ଚାକିରି ସମ୍ପ୍ରସାରଣ ସତ୍ତ୍ବେ ଛଟେଇକୁ ଦୃଢ଼ ବିରୋଧ, ରାତିତମାମ୍‌ ରାସ୍ତାରେ ବସିଲେ ୫୦ ନର୍ସ

ଦରମା ଦେବାକୁ ସରକାରଙ୍କ ଟଙ୍କା ନାହିଁ: ସିଡିଏମ୍‌ଓ

ସମ୍ବଲପୁର : ଚାକିରି ସମ୍ପ୍ରସାରଣ ସତ୍ତ୍ବେ ମଧ୍ୟ କୋଭିଡ୍‌ ହସ୍ପିଟାଲ, କୋଭିଡ୍‌ କେୟାର କେନ୍ଦ୍ର ତଥା କୋଭିଡ୍‌ କେୟାର ହୋମ୍‌ରେ କାମ କରୁଥିବା ଚୁକ୍ତିଭିତ୍ତିକ ଏଏନ୍‌ଏମ୍‌ ନର୍ସଙ୍କୁ ଚାକିରିରୁ ଛଟେଇ କରାଯିବା ଘଟଣାକୁ ବିରୋଧ କରି ଶତାଧିକ ନର୍ସ ସମ୍ବଲପୁର କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି। ସକାଳୁ ଏହି ନର୍ସମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ସମୟରେ କୌଣସି ସୁଫଳ ନମିଳିବାରୁ ଦିନ ୨ଟାରେ ଫେରି କୋଭିଡ୍‌ ହସ୍ପିଟାଲର ୩ଟିଯାକ ଗେଟ୍‌ରେ ତାଲା ଝୁଲାଇ ଦେଇଥିଲେ। ଯାହାକୁ କେନ୍ଦ୍ର କରି ହସ୍ପିଟାଲ ସମ୍ମୁଖରେ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଥିଲା।

ଅତିରିକ୍ତ ଏସ୍‌ପି ଅମରେଶ ପଣ୍ଡା, ଏକ୍‌ଜୁକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଜ୍ୟୋତିର୍ମୟୀ ମଲ୍ଲିକ, ଟାଉନ୍‌ ଥାନାଧିକାରୀ ରମେଶ ଦୋରା, କ୍ଷେତରାଜପୁର ଥାନାଧିକାରୀ ମମତା ନାଏକ, ମହିଳା ଥାନାଧିକାରୀ ଅନିତା ପ୍ରଧାନ ଘଟଣାସ୍ଥଳରେ ଉପସ୍ଥିତ ରହି ନର୍ସଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦରମା ଦେବାକୁ ସରକାରଙ୍କ ପାଖରେ ଟଙ୍କା ନଥିବାରୁ ଚାକିରିରେ ରଖାଯାଇପାରିବନି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଶଶୀଭୂଷଣ ପଟେଲ କହିବା ପରେ ନର୍ସମାନେ ଉତ୍ତ୍ୟକ୍ତ ହୋଇଯାଇଥିଲେ। ଅତିରିକ୍ତ ଏସ୍‌ପି ଶ୍ରୀ ପଣ୍ଡା ଆଲୋଚନା କରି ଅନ୍ତିମ ନିଷ୍ପତ୍ତି ପାଇଁ ଗୋଟିଏ ଦିନ ସମୟ ମାଗିଥିଲେ ହେଁ ନର୍ସମାନେ ଜିଦ୍‌ରେ ଅଟଳ ରହିଥିଲେ। ଶେଷରେ ସାରା ରାତି ସେମାନେ କୋଭିଡ୍ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି।

ଏଏନ୍‌ଏମ୍‌ଙ୍କର ଚୁକ୍ତିଭିତ୍ତିକ ଚାକିରିକୁ ଡିସେମ୍ବର ୩୧ ଯାଏ ସରକାର ସମ୍ପ୍ରସାରିତ କରିଥିବା ସମୟରେ ଅତର୍କିତ ଭାବେ ଗତ ଶୁକ୍ରବାର ଜିଲ୍ଲାର ୧୬୪ ଜଣ ଏଏନ୍‌ଏମ୍‌ଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଏହାକୁ ବିରୋଧ କରି ଶନିବାର ସକାଳୁ ସମ୍ବଲପୁର କୋଭିଡ୍ ହସ୍ପିଟାଲ ସମ୍ମୁଖରେ ଶତାଧିକ ଏଏନ୍‌ଏମ୍‌ ନର୍ସ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦେଶନାମା ଅନୁସାରେ ଅନ୍ୟୁନ ଡିସେମ୍ବର ୩୧ ଯାଏ ସେମାନଙ୍କୁ ଚାକିରିରେ ରଖିବାକୁ ଦାବି କରିଥିଲେ। ତୁରନ୍ତ ଛଟେଇ ହୋଇଥିବା ଏହି ନର୍ସଙ୍କୁ ଚାକିରିରେ ରଖିବାକୁ ସେମାନେ ଦାବି କରିଥିଲେ। ଏହା ପରେ ସଙ୍ଗେସଙ୍ଗେ ୬୪ ଜଣଙ୍କୁ ପୁଣିଥରେ କାମରେ ରଖାଯାଇଥିଲା। ଯାହାକୁ କେନ୍ଦ୍ର କରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏପରି ନୀତିକୁ ନର୍ସମାନେ ବିରୋଧ କରିଥିଲେ। ଅପରପକ୍ଷେ, ଛଟେଇ ହୋଇଥିବା ନର୍ସଙ୍କୁ ମଧ୍ୟ ୩ ମାସର ଦରମା ମିଳିନଥିବା ଅଭିଯୋଗ ହୋଇଛି। 

ମଧ୍ୟ ରାତ୍ରୀରେ ପ୍ରବଳ ଶୀତରେ ବି କୋଭିଡ୍ ହସ୍‌ପିଟାଲ୍ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ଏଏନ୍‌ଏମ୍‌ ଯୁବତୀମାନେ

କରୋନା ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲାରେ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୬୪ ଜଣ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦିଆଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍‌ ଜୁଲାଇ ମାସରେ ଆଉ ୧୪୭ ଜଣ ନର୍ସଙ୍କୁ ୩ ମାସ ପାଇଁ ଚୁକ୍ତିଭିତ୍ତିକ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ସେପ୍ଟେମ୍ବର ୨୯ ତାରିଖରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ସଂଖ୍ୟା ୨୧୯୭୧ରେ ନିର୍ଦେଶନାମା ଜାରି କରାଯାଇ ଏହି ନର୍ସଙ୍କ ଚାକିରି ଆଉ ୩ ମାସ ଅର୍ଥାତ୍‌ ଡିସେମ୍ବର ୩୧ ଯାଏ ବର୍ଦ୍ଧିତ କରାଯାଇଥିଲା। ଏହାପରେ କୋଭିଡ୍‌ କେୟାର ହୋମ୍‌ଗୁଡ଼ିକ ବନ୍ଦ ହୋଇଯିବା ପରେ ଏହି ନର୍ସଙ୍କୁ ସେଠାରୁ ଆଣି ସମ୍ବଲପୁର କୋଭିଡ୍‌ ହସ୍ପିଟାଲ ଓ ବୁର୍ଲା ସିସିସିରେ ୨ ଭାଗ କରି ରଖାଯାଇଥିଲା। ମାତ୍ର ଗୁରୁବାର ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ସଂଖ୍ୟା ୨୨୦୩ରେ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା ୬୪ ଜଣଙ୍କୁ ଓ ଦ୍ବିତୀୟ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା ୧୦୦ ଜଣଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଯେଉଁନର୍ସମାନେ ବୁର୍ଲାରେ ନିଯୁକ୍ତି ପାଇଥିଲେ ସେମାନଙ୍କର ଛଟେଇ ହୋଇନଥିବା ସମୟରେ ସମ୍ବଲପୁର କୋଭିଡ୍‌ ହସ୍ପିଟାଲର ଏଏନ୍‌ଏମ୍‌ ନର୍ସଙ୍କୁ କିନ୍ତୁ କାଢ଼ି ଦିଆଯାଇଛି। ଏନେଇ ସେମାନେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଦ୍ବାରସ୍ଥ ହେବା ପରେ ଜିଲ୍ଲା ପ୍ରଶାସନ ନିକଟରେ ଦରମା ଦେବାକୁ ଟଙ୍କା ନଥିବାରୁ ଛଟେଇ କରାଯାଇଥିବା ନେଇ ସେମାନଙ୍କୁ ଉତ୍ତର ଦିଆଯାଇଥିବା ଅଭିଯୋଗ ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ସମୟରେ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ନିଯୁକ୍ତ ହୋଇଥିବା ଏହି ନର୍ସଙ୍କୁ ବର୍ତ୍ତମାନ ସମୟରେ କାଢ଼ି ଦିଆଯିବା ଘଟଣାକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର