପାନୀ ମିଣ୍ଟ୍‌ ଏକ ଔଷଧୀୟ ଉଦ୍ଭିଦ। ଭୂମିରୁ ବଢ଼ୁଥିବା ଅଂଶରୁ ତେଲ ବାହାର କରାଯାଏ। ଭୋକ ନ ଲାଗିବା, ଗ୍ୟାସ୍, ବାନ୍ତି, ଝାଡ଼ାବାନ୍ତି, ପାକସ୍ଥଳୀ ପୋଡ଼ାଜଳା, ଯକୃତ ସମସ୍ୟା ସମେତ ହଜମ ପ୍ରକ୍ରିୟାରେ ତେଲ ବ୍ୟବହୃତ ହୁଏ। ସାଧାରଣ ଥଣ୍ଡା, କାଶ, ବ୍ରୋଙ୍କାଇଟିସ୍, ପାଟି ଏବଂ ଗଳା ଯନ୍ତ୍ରଣା ସହିତ ଶ୍ବାସକ୍ରିୟା ସମସ୍ୟାରେ ଉପଯୋଗ ହେଉଛି। ମୁଣ୍ଡବିନ୍ଧା, ଦାନ୍ତ ଯନ୍ତ୍ରଣା, କାନ ଯନ୍ତ୍ରଣା, ଟ୍ୟୁମର, ଘା’, କର୍କଟ, ହୃଦ୍‌ଘାତ ଉପଶମରେ ଏହା ବ୍ୟବହାର କରାଯାଉଛି। ଜାପାନୀ ମିଣ୍ଟ୍‌କୁ ଜୀବାଣୁ ନଷ୍ଟକାରୀ କିମ୍ବା ଯନ୍ତ୍ରଣାରୁ ମୁକ୍ତିଦାତା ଭାବେ ବ୍ୟବହାର କରାଯାଇଥାଏ। ଏହି ତେଲରେ ୯୫% ମିଣ୍ଟ୍‌ ରହିଥିବାରୁ ଶରୀରକୁ ଆରାମ ଦେଇଥାଏ। ଏହାବ୍ୟତୀତ ଟୁଥ୍‌ପେଷ୍ଟ୍‌, ମାଉଥ୍‌ ୱାସ୍‌, ସାବୁନ, ଡିଟରଜେଣ୍ଟ୍‌, କ୍ରିମ୍, ଲୋସନ ଏବଂ ସୁଗନ୍ଧ ଭାବେ ମଧ୍ୟ ବ୍ୟବହୃତ ହୁଏ। ସମ୍ପୂର୍ଣ୍ଣ ଶରୀରରେ ଏହି ତେଲକୁ ବ୍ୟବହାର ପାଇଁ ସୁପାରିସ କରାଯାଏ ନାହିଁ। ତେଣୁ ସାଧାରଣ ମସାଜ ତେଲ ପରି ନିର୍ଦ୍ଦିଷ୍ଟ ସ୍ଥାନରେ କିମ୍ବା ପ୍ରଭାବିତ ମାଂସପେଶୀରେ କିଛି ବୁନ୍ଦା ପକାଇ ମାଲିସ କଲେ ଅଧିକ ପ୍ରଭାବଶାଳୀ ହୋଇଥାଏ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର