୫୦% କର୍ମଚାରୀରେ ଚାଲିବ ସରକାରୀ ଅଫିସ୍‌, ବରିଷ୍ଠ ଅଧିକାରୀଙ୍କୁ କୋଭିଡ୍‌ ଅଫିସର ଦାୟିତ୍ବ

କର୍ମକ୍ଷେତ୍ର ପାଇଁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। କରୋନା ପାଇଁ ୨ ମାସ ତଳେ ଲାଗୁ ହୋଇଥିବା ତାଲାବନ୍ଦ କଟକଣାକୁ ପୁଣି ଥରେ ସରକାର ଫେରିଛନ୍ତି। କାରଣ ସେତେବେଳେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉ ନଥିଲେ। ଏବେ ଦୈନିକ ଶତାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ମୁଣ୍ଡବିନ୍ଧା ବଢ଼ିଛି। ସରକାରଙ୍କ ହିସାବ ଅନୁଯାୟୀ ଜୁଲାଇ ମାସରେ ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବିଶେଷକରି ସରକାରୀ ଓ ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଓ ଅଧିକାରୀମାନେ ଯେପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ଏବେ ସରକାରଙ୍କ ଚିନ୍ତା ବଡ଼ିଛି। ଏହାକୁ ଦୃଷ୍ଟିରେ ରଖି କର୍ମକ୍ଷେତ୍ରରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ବ ଦେଇ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛି। ଖାଲି ସେତିକି ନୁହେଁ, ଜୁଲାଇ ମାସରେ ସରକାରୀ ଅଫିସଗୁଡ଼ିକ ମାତ୍ର ୫୦% କର୍ମଚାରୀରେ କାର୍ଯ୍ୟ ତୁଲାଇବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି। ଏହାସହିତ ଜଣେ ବରିଷ୍ଠ ଅଧିକାରୀଙ୍କୁ କୋଭିଡ୍‌ ନିୟମ ଅନୁପାଳନ ତଦାରଖ ପାଇଁ କୋଭିଡ୍‌ ଅନୁପାଳନ ଅଫିସର ଭାବେ ଦାୟିତ୍ବ ଦିଆଯିବ।

ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜାରି କରିଥିବା ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ ଅଫିସରେ ଥିବା କରିଡର୍‌, ଏଲିଭେଟର, ଶିଡ଼ି, ପାର୍କିଂସ୍ଥଳ, କଫି ପିଇବା ସ୍ଥାନ, ମିଟିଂ ରୁମ୍‌ ଓ କନଫରେନ୍ସ୍‌ ହଲ୍‌ଗୁଡ଼ିକରେ ସଂକ୍ରମଣ ବ୍ୟାପିବାର ବହୁତ ଆଶଙ୍କା ରହିଛି। ଏଥିପାଇଁ କର୍ମଚାରୀ ଓ ସାଧାରଣ ଲୋକମାନଙ୍କୁ କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ଆବଶ୍ୟକ ନିୟମାବଳୀ ପାଳନ କରିବାକୁ ପଡ଼ିବ। ଦିନକୁ ଦିନ ଯେଭଳି କରୋନା ଭୂତାଣୁ ମାଡ଼ିମାଡ଼ି ଚାଲିଛି ଏଭଳି ସ୍ଥିତିରେ ଏହି ନିୟମକୁ କଡ଼ାକଡ଼ି ପାଳନ କଲେ ସଂକ୍ରମଣକୁ ରୋକାଯାଇପାରିବ। ଏଥିପାଇଁ ୪ଟି ପର୍ଯ୍ୟାୟ ଅନୁପାଳନ କରାଯିବ। ସେଗୁଡ଼ିକ ହେଲା ପ୍ରାଥମିକ ପ୍ରତିକାରମୂଳକ ପଦକ୍ଷେପ, ନିର୍ଦ୍ଦିଷ୍ଟ ଅଫିସ ପାଇଁ ପ୍ରତିକାର ବ୍ୟବସ୍ଥା, ସଂକ୍ରମିତଙ୍କ ପାଇଁ ପଦକ୍ଷେପ, ବିଶୋଧନ ବ୍ୟବସ୍ଥା। ପ୍ରାଥମିକ ପ୍ରତିକାର ମୂଳକ ପଦକ୍ଷେପ ଅନୁଯାୟୀ, ଅଫିସରେ କର୍ମଚାରୀଙ୍କ ଭିତରେ ସର୍ବଦା ଯେପରି ୬ଫୁଟ ବ୍ୟବଧାନ ରହିବ, ସେଥିପାଇଁ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବେ। ପ୍ରତ୍ୟେକ କର୍ମଚାରୀ ଓ ଅଧିକାରୀ ମୁହଁରେ ମାସ୍କ୍‌ ଧାରଣ କରିବେ। ବାରମ୍ବାର ହାତ ଧୋଇବା ସହ ପ୍ରତ୍ୟେକ ଥର ହାତ ଧୋଇବା ବେଳେ ସାବୁନ୍‌ ଲଗାଇ ୪୦ରୁ ୬୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଉଭୟ ହାତକୁ ଘଷିବେ। ଏହାସହିତ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭଲ କରି ହାତରେ ଆଲକହଲ୍‌ ପ୍ରସ୍ତୁତ ସାନିଟାଇଜର୍‌ ଲଗାଇବେ। ମାସ୍କ୍‌ ଲଗାଇବେ ବେଳେ ପାଟି ଓ ନାକ ଯେପରି ସମ୍ପୂର୍ଣ୍ଣ ଘୋଡ଼ି ହୋଇ ରହିବ ସେଥିପାଇଁ ସତର୍କ ଦୃଷ୍ଟି ଦିଆଯିବ। କାଶ ଓ ଛିଙ୍କ ଲାଗିଲେ ରୁମାଲ୍‌ କିମ୍ବା ନିଜ କହୁଣି ଆଡ଼କୁ ମୁହଁ ନେଇ କରିବେ। ନାକ ଓ ପାଟିରୁ ବାହାରୁଥିବା ମଇଳାକୁ ଟିସ୍ୟୁ ପେପର୍‌ରେ ପୋଛି ସଫା କରିବେ। ନିଜ ସ୍ବାସ୍ଥ୍ୟର ନିଜେ ଯତ୍ନ ନେବା ସହ ଯଦି ଦୁର୍ବଳ କିମ୍ବା ଅସୁସ୍ଥ ଅନୁଭବ କରନ୍ତି ତାହେଲେ ଯଥାଶୀଘ୍ର ଉପରିସ୍ଥ ଅଧିକାରୀଙ୍କୁ ସମ୍ପୃକ୍ତ କର୍ମଚାରୀ ଜଣାଇବେ।

ଦ୍ବିତୀୟରେ କୌଣସି ଅଫିସରେ ଯଦି କୌଣସି କର୍ମଚାରୀ ଫ୍ଲୁ ଲକ୍ଷଣରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ନ୍ତି, ତାହେଲେ ତାଙ୍କୁ ଅଫିସ ଆସିବା ବାରଣ କରାଯିବା ସହ ୧୦୪ ହେଲ୍‌ପ୍ ଲାଇନ୍‌କୁ ଫୋନ୍‌ କରି ତାଙ୍କୁ ଆବଶ୍ୟକ ମେଡିକାଲ୍‌ ଚିକିତ୍ସା ପାଇଁ ପଠାଯିବ। ସମ୍ପୃକ୍ତ ବ୍ୟକ୍ତିଙ୍କର ଯଦି କୋଭିଡ୍‌-୧୯ ଲକ୍ଷଣ ଦେଖାଦିଏ, ତାହେଲେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯିବ। ଅବରୋଧ ଅଞ୍ଚଳରେ ଥିବା କର୍ମଚାରୀ ଘରୁ କାମ କରିବାକୁ ଅନୁମତି ମାଗିଲେ ତାଙ୍କୁ ତୁରନ୍ତ ଅନୁମତି ପ୍ରଦାନ କରାଯିବ। ଅଫିସ୍‌ ମିଟିଂ ଓ ସାଧାରଣଲୋକଙ୍କ ପାଇଁ ଓଡ଼ିଶା ସରକାର ଜାରି କରିଥିବା ନିୟମାବଳୀକୁ କଡ଼ାକଡ଼ି ପାଳନ ହେବ। ଏସବୁ ସତ୍ତ୍ବେ ଯଦି ଜଣେ କର୍ମଚାରୀଙ୍କ ପାଖରେ କୋଭିଡ୍‌-୧୯ ସଂକ୍ରମିତ ହୋଇଥିବା ନେଇ ଚିହ୍ନଟ ହୁଅନ୍ତି ତାହେଲେ, ସେହି ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରି ଅଫିସର ଗୋଟିଏ ରୁମ୍‌ରେ ଆବଦ୍ଧ କରି ରଖିବା ସହ ଡାକ୍ତର ଆସିବା ପର୍ଯ୍ୟନ୍ତ ତାଙ୍କ ମୁହଁ ପାଟି ଓ ନାକକୁ ମାସ୍କ୍‌ କିମ୍ବା କୌଣସି କପଡ଼ାରେ ଘୋଡ଼ାଇ ରଖାଯିବ। ତୁରନ୍ତ ରାଜ୍ୟ ସରକାରଙ୍କ ୧୦୪ ହେଲ୍‌ପ୍‌ ଲାଇନ୍‌ ନମ୍ବରକୁ ଫୋନ୍‌ କରିବା ସହ ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ନିୟମାବଳୀ ଅନୁଯାୟୀ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଗୋଟିଏ ଅଫିସରୁ ଜଣେ କିମ୍ବା ଏକାଧିକ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେଲେ କିମ୍ବା କୌଣସି ସଂକ୍ରମିତ ଯଦି ସମ୍ପୃକ୍ତ ଅଫିସକୁ ୪୮ ଘଣ୍ଟା ଭିତରେ ଯାଇଥିବେ, ତାହେଲେ ସେହି ଅଫିସକୁ ସମ୍ପୂର୍ଣ୍ଣ ବନ୍ଦ ନ କରି କରୋନା ସଂକ୍ରମିତ ଯାଇଥିବା ଅଞ୍ଚଳକୁ ବିଶୋଧନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଅନ୍ୟପଟେ ଯଦି ସେହି ଅଫିସରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୁଅନ୍ତି ତାହେଲେ ୪୮ ଘଣ୍ଟା ପର୍ଯ୍ୟନ୍ତ ଅଫିସକୁ ବନ୍ଦ କରାଯାଇ ବିଶୋଧନ କରାଯିବ। ଏହି ସମୟ ଭିତରେ ସମସ୍ତ କର୍ମଚାରୀ ନିଜ ନିଜ ଘରୁ କାମ କରିବେ। ଅଫିସ୍‌ ବିଶୋଧନ କରିବା ପ୍ରଣାଳୀ ବିସ୍ତୃତ ଭାବେ https://www.mohfw.gov.in ୱେବ୍‌ସାଇଟରେ ଉପଲବ୍ଧ କରାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଜାରି କରିଥିବା ନିର୍ଦ୍ଦେଶ ଅନୁୟାୟୀ କେଉଁ କର୍ମଚାରୀ ଅଫିସ ଆସିବେ ସେ ନେଇ ସମ୍ପୃକ୍ତ ବିଭାଗ ନିଷ୍ପତ୍ତି ନେବ। ଘରୁ କାମ କରିବାକୁ ଥିବା କର୍ମଚାରୀଙ୍କ ପାଇଁ ଭିପିଏନ୍‌ ବ୍ୟବସ୍ଥା ଉପଲବ୍ଧ କରାଯିବ। ଆବଶ୍ୟକତା ଦୃଷ୍ଟିରୁ କୌଣସି କର୍ମଚାରୀଙ୍କୁ ଯଦି ଅଫିସ ଆସିବାକୁ ପଡ଼େ ତାହେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ଟେଲିଫୋନ ଯୋଗେ ଜଣାଇଦିଆଯିବ। ଅଫିସ ଆସୁନଥିବା କର୍ମଚାରୀ ସଂକ୍ରମଣ ପ୍ରତିହତ ପାଇଁ ସବୁବେଳେ ଘରେ ରହିବେ। କୋଭିଡ୍‌ ନିୟମ ଅନୁପାଳନ ତଦାରଖ ପାଇଁ ନିୟୋଜିତ ହୋଇଥିବା ଅଧିକାରୀ ସରକାରୀ ଅଫିସରେ କରୋନା ପ୍ରତିହତ ପାଇଁ ନିୟମ ଅନୁପାଳନ ହେଉଛି କି ନାହିଁ ସେ ନେଇ ଦୈନିକ ତଦାରଖ କରିବେ। କୋଭିଡ୍‌ ପ୍ରୋଟୋକଲ୍‌ ପାଳନ ନେଇ ବିଭାଗୀୟ ମୁଖ୍ୟଙ୍କୁ ଏକ ସାପ୍ତାହିକ ଅଡିଟ୍‌ ରିପୋର୍ଟ୍‌ ପ୍ରଦାନ କରାଯିବ। କୌଣସି ସ୍ଥାନରେ ଅନିୟମିତତା ହେଉଥିବା ନେଇ ଯଦି ରିପୋର୍ଟ ମିଳିବ ତାହେଲେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଗୋଟିଏ ବିଭାଗରେ କୋଭିଡ୍‌ ନିୟମ ଠିକ୍‌ ଭାବେ ଅନୁପାଳନ ହେଉଛି କି ନାହିଁ ସେ ନେଇ ବିଭାଗୀୟ ମୁଖ୍ୟ ଦାୟୀ ରହିବେ। ଏ ନେଇ ଅଚାନକ ଯାଞ୍ଚ କରାଯିବା ସହ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର