ମାଲକାନଗିରି: ମାଓ ସଂଗଠନର କେନ୍ଦ୍ରୀୟ କମିଟି ତରଫରୁ ଆଜି ପ୍ରେସ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ତରଫରୁ ଆରମ୍ଭ କରାଯାଇଥିବା ଜନ ଆନ୍ଦୋଳନକୁ ସରକାର ଦମନ କରି ଚାଲିଛନ୍ତି। ନକ୍ସଲ ସଂଗଠନକୁ ମୂଳତ୍ପାଟନ କରିବା ପାଇଁ ସରକାର ସମସ୍ତ ଯୋଜନା ପ୍ରୟୋଗ କଲେଣି। ନକ୍ସଲ ସଂଗଠନ ଦେଶ ପାଇଁ ଏକ ରୋଗ ବୋଲି କହିବା ସହ ଏହା ବିରୋଧରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ମାଓ ସଂଗଠନର ୫ ହଜାରରୁ ଉର୍ଦ୍ଧ୍ବ କମ୍ରେଡଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ପାଇଁ ଏବଂ ଦେଶକୁ ବଞ୍ଚାଇବା ପାଇଁ ଏହି କମ୍ରେଡମାନେ ନିଜର ଜୀବନ ଦେଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଥିସହ ଗତ ୩ ମାସ ମଧ୍ୟରେ ୫୦ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସ୍ବୀକାର କରିଛି ସଂଗଠନ। ବିଶେଷକରି ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା,ଓଡିଶା,ଛତିଶଗଡ ଏବଂ ମହାରାଷ୍ଟ୍ରରେ ମାଓ ସଂଗଠନ ବ୍ୟାପକ ଭାବେ ବଢୁଥିବାରୁ ସରକାରଙ୍କର ମୁଣ୍ଡ ବ୍ୟଥାର କାରଣ ହୋଇଥିବା କୁହାଯାଇଛି। ସେହିପରି ଏହି ରାଜ୍ୟମାନଙ୍କରେ ପୁଲିସ କ୍ୟାମ୍ପ କରି ଗରିବ ଖଟିଖିଆ ଲୋକଙ୍କୁ ହଇରାଣ କରାଯାଉଛି। ମହିଳାଙ୍କୁ ଅସଦାଚରଣ କରିବା ସହ ଯୁବକମାନଙ୍କୁ ଧରି ଏନକାଉଣ୍ଟର କରାଯାଉଛି। ଜଂଗଲରେ ଲୋକେ ଆଉ ପଶି ପାରୁନାହାନ୍ତି। ଲୋକେ ନିଜର ପରିଚୟ ପତ୍ର ଦେଖାଇଲେ ମଧ୍ୟ ପୁଲିସ ସେମାନଙ୍କୁ ଧରି ମାରିବା ସହ ଜେଲରେ ଭର୍ତ୍ତି କରୁଛି।
ଏପରିକି ମାଓ ସାମଗ୍ରୀ ଜବତ ହୋଇଥିବା କହି ନୀରିହ ଲୋକଙ୍କୁ ଗିରଫ କରୁଛି।ଜଂଗଲରେ ହଜାର ହଜାର ଯବାନ ପଶି ଲୋକଙ୍କୁ ହଇରାଣ କରୁଛନ୍ତି। ଭାରତ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ଆମକୁ ବନ୍ଦ କରିବାକୁ ପଡିବ। ଏଥିରେ ନୀରିହ ଜନତା ମୃତ୍ୟୁବରଣ କରୁଛନ୍ତି। କେନ୍ଦ୍ରର ବିଜେପି ଓ ଆରଏସଏସ ସଂଗଠନ ହିଁ ଜଂଗଲକୁ ବିକ୍ରି କରି କରପୋରେଟରମାନଙ୍କୁ ଧନୀ କରାଉଛି। ଆଜି ବି ସଂଗଠନ ଲୋକଙ୍କ ଜଳ,ଜଂଗଲ ଓ ଜମି ପାଇଁ ଲଢେଇ କରୁଛି।ଦେଶର ସମସ୍ତ ନାଗରିକ ମାଓ ସଂଗଠନକୁ ସମର୍ଥନ କରିବା ସହ ମିଥ୍ୟା ନିର୍ବାଚନକୁ ଭଣ୍ଡୁର କରନ୍ତୁ ବୋଲି ଦାବି କରାଯାଇଛି।ଶାସକ ଦଳ ସବୁବେଳେ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଉଛି।ପ୍ରତିଶ୍ରୁତି ଦେଇ ତାକୁ ପୂରଣ କରୁନାହିଁ। କେବଳ ଲୋକଙ୍କ ପାଇଁ କାମ କରୁଥିବା ସଂଗଠନକୁ ବେଆଇନ ଘୋଷଣା କରି ଅକାରଣରେ ଗୁଳି କରି ମାରୁଛି ବୋଲି ଅଭଇଯୋଗ କରିଛି କମିଟି।ଦେଶରେ ଏକଛତ୍ରବାଦ ଶାସନ ଚାଲିଛି। ଗତ ଦଶ ବର୍ଷରେ ଦେଶର କୌଣସି ଉନ୍ନତି ହୋଇନଥିବା ସଂଗଠନ କହିଛି।ତେଣୁ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମାଓସଂଗଠନ ପକ୍ଷରୁ ଗାଁ ଗାଁରେ ସଚେତନତା କରାଯିବ। ଏଥିସହ ୧୫ ତାରିଖ ଦିନ ଓଡିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ଦେଇଛି ମାଓ କେନ୍ଦ୍ରୀୟ କମିଟିର ପ୍ରବକ୍ତା ପ୍ରତାପ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।