ବିଜୁଳି ଆଲୁଅ ଦେଖିଲେ ୫୦ ଲୋଧା ପରିବାର

ଚିତ୍ରଡ଼ା: ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବିଦ୍ୟୁତ୍‌ ବିଭାଗର ଚେତା ପଶିଲା। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଲେ ବିଭାଗୀୟ ଯନ୍ତ୍ରୀ। ଆଉ ୪୮ ଘଣ୍ଟା ମଧ୍ୟରେ ବିଜୁଳି ଆଲୁଅ ଦେଖିଲେ ୫୦ ଲୋଧା ପରିବାର। ମୋରଡ଼ା ବ୍ଲକ୍‌ ଅଧୀନ ହଳଦୀପାଳ ପଞ୍ଚାୟତ ସମାଇଡ଼ିହି ଲୋଧା ସାହିର ଲୋକେ ଏଥିପାଇଁ ‘ସମ୍ବାଦ’କୁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ; ଉକ୍ତ ଗ୍ରାମରେ ରହୁଥିବା ଆଦିମ ଜନଜାତି ଲୋଧା ସମ୍ପ୍ରଦାୟର ୫୦ରୁ ଊର୍ଦ୍ଧ୍ବ ପରିବାର ଦୀର୍ଘ ଦିନରୁ ଅନ୍ଧାରରେ ରହିଥିଲେ। କାରଣ ଏଠାକୁ ବିଦ୍ୟୁତ୍‌ ସଂଯୋଗ ହେବାର କିଛି ଦିନ ପରେ ଦୁର୍ବୃତ୍ତମାନେ ଖୁଣ୍ଟରୁ ବିଦ୍ୟୁତ ତାର ଚୋରି କରି ନେଇଥିଲେ। ହେଲେ ବାରମ୍ବାର ଅଭିଯୋଗ ପରେ ବି ଆଉ ତାର ଟାଣୁନଥିଲା ବିଦ୍ୟୁତ୍‌ ବିଭାଗ। ଏ ନେଇ ଗତ ୧୯ ତାରିଖ ଦିନ ‘ସମ୍ବାଦ’ରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ୫୦ରୁ ଊର୍ଦ୍ଧ୍ବ ଲୋଧା ପରିବାର କେମିତି ଅନ୍ଧାରରେ ଦିନ କାଟୁଛନ୍ତି ସେ ନେଇ ଏଥିରେ ଉଲ୍ଲେଖ କରାଯାଇଥିଲା।

ଏହି ଖବର ପ୍ରକାଶ ପାଇବା ପରେ ଉକ୍ତ ପଞ୍ଚାୟତରେ ଲୋଧା ଉନ୍ନୟନ ସଂସ୍ଥାର ପୋଷଣ ସହାୟକ ଓ ଗ୍ରାମର ଯୁବକ ବିଜୟ ନାଏକ, ପୁନିଆ ପରମାଣିକ ପ୍ରମୁଖ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ସମସ୍ୟା ସମ୍ପର୍କରେ ଜଣାଇଥିଲେ। କନିଷ୍ଠ ଯନ୍ତ୍ରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ତୁରନ୍ତ ଘଟଣାର ଅନୁସନ୍ଧାନ କରିଥିଲେ ଓ ୨୪ ଘଣ୍ଟା ମଧ୍ୟରେ ନୂତନ ତାର ଟଣା ଯାଇଥିଲା। ଆଉ ଆଜି ବିଦ୍ୟୁତ ସଂଯୋଗ କରାଯାଇଥିଲା। ଦୀର୍ଘ ମାସ ପରେ ପୁଣି ଥରେ ବିଦ୍ୟୁତ ଆଲୁଅ ଦେଖି ଲୋଧା ପରିବାରମାନଙ୍କରେ ଖୁସିର ଲହରୀ ଖେଳିଯାଇଛି। ସେମାନେ ଏଥିପାଇଁ ‘ସମ୍ବାଦ’କୁ କୃତଜ୍ଞତା ଜଣାଇବା ସହ ବିଦ୍ୟୁତ ବିଭାଗକୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର