ଲୋପ କରିଦେବେ ବଜ୍ରକାପ୍ତା ବଂଶ! ମାତିଛନ୍ତି ୫୦ରୁ ଅଧିକ ମାଫିଆ

କେବଳ ଆଠଗଡ଼ରୁ ଚାଲାଣ ହେଲେଣି ୨୦ ବଜ୍ରକାପ୍ତା, ବଜ୍ରକାପ୍ତା ମାଂସ କିଲୋ ୨୨ହଜାର, କାତି ୨.୧୬ ଲକ୍ଷ

ଭୁବନେଶ୍ବର/କଟକ,୧୦/୧୨(ଇମିସ): ଅତି ସମ୍ବେଦନଶୀଳ ବଜ୍ରକାପ୍ତା ଚୋରା ଚାଲାଣ ନେଇ ଆହୁରି ଅଧିକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି। ଯଦିଓ ଏଯାଏ ଓଡ଼ିଶାରେ କେତେ ସଂଖ୍ୟକ ବିରଳ ବଜ୍ରକାପ୍ତା ଅଛନ୍ତି, ସେ ନେଇ ବନ ବିଭାଗ କେବେ ବି ଗଣନା କରିନାହିଁ ତଥାପି ଏହି ଦୁର୍ଦାନ୍ତ ଗ୍ୟାଙ୍ଗ ଦ୍ବାରା ଇତିମଧ୍ୟରେ ପାଖାପାଖି ୨୦ଟି ବଜ୍ରକାପ୍ତା କେବଳ ଆଠଗଡ ଜଙ୍ଗଲରୁ ଚୋରା ଚାଲାଣ କରାଯାଇଥିବା ଗିରଫ ଅଭିଯୁକ୍ତ ସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ, ଆଠଗଡରେ ‘ଅପରେସନ୍ ପାଙ୍ଗୋଲିନ୍’ ତନାଘନା ପରେ ଜଣାପଡିଛି ଯେ ଆହୁରି ୧୦ରୁ ଅଧିକ ବଜ୍ରକାପ୍ତାଙ୍କୁ ମାଫିଆମାନେ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଛନ୍ତି। ଏ ସଂକ୍ରାନ୍ତ ଡିଲ୍ ବି ଏକପ୍ରକାର ଚୂଡାନ୍ତ ହୋଇଯାଇଥିଲା। ହେଲେ ସେମାନେ ଧରାପଡିଗଲେ। ଏହିଭଳି ପାଖାପାଖି ୫୦ରୁ ଅଧିକ ମାଫିଆ ଏବେ ବୌଦ୍ଧ, ନୟାଗଡ଼, ଆଠଗଡ଼, ଢେଙ୍କାନାଳ ଓ ଅନୁଗୁଳ ସାତକୋଶିଆ ଜଙ୍ଗଲରେ ଘୂରି ବୁଲୁଥିବା ସୂଚନା ଦେଇଛନ୍ତି।

ସରକାର ନିର୍ବିକାର, ଅନ୍ୟ ଅଞ୍ଚଳରେ ଚଢ଼ଉ ହେଉନି

ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କାଙ୍କ ସୂଚନା ଅନୁସାରେ, ମାଫିଆଙ୍କ ଭିଡିଓ ବିଦେଶୀ ବେପାରୀଙ୍କ ନିକଟରେ ପହଞ୍ଚିବା ପରେ ସେମାନେ ତାହାକୁ ନେବେ କି ନାହିଁ, ସ୍ଥିର କରିଥାନ୍ତି। ଥରେ ବ୍ୟବସାୟ ଚୂଡ଼ାନ୍ତ ହେବା ପରେ ଓଡ଼ିଶାର ଏହି ଗ୍ୟାଙ୍ଗ ବଜ୍ରକାପ୍ତାକୁ ଅଖାରେ ଧରି କୋଲକାତା ଯାଏ ପହଞ୍ଚିଥାନ୍ତି। ଗତ ୨ ତାରିଖରେ ଗିରଫ ହୋଇଥିବା ମାଫିଆମାନେ ବସ୍‌ ଓ ଟ୍ରେନ ଯୋଗେ କୋଲକାତା ଯାଇଥିବା କହିଥିଲେ। ସେଠାରେ ହୋଟଲେରେ ରହୁଥିବା ବିଦେଶୀ ବେପାରୀ ଟଙ୍କା ଦେଇ ବଜ୍ରକାପ୍ତା ନେଇଥିଲେ। ହେଲେ ଦ୍ବିତୀୟ ଦଫାରେ ୯ ତାରିଖରେ ଗିରଫ ମାଫିଆ କହିଥିଲେ, ସେମାନେ ଭଦ୍ରକ ଯାଇଥିଲେ। ସେଠାରେ ମଧ୍ୟସ୍ଥିଙ୍କ ହାତରେ ମାଲ ଦେଇ ଟଙ୍କା ନେଇ ଆସିଥିଲେ। ତେବେ ଏମାନେ ଗତ କିଛି ବର୍ଷ ଧରି ଏହି ବେପାରରେ ମାତିଥିବା ସ୍ବୀକାର କରିଛନ୍ତି। ଗତକାଲି ଗିରଫ ହୋଇଥିବା ମାଫିଆ ମାନିଛନ୍ତି ଯେ ସେମାନଙ୍କ ନିକଟରେ ଆହୁରି ୨ଟି ବଜ୍ରକାପ୍ତା ରହିଛି। ଖୁବ୍ ଶୀଘ୍ର ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଅଧିକାରୀମାନେ ଆଠଗଡ଼ ଆସୁଥିବା ସୂଚନା ମିଳିଛି। ହେଲେ ରାଜ୍ୟ ବନ ବିଭାଗ କିନ୍ତୁ ଏହି ତଦନ୍ତକୁ କାହିଁକି କେବଳ ଆଠଗଡ଼ ବନଖଣ୍ଡ ଭିତରେ ସୀମିତ ରଖିଛନ୍ତି, କାହିଁକି ଏହାକୁ ଅନୁଗୁଳ, ନୟାଗଡ଼ ଆଦି ଅଞ୍ଚଳରେ ଜୋରଦାର କରୁନାହାନ୍ତି, ତାହା ବୁଝାପଡୁନାହିଁ। ଆଠଗଡ଼ରେ ସପ୍ତାହକ ଭିତରେ ୧୦ଜଣ ଗିରଫ ହୋଇଛନ୍ତି, ଯେଉଁମାନଙ୍କୁ ରିମାଣ୍ଡରେ ଅଣାଯିବ। ହେଲେ ଗତ ଅକ୍ଟୋବର ମାସ ୨୨ ତାରିଖରେ ବାରିପଦା ଡିଏଫ୍ଓ ୬ଜଣ ମାଫିଆଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ବଜ୍ରକାପ୍ତା କାତି ଜବତ ହୋଇଥିଲା। ଗତବର୍ଷ ନଭେମ୍ବର ମାସରେ କୋଲକାତା ବନବିଭାଗ ଅଧିକାରୀମାନେ ଗୋଟିଏ କାରରେ ଯାଉଥିବା ବଜ୍ରକାପ୍ତା ମାଂସ ଜବତ କରିଥିଲେ। ତାହା ଓଡ଼ିଶାରୁ ଆସିଥିବା ଜଣାପଡିଥିଲା। ଅଖା ବସ୍ତାରେ ଅତି ଜୋରରେ ବନ୍ଧା ଯାଇଥିବା କାରଣରୁ ସେଥିରେ ବଜ୍ରକାପ୍ତା ମରିଯାଇଥିଲେ। ୨୦୧୫ ଜୁଲାଇ ୧୪ ତାରିଖରେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ, ଭୋପାଳର ଏକ ଟିମ୍ ବ୍ରହ୍ମପୁରରେ ଚଢଉ କରି ବଜ୍ରକାପ୍ତାର ଦେହାବଶେଷ ଜବତ କରିଥିଲେ। ବ୍ରହ୍ମପୁର ଦେଇ ଏହା ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ସେତେବେଳେ ଏହି ଟିମ୍ ସୂଚନା ଦେଇଥିଲେ। ଏହାବ୍ୟତୀତ ପୁଲିସ ୨୦୧୮ରେ ଓଡ଼ିଶାରେ ଅନେକ ଅପରେନସ୍ କରିଛି।

ସେହିଭଳି କୋଲକାତା ବଜାରରୁ ମିଳିଥିବା ସୂଚନା ଅନୁଯାୟୀ, ବଜ୍ରକାପ୍ତା କାତିର ଦାମ କିଲୋଗ୍ରାମ୍ ପ୍ରତି ପାଖାପାଖି ୨ଲକ୍ଷ ୧୬ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ଏହାର ମାଂସ କେଜି ପ୍ରତି ଦାମ ୨୨ ହଜାର ଟଙ୍କାରୁ ଅଧିକ। ଅତି ବିରଳ ଏହି ପ୍ରାଣୀ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ବଜ୍ରକାପ୍ତା ସୁରକ୍ଷା ଦିବସ ପ୍ରତିବର୍ଷ ଫେବ୍ରୁଆରି ୧୭ ତାରିଖରେ ପାଳନ ହେଉଥିଲେ ହେଁ, ଗଣମାଧ୍ୟମରେ ପ୍ରକାଶିତ ଗୋଟିଏ ବେସରକାରୀ ସ୍ବେଚ୍ଛାସେବୀ ସଂଗଠନର ତଥ୍ୟକୁ ଯଦି ବିଶ୍ବାସ କରାଯାଏ, ୨୦୦୯ରୁ ୨୦୧୭ ମଧ୍ୟରେ ଭାରତ ଦେଇ ଅତିକମରେ ପ୍ରାୟ ୫୭୭୨ ବଜ୍ରକାପ୍ତା ବିଦେଶକୁ ଚାଲାଣ ହୋଇଛନ୍ତି। ଏହି ତଥ୍ୟ ଅନୁସାରେ, ଦେଶରେ ଏହି ସମୟ ମଧ୍ୟରେ ଯେଉଁ ୯୦ଟି କ୍ଷେତ୍ରରେ ବନ ବିଭାଗ ବିପୁଳ ସାମଗ୍ରୀ ଜବତ ହୋଇଛି, ସେଥିରୁ ୮୩ଟି କ୍ଷେତ୍ରରେ ବଜ୍ରକାପ୍ତା କାତି ଥିଲା। ସେହିଭଳି ୫୬୭୫ କେଜି ମାଂସ ଜବତ ହୋଇଥିବା ଏହି ସଂସ୍ଥା ଦାବି କରେ। ଏବେ ପ୍ରଶ୍ନ ଉଠୁଛି, ଏତେ ସମ୍ବେଦନଶୀଳ ପ୍ରାଣୀ ପ୍ରତି ବନବିଭାଗ ରାଜ୍ୟସ୍ତରରେ ଯେଭଳି ତନାଘନା କରିବା କଥା ତାହା ଏଯାଏ ପରିଦୃଷ୍ଟ ହୋଇନାହିଁ। ରାଜ୍ୟ ସରକାରଙ୍କ ବନ ବିଭାଗ ମନ୍ତ୍ରୀ କିମ୍ବା ସଚିବ ମଧ୍ୟ ଏହା ଉପରେ ଯେତେ ଗୁରୁତ୍ବ ଦେବା କଥା ତାହା ଦେବାଭଳି ମନେ ହେଉନାହିଁ। ବନ୍ୟପ୍ରାଣୀବିତ୍ ଆଶଙ୍କା କରୁଛନ୍ତି, ରାଜ୍ୟ ସରକାର ଯଦି ଏ କ୍ଷେତ୍ରରେ ଆଉ ସାମାନ୍ୟତମ ଉଦାସୀତନା ଦେଖାନ୍ତି, ତେବେ ଓଡ଼ିଶାରୁ ଏମାନେ ବିଲୁପ୍ତ ହେବାର ସମ୍ଭାବନା ଏଡାଇ ଦେଇ ହେବନି।

ସମ୍ବନ୍ଧିତ ଖବର